ବିଚ୍ଛିନ୍ନାଞ୍ଚଳ ସ୍କୁଲରେ ଓଡିଆ ଭାଷା ବଞ୍ଚିବାକୁ କରୁଛି ସଂଘର୍ଷ

ଭୁବନେଶ୍ୱର: ବିଚ୍ଛିନ୍ନାଞ୍ଚଳ ଓଡିଆ ସ୍କୁଲରେ ଓଡିଆ ଭାଷାରେ ପଢାଯାଉନି । 222ଜଣ ପିଲାଙ୍କୁ ପଢେଇବା ପାଇଁ ଜଣେ ମାତ୍ର ଓଡିଆ ଶିକ୍ଷୟତ୍ରୀ । ସ୍କୁଲର ଭିତ୍ତି ଭୂମି କଥା ନକହିବା ଭଲ । ଓଡ଼ିଆ ଭାଷା ଲୋପ ପାଇଁ ଚାଲିଛି ଷଡଯନ୍ତ୍ର । ଝାଡଖଣ୍ଡରେ ଆଗକୁ ନିର୍ବାଚନ ରହିଛି । ବଡ ପ୍ରଶ୍ନ, ଓଡିଆ ଲୋକଙ୍କ ସ୍ବାର୍ଥ କିଏ କରିବ ସାଧନ । ଓଡିଶା ସରକାର କରିବେ କି ହସ୍ତକ୍ଷେପ ।
ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମି ଜିଲ୍ଲାରେ ଥିବା ଓଡ଼ିଆ ବହୁଳ କେରା ଗ୍ରାମରେ ୧୮୯୫ ମସିହାରେ ପ୍ରତିଷ୍ଠା ହୋଇଥିଲା ଏହି ଓଡ଼ିଆ ମାଧ୍ୟମ ବିଦ୍ୟାଳୟ। ୧୨୯ ବର୍ଷ ପୁରୁଣା ଏହି ବିଦ୍ୟାଳୟର ଅବସ୍ଥା ଏବେ ଶୋଚନୀୟ । ଓଡିଆ ଭାଷା ଏଠି ବଞ୍ଚିବା ପାଇଁ ସଂଘର୍ଷ କରୁଛି । ମାତୃଭାଷା ଓଡିଆ ଭାଷା ଲୋବ ପାଇଁ ଚାଲିଛି ଷଡଯନ୍ତ୍ର । 8ଟି ଶ୍ରେଣୀରେ ପିଲାଙ୍କୁ ପଢାଇବା ପାଇଁ ଜଣେ ଓଡିଆ ଶିକ୍ଷକ । ସମସ୍ତ ବିଷୟ ହିନ୍ଦୀ କିମ୍ବା ଇଂରାଜୀରେ ପଢାଯାଉଛି । ଝାଡଖଣ୍ଡ ସରକାର ଆଉ ଓଡିଆ ଶିକ୍ଷକ ନିଯୁକ୍ତି କରୁନାହାନ୍ତି । ଓଡିଆ ସମ୍ମିଳନୀ ସହାୟତାରେ ଜଣେ ମାତ୍ର ଶିକ୍ଷଯତ୍ରୀ ପଢଉଛନ୍ତି ଓଡିଆ । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଶିକ୍ଷୟତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୦୧୯ ମସିହାରେ ବିଦ୍ୟାଳୟର ୮ଟି ଶ୍ରେଣୀଗୃହରୁ ୬ଟିକୁ ଜରାଜୀର୍ଣ୍ଣ ଓ ବିପଦପୂର୍ଣ୍ଣ ଦର୍ଶାଇ ଝାଡ଼ଖଣ୍ଡ ସରକାର ଭାଙ୍ଗି ଦେଇଥିଲେ। ଇତି ମଧ୍ୟରେ 5 ବର୍ଷ ବିତିଲାଣି । ହେଲେ ଏଯାଏଁ ପୁନଃ ନିର୍ମାଣ ହୋଇନି । ଫଳରେ ୨ ଶହରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ତତ୍କାଳୀନ ସିଂହଭୂମି କେରା ରାଜ୍ୟର ରାଜା ଲକ୍ଷ୍ମୀ ନାରାୟଣ ସିଂହଦେବଙ୍କ ପ୍ରଚେଷ୍ଟାରେ ଅବିଭକ୍ତ ବିହାର ଓ ପଶ୍ଚିମବଙ୍ଗର ଏହା ଥିଲା ପ୍ରଥମ ଓଡ଼ିଆ ବିଦ୍ୟାଳୟ। ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଚକ୍ରଧରପୁରରେ ରହଣି ସମୟରେ ୧୯୧୨ ମସିହାରେ ଏହି ଓଡ଼ିଆ ବିଦ୍ୟାଳୟ ପଞ୍ଜିକୃତ ହୋଇ ସରକାରୀ ସ୍ଵୀକୃତି ପାଇଥିଲା । କିନ୍ତୁ ୧୯୩୬ରେ ବିହାର ଠାରୁ ଅଲଗା ହୋଇ ଝାଡଖଣ୍ଡ ଏକ ସ୍ଵତନ୍ତ୍ର ରାଜ୍ୟ ଗଠନ ହେବା ପରେ ଏହି ଓଡ଼ିଆ ବିଦ୍ୟାଳୟ ଅବହେଳାର ଶିକାର ହୋଇଥିଲା। ୧୯୯୯ ମସିହା ପର୍ଯ୍ୟନ୍ତ ଓଡ଼ିଆ ଭାଷୀଙ୍କ ଉଦ୍ୟମ କ୍ରମେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମାଧ୍ୟମରେ ଶିକ୍ଷାଦାନ ଚାଲିଥିଲା । ହେଲେ ୨୦୦୦ ମସିହାରେ ବିହାର ଠାରୁ ଅଲଗା ହୋଇ ସ୍ବତନ୍ତ୍ର ଝାଡ଼ଖଣ୍ଡ ରାଜ୍ୟ ଗଠନ ପରେ ଏହି ଶତାୟୁ ବିଦ୍ୟାଳୟର ଦୁର୍ଗତି ବଢିଲା। ଓଡ଼ିଆ ଶିକ୍ଷକ ପଦ ଧୀରେ ଧୀରେ ଉଚ୍ଛେଦ ହେଲା । ପର୍ଯ୍ୟାୟ କ୍ରମେ ଏହି ସଂପୂର୍ଣ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ହିନ୍ଦୀକରଣ କରାଗଲା । ବିଦ୍ୟାଳୟରେ ଏବେ ୨୨୨ ଜଣ ଓଡ଼ିଆ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି । ସେମାନଙ୍କୁ ଦୁଇଟି ଜରାଜୀର୍ଣ୍ଣ ଗୃହ ସହ ବାରଣ୍ଡାରେ ବସାଇ ଶିକ୍ଷାଦାନ ଚାଲିଛି ।
2011 ସେପେମ୍ବର 11ରେ ଝାଡଖଣ୍ଡ ସରକାର ଓଡିଆକୁ ଦିତୀୟ ରାଜଭାଷାର ମାନ୍ୟତା ଦେଲା.. ତେବେ ଏ ମାନ୍ୟତା କେବଳ କାଗଜ କଲମରେ । ଓଡିଆ ସ୍କୁଲରେ ଧୀରେ ଧୀରେ ପିଲାଙ୍କ ସଂଖ୍ୟା କମିଲା। ସ୍କୁଲରେ ନିମ୍ନମାନର ଭିତ୍ତିଭୂମି ଏବଂ ଓଡିଆ ଭାଷାରେ ପଢାଯାଉନଥିବା କାରଣରୁ ପିଲାମାନେ ଅନ୍ୟତ୍ର ଆଡମିଶନ କରୁଛନ୍ତି । ଆଗକୁ ଝାଡଖଣ୍ଡରେ ନିର୍ବାଚନ ଆସୁଛି । ଓଡିଆ ଲୋକଙ୍କ ସ୍ବାର୍ଥ କିଏ କରିବ ସାଧନ । ରାଜ୍ୟ ସରକାର କରିବେ କି ହସ୍ତକ୍ଷେପ ।
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର