Videos
|
Odisha

Odisha Assembly / ଗୃହ ଭିତରେ ହଟ୍ଟଗୋଳ, ବାହାରେ ନାଟକ...ଏହା ଜନସେବା ନା ରାଜନୈତିକ ଷ୍ଟଣ୍ଟ ?

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଗୃହ ଭିତରେ ହଟ୍ଟଗୋଳ, ବାହାରେ ନାଟକ...ଏହା ଜନସେବା ନା ରାଜନୈତିକ ଷ୍ଟଣ୍ଟ ?
Odisha Assembly

Key Points

ଆଲୋଚନାକୁ ଭୟ କରୁଛନ୍ତି କି ବିଜେଡି-କଂଗ୍ରେସ ?
୧୦ ବର୍ଷରେ ଖଣିରୁ ଆସିଛି ୩ ଲକ୍ଷ କୋଟିରୁ ଅଧିକ ରାଜସ୍ୱ
କିନ୍ତୁ ବିତର୍କରୁ ପଳାୟନ କରୁଛନ୍ତି ବିରୋଧୀ
ସରକାର କହୁଛନ୍ତି ଆମେ ପ୍ରସ୍ତୁତ । କିନ୍ତୁ ଜିଦରେ ଅଟଳ ବିରୋଧୀ । ତିନି ଦିନ ହେଲା ଗୃହ ଅଚଳ । ଏମଏମଡିଆର ସଂଶୋଧନ ନେଇ ଆଲୋଚନାକୁ ଆସୁନାହାନ୍ତି । ହଟ୍ଟଗୋଳ କରି ଗୃହକୁ ବନ୍ଦ କରୁଛନ୍ତି । ଆଉ ବାହାରେ ନାଟକ କରୁଛନ୍ତି । ଯାହାକୁ ନେଇ ଉଭୟ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । ଅନ୍ୟପଟେ ମନ୍ତ୍ରୀ ରଖିଥିବା ଲିଖିତ ଉତ୍ତରରୁ ଜଣାପଡିଛି, ଖଣିରୁ ଗତ ୧୦ ବର୍ଷରେ ଆସିଥିବା ରାଜସ୍ବ ରାଜ୍ୟର ଗୋଟିଏ ବର୍ଷର ବଜେଟ । ଶାସକ ଦଳ ବିଧାୟକଙ୍କ ଅଭିଯୋଗ, ଏହା କ'ଣ ପୂର୍ବ ସରକାରଙ୍କ ଖଣି ଲୁଟ୍ ଓ ଦୁର୍ନୀତିର କଳା ଅଧ୍ୟାୟକୁ ଲୁଚାଇବାର ଏକ ସୁଚିନ୍ତିତ ପ୍ରୟାସ ?

ଓଡ଼ିଶା ବିଧାନସଭାରେ ଏମଏମଡିଆର ଆଇନ ସଂଶୋଧନ ପ୍ରସଙ୍ଗକୁ ନେଇ ଶାସକ ବିଜେପି ଏବଂ ବିରୋଧୀ ବିଜେଡି - କଂଗ୍ରେସ ମଧ୍ୟରେ ରାଜନୈତିକ ଘମାସାନ ଜାରି ରହିଛି । ସରକାର ଆଲୋଚନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହୁଥିବା ବେଳେ, ବିରୋଧୀ ଜିଦ୍‌ରେ ଅଟଳ ରହି କ୍ରମାଗତ ତିନି ଦିନ ହେଲା ଗୃହକୁ ଅଚଳ କରି ରଖିଛନ୍ତି । ପ୍ରଥମ ଦିନ ୪୭ ମିନିଟ୍, ଦ୍ୱିତୀୟ ଦିନ ୧୧ ମିନିଟ୍ ଏବଂ ତୃତୀୟ ଦିନ ମାତ୍ର ୧୬ ମିନିଟ୍ ଚାଲିବା ପରେ ଗୃହ ମୁଲତବୀ ହୋଇଛି । ପ୍ରଶ୍ନକାଳ ଆରମ୍ଭରୁ ରିପୋର୍ଟର ଟେବୁଲ୍ ଉପରକୁ ଚଢ଼ି ପ୍ରତିବାଦ କରିବା ଏବଂ ବାତ୍ୟା ଓ ବର୍ଷା ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀଙ୍କ ଉତ୍ତରକୁ ମଧ୍ୟ ବାଧା ଦେବା ବିରୋଧୀଙ୍କ ପ୍ରକୃତ ଉଦ୍ଦେଶ୍ୟ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହି ହଟ୍ଟଗୋଳ ଭିତରେ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଲିଖିତ ଉତ୍ତର ରଖି ସ୍ପଷ୍ଟ କରିଛନ୍ତି ଯେ, ଗତ ୧୦ ବର୍ଷ ଭିତରେ ରାଜ୍ୟର ଖଣିରୁ ୩ ଲକ୍ଷ ୨୮ ହଜାର ୯୭୨ କୋଟିରୁ ଅଧିକ ରାଜସ୍ୱ ଆସିଛି, ଯାହା ରାଜ୍ୟର ଗୋଟିଏ ବର୍ଷର ବଜେଟ୍ ସହ ସମାନ । ଏହାକୁ ନେଇ ବିଜେପି ବିଧାୟକମାନେ ବିରୋଧୀଙ୍କୁ କଡ଼ା ଭାଷାରେ ଟାର୍ଗେଟ୍ କରିଛନ୍ତି । ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି ଯେ ବିରୋଧୀଙ୍କ ଏଜେଣ୍ଡା ଓଡ଼ିଶାର ସ୍ୱାର୍ଥ ନୁହେଁ, ବରଂ ସଂକୀର୍ଣ୍ଣ ଦଳୀୟ ସ୍ୱାର୍ଥ । ସେହିପରି ବିଧାୟକ ପଦ୍ମଲୋଚନ ପଣ୍ଡା ସିଧାସଳଖ ଆକ୍ରମଣ କରି କହିଛନ୍ତି ଯେ ପୂର୍ବ ସରକାରର ଖଣି ଲୁଟ୍ ଓ ଦୁର୍ନୀତିର କଳା ଅଧ୍ୟାୟକୁ ଲୁଚାଇବା ପାଇଁ ଜାଣିଶୁଣି ବିଧାନସଭାକୁ ବନ୍ଦ କରାଯାଉଛି ।

ବଡ଼ କଥା ହେଲା ଆଜି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଖଣି ବିଭାଗର ପ୍ରଶ୍ନ କାର୍ଯ୍ୟକ୍ରମ ବି ଥିଲା । କିନ୍ତୁ ଉଭୟ ଦଳ ସହଯୋଗ ନକରି ଗୃହକୁ ଅଚଳ କରିଥିଲେ । ଏମିତିକି ବର୍ତ୍ତମାନ ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ବର୍ଷା ବାତ୍ୟାକୁ ନେଇ ରାଜସ୍ବ ମନ୍ତ୍ରୀଙ୍କୁ ମଧ୍ୟ ଉତ୍ତର ରଖିବାକୁ ଦେଇନଥିଲେ ବିରୋଧୀ । ତେଣୁ ଏମଏମଡ଼ିଆରକୁ ନେଇ ବିରୋଧୀଙ୍କ ଆଭିମୁଖ୍ୟ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: