ଓଡ଼ିଶା ପାଳିଲା ୭୮ତମ ସ୍ଵାଧୀନତା ଦିବସ

- ଓଡ଼ିଶା ପାଳିଲା ୭୮ ତମ ସ୍ଵାଧୀନତା ଦିବସ
- ଓଡିଶାବାସୀଙ୍କୁ ଓଡ଼ିଆରେ ଉଦବୋଧନ ଦେଲେ ଖାଣ୍ଟି ଓଡ଼ିଆ ମୁଖ୍ୟମନ୍ତ୍ରୀ
- କହିଲେପ୍ରଚାର ସର୍ବସ୍ବ ବିକାଶର ରାସ୍ତାକୁ ଛାଡ଼ି, କର୍ମ ସର୍ବସ୍ବ ରାସ୍ତାକୁ ବାଛିଲେ ଓଡ଼ିଶାବାସୀ
- ଓଡ଼ିଆ ଅସ୍ମିତା ଉପରେ କୁଠାରାଘାତ ପରେ ଓଡ଼ିଶା ଜାତିର ହୋଇଛି ନୂଆ ଜାଗରଣ
- ପୁନଃ ପ୍ରତିଷ୍ଠା ହୋଇଛି ଓଡ଼ିଆ ଅସ୍ମିତା
- ଓଡ଼ିଶାବାସୀଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏକାଧିକ ବଡ଼ ବଡ଼ ଘୋଷଣା
- ବିକାଶ ରାସ୍ତାରେ ୩ ବଡ଼ ମାଇଲ ଖୁଣ୍ଟ, ୨୦୨୯, ୨୦୩୬, ୨୦୪୭
ଅର୍ଗସ ବ୍ୟୁରୋ: ରାଜ୍ୟ ସ୍ତରୀୟ ସ୍ଵାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜଧାନୀ ଗାନ୍ଧୀ ମାର୍ଗରେ ହଜାର ହଜାର ଓଡ଼ିଆ ଦେଶ ପ୍ରେମୀଙ୍କୁ ଦେଲେ ଉଦବୋଧନ । ସାଧାରଣ ଲୋକଙ୍କୁ ଭେଟି ସ୍ଵାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ । ପ୍ୟାରେଡରେ ଭାଗ ନେଇଥିବା ୫୮ କଣ୍ଟିଜେଣ୍ଟ ଠାରୁ ଅଭିବାଦନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ । ଦେଶ ତଥା ରାଜ୍ୟର ବରପୁତ୍ର, ସ୍ଵାଧୀନତା ସଂଗ୍ରାମୀ ଏବଂ ବୀର ଶହୀଦ ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ମୋହନ । ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି, ଆଜି ଆମ ପାଇଁ ଆହ୍ୱାନ ଓ ଜାଗରଣର ଦିନ । ଓଡ଼ିଆ ଜାତି ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିବା ସହ ଓଡିଆ ଅସ୍ମିତା ଓ ସ୍ବାଭିମାନ ସହିତ ବିକାଶର ଶିଖର ଛୁଇଁବାକୁ ଶପଥ ନେଇଛି । ଓଡ଼ିଶା ଆଜି ପରିବର୍ତ୍ତନର ପଥରେ ଯାତ୍ରା ଆରମ୍ଭ କରିଛି । ଓଡ଼ିଶାବାସୀ ପ୍ରଚାର ସର୍ବସ୍ୱ ବିକାଶର ରାସ୍ତାରୁ ବାହାରି ଆଜି କର୍ମ ସର୍ବସ୍ୱ ବିକାଶ ପାଇଁ ରାସ୍ତା ବାଛିଛନ୍ତି।
ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟବାସୀଙ୍କୁ ଆହ୍ଵାନ କଲେ ମୁଖ୍ୟମନ୍ତ୍ରୀ । ୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପହଞ୍ଚିବା ପାଇଁ ଧାର୍ଯ୍ୟ ହୋଇଛି ଲକ୍ଷ୍ୟ । ୨୦୩୬ ଏବଂ ୨୦୪୭ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି ଦୁଇଟି ଭିଜନ ଡକ୍ୟୁମେଣ୍ଟ । ଏଥିପାଇଁ ସରକାର ପ୍ରସ୍ତୁତ କରିବେ ସ୍ଵତନ୍ତ୍ର ୱେବ୍ ପୋର୍ଟାଲ । ବିକଶିତ ଓଡ଼ିଶା ଗଠନ ପାଇଁ ମତାମତ ଦେବେ ରାଜ୍ୟବାସୀ । ଏହାସହ ୫୦ ହଜାର କୋଟିରୁ ଅଧିକ ଟଙ୍କାର ରାଜପଥ ନିର୍ମାଣ ପାଇଁ ପ୍ରସ୍ତାବ ଭାରତ ସରକାରଙ୍କୁ ଦିଆଯାଇଛି । ଓଡ଼ିଶାର ବେଳାଭୂମି ଓ ଜଳ ସମ୍ପଦର ବିକାଶ ମାଧ୍ୟମରେ ନୀଳ ଅର୍ଥନୀତି ବା ବ୍ଲୁ ଇକୋନୋମିର ବିକାଶ ମଧ୍ୟ ଆମର ଅନ୍ୟତମ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ବିକାଶ ପଥରେ ଓଡ଼ିଶାକୁ ଆଗେଇ ନେବା ପାଇଁ ଏକାଧିକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଦିବାସୀବହୁଳ ଜିଲ୍ଲା ମାନଙ୍କର ସାମୁହିକ ବିକାଶ ପାଇଁ PESA ଆଇନ ଲାଗୁ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ସରକାର । ଆଗାମୀ ୫ ବର୍ଷରେ ୫୦୦ ଆଦିବାସୀ ଗ୍ରାମ 'ଆଦର୍ଶ ଆଦିବାସୀ ଗ୍ରାମ' ଭାବେ ହେବ ବିକଶିତ । ରାଜ୍ୟରେ କ୍ରୀଡାର ବିକାଶ ପାଇଁ ୧ ହାଜର କୋଟି ଟଙ୍କାରେ ୧୨୦ ଏକର ଜାଗାରେ ତିଆରି ହେବ ନୂତନ ବିଶ୍ବସ୍ତରୀୟ ବହୁମୁଖୀ ଷ୍ଟାଡିଅମ । ଏଥିରେ ଖେଳାଳି ମାନଙ୍କ ସହ ସାଧାରଣ ଲୋକ ମଧ୍ୟ କରି ପାରିବେ ଅଭ୍ୟାସ । ଏହାସହ ପ୍ରତି ଜିଲ୍ଲାରେ ନିର୍ମାଣ ହେବ ଜାତୀୟ ସ୍ତରୀୟ ଷ୍ଟାଡିୟମ୍ । ୧୯୭୫ ଏମର୍ଜେନ୍ସି ବେଳେ ଜେଲ୍ ଦଣ୍ଡ ଭୋଗିଥିବା ଲୋକଙ୍କୁ ସମ୍ମାନ ଜଣାଇବା ପାଇଁ ପେନ୍ସନ୍, ମାଗଣା ସ୍ୱାସ୍ଥ୍ୟ ସେବା ଏବଂ ଫ୍ରି ବସ୍ ପାସ୍ ସୁବିଧା କରିବେ ସରକାର ।
📱 Get Argus News App
✨ସରକାର ଦେଇଥିବା ପ୍ରତ୍ୟେକ ପ୍ରତିଶ୍ରୁତି ପାଳନର ଗ୍ୟାରେଣ୍ଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ମୁଁ, ମାଟିର ମଣିଷ । ଏ ମାଟି, ମୋର ମା’ । ମୁଁ, ଖାଣ୍ଟି ଓଡ଼ିଆ । ମୋ ମାଟିର ସ୍ବାର୍ଥ ପାଇଁ, ମୁଁ ଲଢେଇ କରିବା ଜାଣିଛି । ମୋ ମାଟିର ପୁଅ ଝିଅଙ୍କ ପାଇଁ କାମ କରିବା ଜାଣିଛି । ମୁଁ ବଡ଼ ବଡ଼ ସ୍ବପ୍ନ ଦେଖାଇବାରେ ବିଶ୍ବାସ କରେ ନାହିଁ । କିନ୍ତୁ ଯାହା ପ୍ରତିଶ୍ରୁତି ଦେବି, ତାକୁ ନିଶ୍ଚୟ ପାଳନ କରିବି । ଆପଣଙ୍କ ସରକାର ଆପଣଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାକୁ ଗୋଟିଏ ଗୋଟିଏ କରି ପାଳନ କରି ଚାଲିଛନ୍ତି, ଆମର ପ୍ରତିଶୃତି ପଥରରେ ଅଙ୍କା ହୋଇଥିବା ଚିତ୍ର ପରି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: