|
logo
Live

Argus News - ମୟୂରଭଞ୍ଜରୁ ରେଳ ଯୋଗାଯୋଗର ନୂଆ ଅଧ୍ୟାୟ ଆରମ୍ଭ

Odisha

ମୟୂରଭଞ୍ଜରୁ ରେଳ ଯୋଗାଯୋଗର ନୂଆ ଅଧ୍ୟାୟ ଆରମ୍ଭ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ମୟୂରଭଞ୍ଜରୁ ରେଳ ଯୋଗାଯୋଗର ନୂଆ ଅଧ୍ୟାୟ ଆରମ୍ଭ

ଅର୍ଗସ ବ୍ୟୁରୋ:  ମୟୂରଭଞ୍ଜକୁ ମିଳିଛି ତିନିଟି ନୂଆ ଟ୍ରେନର ଉପହାର। ରାଷ୍ଟ୍ରପତିଙ୍କ ଗାଁ ପାହାଡପୁରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ତିନି କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ସବୁଜ ପାତାକା ଦେଖାଇ ଏହି ଟ୍ରେନ୍ ଚଳାଚଳ ଶୁଭାରମ୍ଭ କରିଛନ୍ତି ନିଜେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତିନିଟି ନୂଆ ଟ୍ରେନ ହେଉଛି ଟାଟାନଗର ବାଦାମପାହାଡ ମେମୁ ଟ୍ରେନ, ବାଦାମପାହାଡ ରାଉରକେଲା ଏକ୍ସପ୍ରେସ ଓ ସାଲିମାର ବାଦାମପାହାଡ ଏକ୍ସପ୍ରେସ। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଏହି ରେଳ ଚଳାଚଳ ଯୋଗୁଁ ପୂରଣ ହୋଇଛି ମୟୁରଭଞ୍ଜବାସୀଙ୍କ ଦୀର୍ଘ ଦିନର ଆଶା। ନୂଆ ଟ୍ରେନ ଚାଳାଚଳ ଯୋଗୁଁ ମୟୁରଭଞ୍ଜରେ ବ୍ୟବସାୟ ଓ ରୋଜଗାର ବଢିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବୋଦୟ ମିଶନର କିପରି ବଡ଼ ଲାଭାର୍ଥୀ ବନିଛି ଓଡ଼ିଶା ତାର ରଖିଥିଲେ ହିସାବ । ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଥିଲେ କେନ୍ଦ୍ର ସରକାରଙ୍କ ପ୍ରତିଟି ପଦକ୍ଷେପ ଓ ପ୍ରତ୍ୟେକ ନିଷ୍ପତି ଜନଜାତିଙ୍କ ବିକାଶ ଓ ସ୍ବାଭିମାନର ସୁରକ୍ଷା ପାଇଁ ଉଦ୍ଦିଷ୍ଟ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସର୍ବଦା ନିଜ ଜନ୍ମମାଟି ମୟୂରଭଞ୍ଜ ସହ ଆଦିବାସୀ, ବଞ୍ଚିତ ବର୍ଗ ଓ ମହିଳାମାନଙ୍କ ବିକାଶ କଥା ଚିନ୍ତା କରିଥାନ୍ତି ରାଷ୍ଟ୍ରପତି। ଶ୍ରୀମତୀ ମୁର୍ମୁଙ୍କୁ ଏ ଦେଶ ଆଗାମୀ ଦୁଇ ଶତାବ୍ଦୀ ପର୍ଯ୍ୟନ୍ତ ମନେରଖିଥିବ ବୋଲି କହିଛନ୍ତି ଧର୍ମେନ୍ଦ୍ର। ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ପାଇଁ ଦେଶରେ ୭୦୦ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ନିର୍ମାଣ ହେଉଥିବା ବେଳେ ଓଡ଼ିଶା ୧୧୪ଟି ସ୍କୁଲ ସହ ଦେଶର ସବୁଠୁ ବଡ ଲାଭାର୍ଥୀ ବନିପାରିଛି । ଓଡ଼ିଶାରେ ଏଥିପାଇଁ ସାଢେ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୭୦୦ କୋଟି ଟଙ୍କା ବ୍ୟୟରେ ମାନ୍ୟବର ରାଷ୍ଟ୍ରପତିଙ୍କ ଜିଲ୍ଲା ମୟୂରଭଞ୍ଜରେ ୨୩ଟି ଏକଲବ୍ୟ ସ୍କୁଲ ପ୍ରତିଷ୍ଠା ହେଉଛି । ମାନ୍ୟବର ରାଷ୍ଟ୍ରପତିଙ୍କ ଆଶୀର୍ବାଦ ଏବଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ କାରଣରୁ ଆଜି ଏହା ସମ୍ଭବ ହୋଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ।

ଭାରତର ସବୁ ସ୍ଥାନୀୟ ଭାଷା ରାଷ୍ଟ୍ରୀୟ ଭାଷା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜି ଜାତୀୟ ଶିକ୍ଷା ନୀତି ଆଧାରରେ ଶାନ୍ତାଳୀ ଭାଷା ସମେତ ଦେଶରେ ୮ମ ଅନୁଚ୍ଛେଦରେ ସମସ୍ତ ଭାଷାରେ ଏନସିଇଆରଟି ପକ୍ଷରୁ ପାଠ୍ୟପୁସ୍ତକ ଉପଲବ୍ଧ କରାଯିବାର ଯୋଜନା ହୋଇଛି। ସ୍ଥାନୀୟ ପିଲାମାନେ ଚାହିଁଲେ ଦ୍ବାଦଶ ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଷ୍ଟଡି ମ୍ୟାଟେରିଆଲ ପାଇପାରିବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ବାଦାମପାହାଡ଼ ସାଲିମାର ଏକ୍ସପ୍ରେସରେ ବାବାମପାହଡ଼ରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ଯାତ୍ରା କରିଥିଲେ ନିଜେ ରାଷ୍ଟ୍ରପତି। ରାଇରଙ୍ଗପୁର ଅଞ୍ଚଳରେ ପ୍ରଥମ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରିଥିବାରୁ ସ୍ଥାନୀୟ ଲୋକେ ଖୁବ୍ ଖୁସି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୩ ନୂଆ ଟ୍ରେନ ସମେତ ଡାକ ବିଭାଗର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଷ୍ଟ୍ରପତି। ଏଥିସହ ପାହାଡପୁରଠାରେ ଏକ ଦକ୍ଷତା ବିକାଶ କେନ୍ଦ୍ରର ଉଦଘାଟନ ମଧ୍ୟ କରିଥିଲେ ମହାମହିମ୍। ଏହି ଭବ୍ୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ମଧ୍ୟ ଯୋଗଦେଇଥିଲେ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
ମୟୂରଭଞ୍ଜରୁ ରେଳ ଯୋଗାଯୋଗର ନୂଆ ଅଧ୍ୟାୟ ଆରମ୍ଭ | Argus News