Videos
|
Odisha

5T School Scam / 5T ସ୍କୁଲ ନାଁରେ କୋଟି କୋଟି ଟଙ୍କାର ମହାଘୋଟାଲା, ବିଧାନସଭାରେ ତଦନ୍ତ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
5T ସ୍କୁଲ ନାଁରେ କୋଟି କୋଟି ଟଙ୍କାର ମହାଘୋଟାଲା, ବିଧାନସଭାରେ ତଦନ୍ତ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ
5T School Scam

Key Points

5-T ସ୍କୁଲ ନାଁରେ କୋଟି କୋଟି ଟଙ୍କାର ହେରଫେର
ବିଧାନସଭାରେ ତଦନ୍ତ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ
ଖାଲି କାନ୍ଥରେ ରଙ୍ଗ ବୋଳି ଲୁଟ୍ ହୋଇଛି 5-T ପାଣ୍ଠି !

ଭୁବନେଶ୍ବର: 5T ସ୍କୁଲ ରୂପାନ୍ତରଣକୁ ନେଇ ବିଧାନସଭାରେ ଜୋରଦାର ଝଡ଼ । ପୂର୍ବ ସରକାରଙ୍କ ବହୁଚର୍ଚ୍ଚିତ 5-T ସ୍କୁଲ ଯୋଜନାରେ ବ୍ୟାପକ ଅର୍ଥ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଗୃହକୁ ସରଗରମ କରିଛନ୍ତି ଶାସକ ଦଳ ବିଧାୟକ । କେବଳ କାନ୍ଥରେ ରଙ୍ଗ ମାରି ଆସବାବପତ୍ର ମରାମତି ନାଁରେ କୋଟି କୋଟି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ଗୃହରେ ବଡ଼ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । 5-T ସ୍କୁଲ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ଅର୍ଥ ଆସିଛି, ହେଲେ ଖର୍ଚ୍ଚ ହୋଇନି । ଅଧିକାଂଶ ସ୍କୁଲ କେବଳ କାଗଜକଲମରେ 5-T । 5-T ସ୍କୁଲ ରୂପାନ୍ତରଣକୁ ନେଇ ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା ପ୍ରବଳ ବାକ୍‌ବିତଣ୍ଡା । ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଗୃହ ସରଗରମ ହୋଇଥିବା ବେଳେ ଏହାର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । 5-T ସ୍କୁଲରେ ହୋଇଥିବା ଅନିୟମିତତାର ତଦନ୍ତ ହେବ ଏବଂ ଟଙ୍କା ହେରଫେର ପଛରେ ଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ମନ୍ତ୍ରୀ ତଥ୍ୟ ରଖିଛନ୍ତି, 5-T ଯୋଜନାରେ CSR, OMBADC ପାଣ୍ଠି ସହ MGNREGS ଅର୍ଥ ଖର୍ଚ୍ଚ କରି ସ୍କୁଲ ରୂପାନ୍ତରଣ କରାଯାଇଥିଲା । ଏଥିପାଇଁ ୩୮୭ କୋଟି ୯୦ ଲକ୍ଷ ଟଙ୍କାର ପ୍ରୋଜେକ୍ଟ କଷ୍ଟ ରହିଥିବା ବେଳେ ପ୍ରକୃତ ବିନିଯୋଗ ପ୍ରମାଣପତ୍ର ବା UC କେତେ ରହିଛି, ତାହା ଏଯାଏଁ ସଂଗ୍ରହ କରାଯାଇ ପାରିନାହିଁ ।

ପୂର୍ବ ବିଜେଡି ସରକାରଙ୍କ ଡ୍ରିମ୍ ପ୍ରୋଜେକ୍ଟ ଥିଲା 5T ସ୍କୁଲ । ରୂପାନ୍ତରଣ ନାଁରେ କୋଟି କୋଟି ଟଙ୍କାର ଅନିୟମିତତା । CAG ଅଡିଟ୍‌ରେ ଧରାପଡ଼ିଥିଲା ଅର୍ଥ ଅପବ୍ୟୟ । କାମ ନକରି ଟଙ୍କା ଉଠାଯାଇଥିଲା । ଦୁଇ ବର୍ଷ ନପୁରୁଣୁ ଅନେକ ନିର୍ମାଣ ଭାଙ୍ଗିଲା । 5T କେଳେଙ୍କାରୀର କେତେକ ଉଦାହରଣ ନିଜ ରିପୋର୍ଟରେ ଉଲ୍ଲେଖ କରିଥିଲେ CAG । ଯାଜପୁରର ନନ୍ଦୀପୁର ହାଇସ୍କୁଲର 5T ରୂପାନ୍ତରଣ ପାଇଁ ପ୍ରାୟ ୩୦ ଲକ୍ଷ ଆସିଥିବାବେଳେ କାମ ନକରି ଟଙ୍କା ଆତ୍ମସାତ୍ ହୋଇଥିଲା । ଗଞ୍ଜାମରେ ୪୨ଟି ବିଦ୍ୟାଳୟକୁ ମ୍ୟାଚିଂ ଗ୍ରାଣ୍ଟ ବାବଦକୁ ଏପ୍ରିଲ ୨୦୨୨ରେ ଦିଆଯାଇଥିଲା ୧୮.୯୩ କୋଟି । ତେବେ ପାଣ୍ଠି ଆବଣ୍ଟନରେ ପାରଦର୍ଶିତା ନ ଥିବା ଉଲ୍ଲେଖ କରିଥିଲେ CAG । ଖାଲି ଏତିକି ନୁହେଁ ବେସରକାରୀ କଲେଜ 5T ଯୋଜନା ପରିସରଭୁକ୍ତ ନଥିବାବେଳେ ୫୭.୯୫ ଲକ୍ଷ ଟଙ୍କା ଦିଆଯାଇଥିଲା। ଗୋଟିଏ ଇ-କଣ୍ଟେଣ୍ଟକୁ ଦୁଇଥର କିଣାଯାଇଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିଛି ସ୍ଥାନରେ 5-T ନାଁରେ କେବଳ କାନ୍ଥ ରଙ୍ଗ ମରା ଓ ଆସବାବପତ୍ର ମରାମତି ନାଁରେ କୋଟି କୋଟି ଟଙ୍କା ହେରଫେର ହୋଇଥିବା ସାମ୍ନାକୁ ଆସିଛି। ଏବେ ମନ୍ତ୍ରୀଙ୍କ ତଦନ୍ତ ଘୋଷଣା ପରେ କେଉଁ କେଉଁ ଅଧିକାରୀ ଓ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ।