ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଗାଁକୁ ଫିଟିନି ରାସ୍ତା

ଅର୍ଗସ ବ୍ୟୁରୋ: ରାଜ୍ୟ ସରକାରଙ୍କ ଯୋଜନା ପ୍ରବଳ କାମ ଦୁର୍ବଳ । ଏହାର ଉଦାହରଣ ହେଉଛି ମାଲକାନାଗି ଜିଲ୍ଲା ଖଇରପୁଟ ବ୍ଲକ ହଣ୍ଡ୍ରାହାଲ ପଞ୍ଚାୟତର ପାତ୍ରପୁଟ ଗାଁ। ବଣ ପାହାଡ ମଧ୍ୟରେ ରହିଛି ପାତ୍ରପୁଟ ଗାଁ । ଗାଁକୁ ଲାଗି ରହିଛି ଆନ୍ଧ୍ରପ୍ରଦେଶ । କାହିଁ କେଉଁ ଅମଳରୁ ଏଠାରେ ବସବାସ କରି ଆସୁଛନ୍ତି 65 ଆଦିମ ଜନଜାତି ପରିବାର। ମାତ୍ର ଗାଁକୁ ଯିବା ପାଇଁ ଏହି ଖାଲଖମା ଭରା ପଥୁରିଆ ରାସ୍ତା ହିଁ ସହାଭାରସା। ବିପଦ ସଂକୁଳ ଅବସ୍ଥାରେ ଥିବା ଏହି ରାସ୍ତାରେ ନୀତିଦିନ ଯିବା ଆସିବା କରନ୍ତି ସ୍ଥାନୀୟ ଲୋକେ।
ସରକାରୀ ସହାୟତା ରୁପେ ଗାଁକୁ ମିଳିଛି କେବଳ ଗୋଟିଏ ନଳକୂପ। ସେଥିରୁବି ଯଥେଷ୍ଟ ପରିମାଣରେ ପାଣି ବାହାରୁ ନାହିଁ । ଫଳରେ ଏବେବି ନଦୀ ପାଣି ମେଣ୍ଟାଉଛି ପାତ୍ରପୁଟବାସୀଙ୍କ ଶୋଷ। ପାଣିର କୌଣସି ବିକଳ୍ପ ନଥିବାରୁ ଅଞ୍ଚଳବାସୀଙ୍କୁ ପ୍ରତିଦିନ ପାଣି ହାଣ୍ଡି ମୁଣ୍ଡରେ ବୋହି ପ୍ରାୟ କୋଡିଏ ଫୁଟ ଘାଟି ଚଢିବାକୁ ପଡିଥାଏ।
ସରକାରଙ୍କ ଯୋଜନାର ଲମ୍ବା ତାଲିକା ମଧ୍ୟରେ ପାତ୍ରପୁଟ ଗାଁ ସରକାରଙ୍କ ଦୃଷ୍ଟି ଅଡୁଆଳରେ ରହିଯାଇଛି। ବର୍ଷ ତମାମ ଏଠାରେ ସରାକାରୀ ବାବୁଙ୍କ ପାଦ ପଡିନାହିଁ । ଯଦି ଆଗାମୀ ଦିନରେ ଦାବି ପୂରଣ ନହେଲେ ଅଞ୍ଚଳବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: