Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Farmers Crisis / ବିଲରେ ହସୁଛି ଲଙ୍କା, କାନ୍ଦୁଛି ଚାଷୀ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ବିଲରେ ହସୁଛି ଲଙ୍କା, କାନ୍ଦୁଛି ଚାଷୀ
Green Chilli

Key Points

ଗଂଜାମରେ ଲଙ୍କା ଚାଷୀଙ୍କ ଦୁର୍ଦ୍ଦଶା
କିଲୋ ପ୍ରତି ୧୨ ରୁ ୧୫ ଟଙ୍କାରେ ବିଲ ମୁଣ୍ଡରେ ଚାଷି ବିକୁଛି ଲଙ୍କା
ଚାଷୀ ଆଖିରେ ଲୁହ ଆଣିଛି କଞ୍ଚାଲଙ୍କା
ବିଲରେ ଲଙ୍କା ହସୁଛି, ହେଲେ ଚାଷୀ ଆଖିରେ ଲୁହ । ଗଞ୍ଜାମ ଜିଲ୍ଲାରେ ଏବେ କଞ୍ଚାଲଙ୍କା ଚାଷୀଙ୍କ ଅବସ୍ଥା ବେହାଲ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ ତ ଅମଳ କଲେ, ହେଲେ ବିକ୍ରି ବେଳକୁ ଚାଷୀ ହେଉଛି ଅଭାବୀ ବିକ୍ରିର ଶିକାର । ଯେଉଁ ଲଙ୍କା କିଛି ଦିନ ତଳେ କିଲୋ ପ୍ରତି ୯୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ ତାହା ମାତ୍ର ୧୨ ରୁ ୧୫ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛି ଚାଷୀ । ବାହାର ରାଜ୍ୟକୁ ରପ୍ତାନି ବନ୍ଦ ହେବା ସହ ସ୍ଥାନୀୟ ବେପାରୀଙ୍କ ମନମାନି ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି ।

ଲଙ୍କା ଜମିରେ ହସୁଛି ନୀଳ, ନାଲି ଲଙ୍କା । ହେଲେ କାନ୍ଦୁଛି ଚାଷୀ । ଗଞ୍ଜାମର ପ୍ରାୟ ୧୦ଟି ବ୍ଲକର ଏକର ଏକର ଜମିରେ ହେଉଛି ଲଙ୍କା ଚାଷ । ଜମି ମୁଣ୍ଡରେ ଚାଷୀ ୯୦ ଟଙ୍କାରେ ବିକୁଥିଲା କଞ୍ଚା ଲଙ୍କା । ଏବେ କିଲୋ ୧୫ ଟଙ୍କା, କିନ୍ତୁ ଆସୁନାହିଁନ୍ତି ବେପାରୀ ।

ଛତ୍ରପୁର, ଆସିକା, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁରରେ ଲଙ୍କା ଚାଷୀଙ୍କ ଦୁଃଖକୁ ପାଖରୁ ପରଖିଥିଲା ଅର୍ଗସ କ୍ୟାମେରା ଟିମ୍ । ଏହିଠୁ ଚାଷୀଙ୍କ ପାଖରୁ ଲଙ୍କା ନେଇ ବେପାରୀ ରାଜ୍ୟର ଅନ୍ୟ ଅଞ୍ଚଳକୁ ପଠାଉଥିଲେ । ମୁମ୍ବାଇ ଓ ରାଜସ୍ଥାନ ବି ଯାଉଥିଲା ଗଞ୍ଜାମ ଲଙ୍କା । ୨୦ ଦିନ ହେବ ଗାଁର ଛୋଟ ମଣ୍ଡିକୁ ଆଉ ଆସୁନାହାଁନ୍ତି ବେପାରୀ ।
କାହିଁକି ହଠାତ କମିଗଲା ଗଂଜାମ ଲଙ୍କାର ଆଦର । ଏଥର ଗତ ବର୍ଷ ତୁଳନାରେ ଅଧିକ ହୋଇଛି ଲଙ୍କା ଚାଷ । ପ୍ରାୟ ୮ରୁ ୧୦ ହଜାର ହେକ୍ଟରରେ ହୋଇଛି ଲଙ୍କା ଚାଷ । ହେକ୍ଟର ପିଛା ୧୫ରୁ ୧୮ ଟନ୍ ଉତ୍ପାଦନ ହେଉଛି । ଦୟା କିସମର ଲଙ୍କା ଅଧିକ ଅମଳ ଦେଉଥିବାରୁ ଚାଷୀ ଏହାକୁ ଚାଷ କରିଛି । ହେଲେ ଏହି ସମୟରେ ସୁରଟରେ ଲଙ୍କା ଉତ୍ପାଦନ ଅଧିକ ହୋଇଥିବାରୁ ଗଞ୍ଜାମ ଲଙ୍କାର ଚାହିଦା କମିଯାଇଛି । ସ୍ଥାନୀୟ ବେପାରୀ ବି ମଉକା ଦେଖି ମନମାନି କରୁଛନ୍ତି । ରଖିବାକୁ ସ୍ଥାନ ନ ଥିବାରୁ ଚାଷୀ ବାଧ୍ୟ ହେଉଛି କମ୍ ଦାମରେ ବିକିବାକୁ ।

କିଛି ଦଲାଲ ଚାଷୀଙ୍କ ପାଖରୁ ୧୫ କିମ୍ବା ୨୦ ଟଙ୍କାରେ କଞ୍ଚା ଲଙ୍କା କିଣି ନେଉଥିବା ବେଳେ ବଜାରରେ ଏହାକୁ ୩୦ରୁ ୪୦ ଟଙ୍କାରେ ବିକ୍ରି କରୁଛନ୍ତି । ଏବେ ସ୍ଥିତି ଏମିତି ହୋଇଛି ଯେ ବିହନ ଓ ସାର ଖର୍ଚ୍ଚ ବି ଉଠୁନି । ରାୟଗଡ଼ାରେ ପଣସ ଓ କେନ୍ଦ୍ରାପଡାର ରାଜନଗରରେ କିଛି ଦିନ ତଳେ ଟମୋଟୋ ଚାଷୀ ହୋଇଥିଲା ଅଭାବୀ ବିକ୍ରିର ସମ୍ମୁଖୀନ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ବିଲରେ ଖଟୁଛି ହେଲେ ଅମଳ ବେଳ କାହିଁକି ହେଉଛି ଅଭାବୀ ବିକ୍ରିର ଶିକାର ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chilli Prices Crash in Odisha: Farmers Forced to Sell at Huge Loss | Argus News