Bypoll To Nuapada Assembly / 'ବିଜେଡି କରୁଛି ଜୟଙ୍କ ଚରିତ୍ର ସଂହାର', ନବୀନ କାହିଁକି ଚୁପ୍ ବୋଲି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ

Key Points
ବିଜୟ ସଂକଳ୍ପ ସମାବେଶରେ ନବୀନଙ୍କୁ ନିଶାନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଲେ, ବିଜେଡି କରୁଛି ଜୟଙ୍କ ଚରିତ୍ର ସଂହାର, ହେଲେ ନବୀନ ଚୁପ୍ ।
ନୂଆପଡ଼ା: ବିଜେପିର ବଡ଼ ଶକ୍ତି ପ୍ରଦର୍ଶନ । ନୂଆପଡା ରଣରେ ଦମ ଦେଖାଇଲା ବିଜେପି । ବିଜୟ ସଂକଳ୍ପ ସମାବେଶରେ ନବୀନଙ୍କୁ ନିଶାନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଲେ, ବିଜେଡି କରୁଛି ଜୟଙ୍କ ଚରିତ୍ର ସଂହାର, ହେଲେ ନବୀନ ଚୁପ୍ । ସେପଟେ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି ଲମ୍ବୋଦରଙ୍କ ସମେତ ଶତାଧିକ ନେତା ଓ କର୍ମୀ ।
ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେପିର ବିଶାଳ ବିଜୟ ସଂକଳ୍ପ ସମାବେଶ । ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ମଇଦାନକୁ ଓହ୍ଲାଇଲେ ହେଭିୱେଟ । ସଭା ମଞ୍ଚରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ହୁଙ୍କାର । ବିଜେଡି ଓ ନବୀନ ପଟ୍ଟନାୟକଙ୍କୁ ଜୋରଦାର ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏଥିସହ ପଢ଼ନ୍ତୁ: ମନମୋହନଙ୍କ ନୂଆ ଟିମ୍ରେ କିଏ ? ୧୦ ଉପ ସଭାପତି, ୪ ସାଧାରଣ ସମ୍ପାଦକଙ୍କ ନାଁ ଘୋଷଣା
ମୁଖ୍ୟମନ୍ତ୍ରୀ କହିଛନ୍ତି, "ବିଜେଡି ନେତା ଜୟ ଢୋଲକିଆଙ୍କ ଚରିତ୍ର ସଂହାର କରି ଜୟଙ୍କ ଦେହରେ ରାଜୁ ଢୋଲକିଆଙ୍କ ରକ୍ତ ନାହିଁ ବୋଲି କହିଲେ । କିନ୍ତୁ ସବୁ ଶୁଣି ଚୁପ୍ ରହିଲେ ନବୀନ ।" ସେହିପରି ବିଜେଡି ଶାସନ ବେଳେ ହୋଇଥିବା ଉପନିର୍ବାଚନ ଗୁଡ଼ିକରେ ନବୀନ କିଭଳି ଦାୟିତ୍ଵ ନେବି ବୋଲି କହି ପରେ ନିଜ ପ୍ରତିଶ୍ରୁତିକୁ ଭୁଲି ଯାଉଥିଲେ ତା'ର ବି ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି "ଏ ନିର୍ବାଚନ ହେବ ଏକ ପାଖିଆ । ବିଜେଡି ସହ ନୁହେଁ, କେବଳ କଂଗ୍ରେସ ସହ ଲଢ଼େଇ ହେବ ।" ଆସନ୍ତା ୧୮ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ।
ଉପନିର୍ବାଚନ ପାଇଁ ମୈଦାନରେ ଲଢ଼େଇ ଆରମ୍ଭ ହୋଇଥିବା ବେଳେ ନୂଆପଡ଼ାରେ ଭୁଶୁଡ଼ିଛି ବିଜେଡି ସଂଗଠନ । ଜିଲ୍ଲା ବାହାର ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନବୀନ ପ୍ରାର୍ଥୀ କଲା ପରେ ଦଳ ଛାଡ଼ିଛନ୍ତି ନେତା, କର୍ମୀ । ୨୪ ନିର୍ବାଚନରେ ବିଜେଡିର କଳାହାଣ୍ଡି ସାଂସଦ ପ୍ରାର୍ଥୀ ତଥା ରାଜ୍ୟ ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ ଓ ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ଵରୀ ସାହୁ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି । ଏହାସହ ୪୦ରୁ ଊର୍ଦ୍ଧ୍ଵ ସରପଞ୍ଚ ସମିତି ସଭ୍ୟ ଓ ଶତାଧିକ କର୍ମୀ ବି ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି ।
ବିଜେପିର ପାୱାର ସୋ ଭିତରେ ବିଜେଡି ପ୍ରାର୍ଥୀ ଚୟନକୁ ନେଇ ପ୍ରଶ୍ନ ଉଠିଛି । ୨୪ ନିର୍ବାଚନରେ ଅତାବିରାରୁ ୨୯ ହଜାର ଭୋଟରେ ହାରିଥିବା ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରିଛି ଦଳ । ଜିଲ୍ଲା ବାହାର ନେତ୍ରୀଙ୍କୁ ପ୍ରାର୍ଥୀ କରାଯିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ନୂଆପଡ଼ା ବିଜେଡି ନେତା ଓ କର୍ମୀ ।
📱 Get Argus News App
✨ଏଥିସହ ପଢ଼ନ୍ତୁ: ପ୍ରଚଣ୍ଡ ଶବ୍ଦରେ ଥରିଲା ବାଲେଶ୍ଵର, ଭୟରେ ଘରୁ ବାହାରି ଆସିଲେ ଲୋକେ
ଅନେକ ଦଳ ଛାଡ଼ିଲେଣି, ପୁଣି ଆହୁରି ଆଗକୁ ଦଳ ଛାଡ଼ିବେ ବୋଲି ଗୋଡ଼ କାଢ଼ି ବସିଛନ୍ତି । ଏପରି ସ୍ଥିତିରେ ନୂଆପଡ଼ାରେ ତିନି ଦଳ ନୁହେଁ, ବରଂ କେବଳ ବିଜେପି ଓ କଂଗ୍ରେସ ଭିତରେ ଲଢ଼େଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି ।
ନଭେମ୍ବର ୧୧ ତାରିଖରେ ହେବ ନୂଆପଡ଼ା ଉପନିର୍ବାଚନ । ନଭେମ୍ବର ୧୪ରେ ଭୋଟ୍ ଗଣତି ହେବ । ଅକ୍ଟୋବର ୨୦ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ । ସେହିପରି ଅକ୍ଟୋବର ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ ଓ ଅକ୍ଟୋବର ୨୪ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିଛି ।
Related Topics
Explore more stories