ପୁଣି ଚର୍ଚ୍ଚାରେ ନିମାପଡ଼ା ଆସନ

ଅର୍ଗସ ବ୍ୟୁରୋ : ପୁଣି ଚର୍ଚ୍ଚାରେ ନିମାପଡ଼ା ଆସନ । ବିଜେଡି ଟିକଟ ପାଇଁ ନେତା- ନେତା ଟଣାଓଟରା ! ୨୪ ନିର୍ବାଚନ ସମୟ ଯେତେ ପାଖେଇ ଆସୁଛି ପୁରୀ ନିମାପଡ଼ା ବିଧାନସଭା କ୍ଷେତ୍ରକୁ ନେଇ ସରଗରମ ହେଉଛି ରାଜନୀତି । କାହାକୁ ଟିକେଟ ମିଳିବ ? କିଏ ନିର୍ବାଚନୀ ବୈତରଣୀ ପାର ହେବ ? ତା'କୁ ନେଇ ଆରମ୍ଭ ହେଲାଣି ଅଙ୍କକଷା । ସେପଟେ ନିମାପଡ଼ାରେ ଏଥର ବିଜେଡି ଟିକଟକୁ ନେଇ ହୋଇପାରେ ଟଣାଓଟରା । ୩ ଥରର ବିଧାୟକ ସମୀର ଦାଶଙ୍କ ପାଇଁ ସଙ୍କଟ ସୃଷ୍ଟି କରିପାରନ୍ତି ବହୁ ଆଶାୟୀ । ସେପଟେ ନିର୍ବାଚନମଣ୍ଡଳୀରେ ଲଗାତର ଭାବେ ସଂଗଠନ ସଜାଡ଼ି ଆସୁଥିବା ବିଜେପି ବି ଶାସକ ଦଳକୁ ଟକ୍କର ଦେବାକୁ ପୁରା ତୟାର ।
ପୁରୀ ଜିଲ୍ଲାର ଚର୍ଚ୍ଚିତ ରାଜନୈତିକ ବିଧାନସଭା କ୍ଷେତ୍ର ହେଉଛି ନିମାପଡ଼ା । ଏଠି ୨୦୦୯ରୁ ଏଠି ବିଜେଡ଼ି କରୁଛି ରାଜ । ଶଂଖଦଳରୁ ୩ ଥର ବିଧାୟକ ନିର୍ବାଚିତ ହେଲେଣି ପୂର୍ବତନ ମନ୍ତ୍ରୀ ସମୀର ଦାଶ । ପୂର୍ବରୁ ସଂରକ୍ଷିତ ଥିବା ଏ ଆସନ ୨୦୦୯ରେ ଅଣସଂରକ୍ଷିତ ହେବା ପରେ ଏଠୁ ଜିତି ଆସୁଛନ୍ତି ସମୀର । କିନ୍ତୁ ୨୦୨୪ରେ ସମୀରଙ୍କ ଟିକଟ ପାଇବା ରାସ୍ତା ଏତେ ସହଜ ନୁହେଁ ବୋଲି ଚର୍ଚ୍ଚା । କାରଣ ନିମାପଡ଼ା ଉପରେ ଏବେ ବହୁ ଆଶାୟୀଙ୍କ ଆଖି ବୋଲି କୁହାଯାଉଛି । ବିଜେଡି ଟିକଟ ପାଇଁ ପ୍ରମୁଖ ଦାବିଦାରଙ୍କ ଭିତରୁ ସବୁଠୁ ଆଗରେ ଅଛନ୍ତି କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ସତ୍ୟବ୍ରତ ପାତ୍ର । ସେହିଭଳି ବିଜେଡି ଆଇଟି ସେଲର ପ୍ରମୁଖ କର୍ମକର୍ତ୍ତା ସୁବ୍ରତ ଛାଟୋଇଙ୍କ ନାଁକୁ ନେଇ ବି ଖୁବ ଚର୍ଚ୍ଚା ।
ସେହିଭଳି ବିଜେଡ଼ି ଟିକଟ ରେସ୍ରେ ରହିଛି ଅନେକ ନାଁ, ସେହିଭଳି, ଜାତୀୟ ସ୍ତରରେ ଏକ କର୍ପୋରେଟ୍ ହାଉସରେ କାମ କରି ନିମାପଡ଼ାରେ ସଂଗଠନ କରୁଥିବା ଯୁବନେତା ଜିତୁ ମହାନ୍ତି ବି ବିଜେଡି ଟିକେଟ୍ ରେସରେ ଥିବା ଚର୍ଚ୍ଚା ହେଉଛି । ସେହିଭଳି ଆଶାୟୀ ତାଲିକାରେ ଯୋଡ଼ି ହୋଇଛି ରୋଜାଲିନ୍ ନାୟକଙ୍କ ନାଁ ମଧ୍ୟ । ଯାହାକୁ ନେଇ ଏବେ ନିମାପଡ଼ା ରାଜନୀତିରେ ଆରମ୍ଭ ହୋଇଛି କମ୍ପନ ।
📱 Get Argus News App
✨ବିଜେଡି-ବିଜେପି ମେଣ୍ଟ ସରକାର ସମୟରେ ଏଇ ଆସନରୁ ୨୦୦୦ ଓ ୨୦୦୪ରେ ବିଜେପିରୁ ବାଇଧର ମଲ୍ଲିକ ବିଧାୟକ ହୋଇଥିଲେ । କିନ୍ତୁ ତା ପରେ ଆଉ ବିଜେପି କ୍ଷମତାକୁ ଫେରି ନଥିଲେ ବି ୨୦୧୪ ଏବଂ ୨୦୧୯ରେ ଏଠି ବିଜେଡିକୁ ଟକ୍କର ଦେଇ ଦ୍ବିତୀୟ ସ୍ଥାନରେ ରହି ଆସୁଛି ଦଳ । ଏଥର କିନ୍ତୁ ପ୍ରଭାତୀ ପରିଡାଙ୍କ ସହ ହାତ ମିଳାଇଛନ୍ତି ୨୦୧୯ରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ନାୟକ । ସେ ବିଜେପିରେ ସାମିଲ ହେବା ପରେ ତାଙ୍କ ସଂଗଠନ ଓ ଅନୁଗତ ସକ୍ରିୟ ଅଛନ୍ତି ।
ନିମାପଡ଼ାରେ ଆଗରୁ ଭଲ ରେକର୍ଡ କରୁଥିବା କଂଗ୍ରେସର ସ୍ଥିତି ଏବେ ଭଲ ନାହିଁ । ବିଗତ ୨ଟି ନିର୍ବାଚନରେ ଦଳର ଭୋଟ୍ ପରିମାଣରୁ ପ୍ରମାଣ ମିଳିଛି । ହେଲେ ଏଥର ନିମାପଡ଼ା କଂଗ୍ରେସକୁ ସଂଜବନୀ ଦେବାକୁ ଆବିର୍ଭାବ ହୋଇଛନ୍ତି ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ । ୨୦୨୪ରେ ସେ ନିମାପଡ଼ାରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର । ଏଥିପାଇଁ ଘର ଘର ବୁଲି ଜନସାଧାରଣଙ୍କ ସମସ୍ୟା ବୁଝୁଛନ୍ତି ସିଦ୍ଧାର୍ଥ ।