GST ହ୍ରାସ ପରେ ସଂଶୋଧିତ ମୂଲ୍ୟ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ

Key Points
GST ହ୍ରାସ ପରେ ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ । ସମସ୍ତ ଉତ୍ପାଦକ, ପ୍ୟାକର୍ ଓ ଆମଦାନୀକାରୀଙ୍କୁ କେନ୍ଦ୍ରର ନିର୍ଦ୍ଦେଶ । ‘ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଲାଗୁ ହେବ ନିର୍ଦ୍ଦେଶନାମା ।
କେନ୍ଦ୍ର ସରକାରଙ୍କ ଜିଏସଟି ହ୍ରାସ ପରେ ଏବେ ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଉଲ୍ଲେଖ ରହିବ । ଜିଏସଟି ସ୍ଲାବରେ ପରିବର୍ତ୍ତନ କରିବା ପରେ, ପୂର୍ବରୁ କିଣାଯାଇଥିବା କିମ୍ବା ପ୍ୟାକିଂ ହୋଇ ସାରିଥିବା ସାମଗ୍ରୀ ଉପରେ ସଂଶୋଧିତ ମୂଲ୍ୟ ଲେଖିବା ବାଧ୍ୟତାମୂଳକ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଓଡ଼ିଶା ସମେତ ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି । ଉତ୍ପାଦକ, ପ୍ୟାକର୍ ଓ ଆମଦାନୀକାରୀଙ୍କୁ ଏହି ନିର୍ଦ୍ଦେଶ ଜାରି ହୋଇଛି। ଏ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
ଜିଏସଟି ଅନୁସାରେ ନୂଆ ଏମ୍ଆରପି ଲାଗୁ ହେବା ଆବଶ୍ୟକ । ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା କିମ୍ବା ଷ୍ଟକ୍ ଶେଷ ହେବା ଯାଏ ଉକ୍ତ ନିର୍ଦ୍ଦେଶନାମା ଲାଗୁ ହେବ । ପୁରୁଣା ମୂଲ୍ୟକୁ ନ ଲିଭାଇ ତାହା ନିକଟରେ ନୂଆ ମୂଲ୍ୟ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ରହିଛି । ମୂଲ୍ୟ ସଂଶୋଧନ ସମ୍ପର୍କରେ ଉତ୍ପାଦକ, ପ୍ୟାକର୍, ଆମଦାନୀକାରୀ ଖବର କାଗଜରେ ବିଜ୍ଞାପନ ସମ୍ବନ୍ଧରେ ଜଣାଇବା ସହ ନିଜର ଡିଲର ଏବଂ ସ୍ଥାନୀୟ ମାପ ଓଜନ ବିଭାଗକୁ ନୋଟିସ ମାଧ୍ୟମରେ ଜଣାଇବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସେପଟେ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ୨୨ ତାରିଖ ପରେ ଯେଉଁ ଦର କମିବ, ସେଥିରେ କେନ୍ଦ୍ର ସରକାର ଇନପୁଟ କ୍ରେଡିଟ ଦେବେ । ହେଲେ ଛୋଟ ବ୍ୟବସାୟୀ ଯାହାର GST ନମ୍ବର ନାହିଁ, ସେମାନେ ପାଇବେ ନାହିଁ।
ପ୍ରଧାନମନ୍ତ୍ରୀ କହିଥିଲେ ଦୀପାବଳି ପୂର୍ବରୁ ଦେବେ ଖୁସିଖବର। କିନ୍ତୁ ଦଶରା ପୂର୍ବରୁ ଆସିଥିଲା ଖୁସି। ଏଭଳି ଖୁସି ଯାହା ଦେଶର ସବୁ ବର୍ଗର ଲୋକଙ୍କୁ ପାଇଁ ଆଣିଛି ଆଶ୍ବସ୍ତି । ୫୬ ତମ GST ପରିଷଦ ବୈଠକରେ ନିଆଯାଇଛି ଐତିହାସିକ ନିଷ୍ପତ୍ତି । ଜିଏସଟିରୁ ଉଠାଇ ଦିଆଯାଇଛି ୧୨ ଓ ୨୮ ପ୍ରତିଶତ ସ୍ଲାବ୍। ଏବେ ସାରାଦେଶରେ ଲାଗୁ ହେବ ୫ ଓ ୧୮ ପ୍ରତିଶତ ସ୍ଲାବ୍ । ଯାହା ଆସନ୍ତା ୨୨ ତାରିଖରୁ ଲାଗୁ ହେବାକୁ ଯାଉଛି ।