Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଭୁବନେଶ୍ୱର ହେଉଛି ଗବେଷଣାର ନୂଆ କେନ୍ଦ୍ର, ନାଇଜରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ

Odisha

Bhubaneswar Research Hub / ଭୁବନେଶ୍ୱର ହେଉଛି ଗବେଷଣାର ନୂଆ କେନ୍ଦ୍ର, ନାଇଜରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଭୁବନେଶ୍ୱର ହେଉଛି ଗବେଷଣାର ନୂଆ କେନ୍ଦ୍ର, ନାଇଜରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ
Dharmendra Pradhan

Key Points

ଯୁବ ବୈଜ୍ଞାନିକଙ୍କ ଉପରେ ଦେଶର ଭବିଷ୍ୟତ
ନାଇଜର ଛାତ୍ରଛାତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ
ବିଜ୍ଞାନ କ୍ଷେତ୍ରରେ ଭାରତର ଭବିଷ୍ୟତ ଗଢ଼ିବେ ଯୁବ ବୈଜ୍ଞାନିକ
ବିଜ୍ଞାନ ଓ ଗବେଷଣାର ନୂଆ ଦିଗ ଦେଖାଉଛି ଓଡ଼ିଶା । ଭୁବନେଶ୍ୱରସ୍ଥିତ ନାଇଜରର ୧୫ତମ ସମାବର୍ତ୍ତନ ଉତ୍ସବରେ ଦେଶର ଭବିଷ୍ୟତ ଯୁବ ବୈଜ୍ଞାନିକଙ୍କୁ ନୂଆ ଦାୟିତ୍ୱର ଆହ୍ୱାନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ଦେଶର ଆଗାମୀ ବିକାଶ ଯାତ୍ରା ଯୁବ ବୈଜ୍ଞାନିକଙ୍କ ନୂଆ ଚିନ୍ତାଧାରା ଓ ଗବେଷଣା ଉପରେ ନିର୍ଭର କରୁଛି ।

ଭୁବନେଶ୍ୱରସ୍ଥିତ ନାଇଜରର ୧୫ତମ ସମାବର୍ତ୍ତନ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଛି । ଏହି ଅବସରରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନଙ୍କ ଉପସ୍ଥିତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୁବ ବୈଜ୍ଞାନିକମାନଙ୍କୁ ସମାଜର କଲ୍ୟାଣ ପାଇଁ ଗବେଷଣାକୁ ଆଗକୁ ନେବାକୁ ଆହ୍ୱାନ ଦେଇଛନ୍ତି ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ବିଦ୍ୟାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଦେଶର ବିକାଶରେ ସେମାନଙ୍କ ଭୂମିକା ଉପରେ ଆଲୋକପାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, ନାଇଜର ହେଉଛି ଦେଶର ଏପରି ଏକ ବିରଳ ପ୍ରତିଷ୍ଠାନ ଯେଉଁଠାକୁ ମାତ୍ର କିଛି ବର୍ଷର ବ୍ୟବଧାନରେ ଦେଶର ତିନି ପ୍ରମୁଖ ଶୀର୍ଷ ବ୍ୟକ୍ତିତ୍ୱ ଆସିଛନ୍ତି । ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଇଜର କ୍ୟାମ୍ପସର ଉଦଘାଟନ କରିଥିବା ବେଳେ, ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଆଜି ଉପ-ରାଷ୍ଟ୍ରପତି ଏଠାକୁ ଆସିଛନ୍ତି ।


ଏହି ଅବସରରେ ନାଇଜର ପକ୍ଷରୁ ଉପରାଷ୍ଟ୍ରପତିଙ୍କୁ ସମ୍ବଲପୁରୀ ଇକତ୍ ବସ୍ତ୍ରରେ ସମ୍ମାନିତ କରାଯାଇଥିବାରୁ ଧର୍ମେନ୍ଦ୍ର ପ୍ରଧାନ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଥିଲେ । ଏହା ଓଡ଼ିଶାର କଳା ଓ ସଂସ୍କୃତିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବାର ଏକ ପ୍ରୟାସ ବୋଲି ସେ କହିଥିଲେ ।

ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ (ଷ୍ଟେମ) ଶିକ୍ଷା କ୍ଷେତ୍ରରେ ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଜାତୀୟ ସ୍ତରରେ ଏହା ୪୩ ପ୍ରତିଶତ ଥିବାବେଳେ ନାଇଜର କ୍ୟାମ୍ପସରେ ମଧ୍ୟ ୪୦ ପ୍ରତିଶତ ଛାତ୍ରୀ ଅଧ୍ୟୟନ କରୁଛନ୍ତି, ଯାହାକି ଏକ ବହୁତ ସକାରାତ୍ମକ ସଙ୍କେତ । ନାଇଜର କ୍ୟାମ୍ପସରେ ଖୁବ୍ ଶୀଘ୍ର ଏକ କ୍ୟାନସର ରେଫରାଲ ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ସ୍ଥାପିତ ହେବାକୁ ଯାଉଛି, ଯାହା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିବ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଭୁବନେଶ୍ୱର ଏବେ ବିଜ୍ଞାନ ଓ ଗବେଷଣାର ଏକ ପ୍ରେରଣା କେନ୍ଦ୍ର ଭାବେ ଉଭା ହେଉଛି । ଏମ୍ସ, ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ, ଆଇଏଲଏସ, ଆଇଆଇଟି, ଆଇଏମଏମଟି ଏବଂ ନାଇଜର ପରି ସମ୍ମାନଜନକ ପ୍ରତିଷ୍ଠାନଗୁଡ଼ିକର ଉପସ୍ଥିତି ଏହି ସହରକୁ ଗବେଷଣା କ୍ଷେତ୍ରରେ ଏକ ନୂଆ ପରିଚୟ ଦେଇଛି ।

ସେ ଆହୁରି କହିଛନ୍ତି ଯେ, ନାଇଜର ଆଗାମୀ ଦିନରେ ଓଡ଼ିଶାରୁ କେରଳ ପର୍ଯ୍ୟନ୍ତ ‘ରେୟାର ଆର୍ଥ କରିଡର’ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରୋଡମ୍ୟାପ୍ ପ୍ରସ୍ତୁତ କରିପାରିବ । ଏହା ଦେଶର ଶିଳ୍ପ ଓ ପ୍ରଯୁକ୍ତି କ୍ଷେତ୍ରକୁ ନୂଆ ଶକ୍ତି ଦେବ । କେନ୍ଦ୍ରମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇ ପୂର୍ବତନ ରାଷ୍ଟ୍ରପତି ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ଉକ୍ତି "କାର୍ଯ୍ୟକାରୀ ଜ୍ଞାନ ହିଁ ପ୍ରତିକୂଳ ପରିସ୍ଥିତିକୁ ସମୃଦ୍ଧିରେ ପରିଣତ କରେ" ବୋଲି ଦୋହରାଇଥିଲେ ।

ଏହି ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored