Videos
|
Odisha

Cyclone Akwan / ବାତ୍ୟା ‘ଆକୱାନ୍’କୁ ନେଇ ଆଲର୍ଟ ମାଲକାନଗିରି, ୨ ଦିନ ସ୍କୁଲ୍‌ ଓ କଲେଜ ବନ୍ଦ

Santosh Kumar Sahoo
Browse all articles by Santosh Kumar Sahoo
·35 mins ago·2 min read
ବାତ୍ୟା ‘ଆକୱାନ୍’କୁ ନେଇ ଆଲର୍ଟ ମାଲକାନଗିରି, ୨ ଦିନ ସ୍କୁଲ୍‌ ଓ କଲେଜ ବନ୍ଦ
Cyclone Akwan

Key Points

ବାତ୍ୟା ଆକୱାନ୍‌ ପାଇଁ ଆଗୁଆ ପ୍ରସ୍ତୁତି
ମଦ ଦୋକାନଠୁ ଜଳକ୍ରୀଡ଼ା ସବୁ ବନ୍ଦ
ବନ୍ଦ ରହିବ ସ୍କୁଲ୍‌, କଲେଜ


ବାତ୍ୟା ଆକଓ୍ବାନ୍‌କୁ ଦୃଷ୍ଟିରେ ଆଗୁଆ ସଜାଗ ହୋଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ନଭେମ୍ବର ୧୮ରୁ ୨୧ ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ପବନ ଏବଂ ଆକସ୍ମିକ ବନ୍ୟାର ଆଶଙ୍କା ଥିବାରୁ ଜିଲ୍ଲାରେ ଜାରି ହୋଇଛି ଏକାଧିକ ସତର୍କତାମୂଳକ କଟକଣା । ନଭେମ୍ବର ୧୯ ଓ ୨୦ ତାରିଖରେ ସମସ୍ତ ଶିକ୍ଷାନୁଷ୍ଠାନ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ହୋଇଛି ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାର ୪ଟି ବ୍ଲକ୍‌ରେ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି ଜିଲ୍ଲାପାଳ । କାଲିମେଳା ବ୍ଲକ୍‌ ଦାୟିତ୍ୱରେ ଏଡିଏମ୍ ସୋମନାଥ ପ୍ରଧାନ, ଚିତ୍ରକୋଣ୍ଡା ବ୍ଲକ୍‌ ଦାୟିତ୍ୱରେ ଏଡିଏମ୍ ବେଦବର ପ୍ରଧାନ, ମାଲକାନଗିରି ବ୍ଲକ୍‌ ଦାୟିତ୍ୱରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥୀ ସରାବୁ ଏବଂ ମାଥିଲି ବ୍ଲକ୍‌ ଦାୟିତ୍ୱରେ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇଙ୍କୁ ନିୟୋଜିତ କରାଯାଇଛି । ଏହି ଅଧିକାରୀମାନେ ନିଜ ନିଜ ବ୍ଲକ୍‌ରେ ରହି ପାଣିପାଗ ଓ ପରିସ୍ଥିତି ଉପରେ ନଜର ରଖିବା ସହ ବିଡିଓ, ତହସିଲଦାର ଏବଂ ଅନ୍ୟ ବିଭାଗ ସହ ସମନ୍ୱୟ ରକ୍ଷା କରିବେ ।

ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନଭେମ୍ବର ୧୯ ଓ ୨୦ ତାରିଖରେ ଜିଲ୍ଲାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ୍‌, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ତେବେ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀ ଓ ଅଙ୍ଗନବାଡ଼ି କର୍ମୀ ନିୟମିତ ଭାବେ କାର୍ଯ୍ୟରେ ଯୋଗଦେବେ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯିବ ।

ସେହିପରି ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ନଭେମ୍ବର ୧୯ ଓ ୨୦ ତାରିଖରେ ଜିଲ୍ଲାର ସମସ୍ତ ଆଇଏମ୍‌ଏଫ୍‌ଏଲ୍‌, ବିୟର ଓ ଦେଶୀ ମଦ ଦୋକାନ ବନ୍ଦ ରଖିବାକୁ ଅବକାରୀ ବିଭାଗକୁ ନିର୍ଦ୍ଦେଶ ହୋଇଛି । ବର୍ଷା ଓ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ସାତିଗୁଡ଼ା, ଚିତ୍ରକୋଣ୍ଡା ଓ ଧନୁର୍ଜୟଗୁଡ଼ାରେ ସମସ୍ତ ଜଳକ୍ରୀଡ଼ା କାର୍ଯ୍ୟକଳାପକୁ ମଧ୍ୟ ତୁରନ୍ତ ବନ୍ଦ କରାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ମୁଖ୍ୟାଳୟ ଛାଡ଼ିବା ଅନୁମତିକୁ ବାତିଲ କରିଛନ୍ତି ଜିଲ୍ଲାପାଳ। ବିନା ଅନୁମତିରେ କୌଣସି ଅଧିକାରୀ ନିଜ କାର୍ଯ୍ୟସ୍ଥଳ ଛାଡ଼ି ପାରିବେ ନାହିଁ। ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ମୁଖ୍ୟାଳୟରେ ରହି ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିବେ ।