Videos
|
Odisha

Odisha Electricity Workers Protest / ରାଜଧାନୀ ଛାତି ଉପରେ ହାଇଭୋଲଟେଜ୍ ଡ୍ରାମା, ଟାୱାର ଉପରେ ଚଢ଼ି ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ପ୍ରତିବାଦ

Santosh Kumar Sahoo
Browse all articles by Santosh Kumar Sahoo
·27 mins ago·2 min read
ରାଜଧାନୀ ଛାତି ଉପରେ ହାଇଭୋଲଟେଜ୍ ଡ୍ରାମା, ଟାୱାର ଉପରେ ଚଢ଼ି ଠିକା ବିଦ୍ୟୁତ୍ କର୍ମଚାରୀଙ୍କ ପ୍ରତିବାଦ
Odisha Electricity Workers Protest

Key Points

ରାଜଧାନୀରେ ଟାୱାର ପ୍ରତିବାଦ
କେବେ ଶବ ସାଜି, ତ ଆଉକେବେ ଟାୱାର ଉପରେ ଚଢ଼ି..
ନିଜ ଦାବି ରଖିବାକୁ ବଦଳାଇଲେ ପ୍ରତିବାଦର ସ୍ବରୂପ

ଭୁବନେଶ୍ବର: କେତେବେଳେ ଶବ ସାଜି ଜୁଇ ଉପରେ ବସି ପ୍ରତିବାଦ, ତ ଆଉ କେତେବେଳେ ଟାୱାର ଉପରେ ଚଢ଼ି ଜୀବନକୁ ବାଜି ଲଗାଇବାର ଉଦ୍ୟମ । ନିଜ ଦାବି ପୂରଣ ପାଇଁ ଏବେ ଏମିତି ଅଭିନବ ଢଙ୍ଗରେ ପ୍ରତିବାଦ କରୁଛନ୍ତି ଅଲ୍ ଓଡ଼ିଶା ବିଦ୍ୟୁତ୍ ଠିକା କର୍ମଚାରୀ । ଦୀର୍ଘ ୫୬ ଦିନ ହେଲା ରାଜଧାନୀର ଗାନ୍ଧୀମାର୍ଗରେ ଚାଲିଛି ଆନ୍ଦୋଳନ । ହେଲେ ଦାବି ପୂରଣ ନ ହେବାରୁ ଆନ୍ଦୋଳନର ତୀବ୍ରତା ବଢ଼ିଛି । ଟାୱାର ଉପରେ ଚଢ଼ି ପ୍ରତିବାଦ କରିଛନ୍ତି  କର୍ମଚାରୀ ।

ବ୍ୟସ୍ତବହୁଳ ରାଜଧାନୀର ରାସ୍ତାରେ ଗାଡ଼ିମୋଟରର ଭିଡ଼, ଲୋକଙ୍କ ଯାତାୟତ । ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ । ହେଲେ ଏହି ବ୍ୟସ୍ତତା ଭିତରେ ହଠାତ୍ ଏମିତି କିଛି ଦୃଶ୍ୟ, ଯାହା ଅଟକାଇ ଦେଇଛି ସମସ୍ତଙ୍କ ନଜର । ଉଚ୍ଚ ବିଦ୍ୟୁତ୍ ଟାୱାର ଉପରେ ଚଢ଼ି ପ୍ରତିବାଦ କରୁଛନ୍ତି ଠିକା ବିଦ୍ୟୁତ୍ କର୍ମଚାରୀ । କେବଳ ଗୋଟିଏ ସ୍ଥାନ ନୁହେଁ, ଉତ୍ତରା ସିଫା ଛକ, ସତ୍ୟବିହାର ଏବଂ ଖୋର୍ଦ୍ଧାର ପିତାପଲ୍ଲୀ ଛକ ନିକଟରୁ ମଧ୍ୟ ଆସିଛି ଏଭଳି ଦୃଶ୍ୟ । ଟାୱାର ଉପରେ ଚଢ଼ିଥିବା କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ତଳକୁ ଓହ୍ଲାଇବା ପାଇଁ ଅଗ୍ନିଶମ ବାହିନୀ ଓ ପୋଲିସ ନାକେଦମ୍ ହୋଇଛି ।

୫୬ ଦିନର ଆନ୍ଦୋଳନ । ତଥାପି ମିଳୁନି ସମାଧାନର ବାଟ । ନ୍ୟାୟ ଦାବିରେ ରାଜରାସ୍ତାରେ ବସିଛନ୍ତି ଶହ ଶହ ଠିକା ବିଦ୍ୟୁତ୍ କର୍ମଚାରୀ । କେବେ ଶବ ସାଜି ଜୁଇ ଉପରେ ଶୋଇ ପ୍ରତିବାଦ କରିଥିଲେ, ଆଉ ଏବେ ଟାୱାର ଉପରେ ଚଢ଼ି ନିଜ ଦାବି ଜଣାଇଛନ୍ତି । ରାଜଧାନୀ ସମେତ ବିଭିନ୍ନ ଜାଗାରୁ ଆସିଛି ଏଭଳି ଦୃଶ୍ୟ । ଅନ୍ୟପଟେ ଆନ୍ଦୋଳନକୁ ନେଇ ସ୍ପଷ୍ଟୀକରଣ ରଖିଛି ଟିପିସିଓଡିଏଲ୍ ।

କମ୍ପାନୀର କହିବା ଅନୁସାରେ କୌଣସି କର୍ମଚାରୀଙ୍କୁ ଛଟେଇ କରାଯାଉନାହିଁ । ଭବିଷ୍ୟତରେ ମଧ୍ୟ କାହାକୁ ଛଟେଇ କରାଯିବନି । କେବଳ ୩୭୪ ଜଣ କର୍ମଚାରୀଙ୍କ ବଦଳି ପ୍ରକ୍ରିୟା ଚାଲିଛି । ଏବେ କମ୍ପାନୀରେ ମୋଟ ୧୫ ହଜାର ୩୦୦ କର୍ମଚାରୀ କାର୍ଯ୍ୟରତ ଏବଂ ସେମାନଙ୍କ ମଧ୍ୟରୁ କାହାରିକୁ ଛଟେଇ କରାଯାଇନାହିଁ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଭଳି ଚିତ୍ର ସାମ୍ନାକୁ ଆସିବା ରପରେ ଶୀଘ୍ର ଆଲୋଚନା କରି ସରକାର ସମାଧାନର ବାଟ କାଢନ୍ତୁ ବୋଲି କହିଛି ବିଜେଡି । ହେଲେ ବିଜେପିର କହିବା ହେଲା ବିଜେଡି ସରକାର ସମୟରେ ଘରୋଇ କମ୍ପାନୀକୁ ବିଦ୍ୟୁତ୍ ବିତରଣ ଦାୟିତ୍ବ ଦିଆଯାଇଥିଲା, ତେଣୁ ସରକାର ତତକ୍ଷଣାତ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । ଏହା ଘରୋଇ କମ୍ପାନୀ ଓ କର୍ମଚାରୀଙ୍କ ମଧ୍ୟରେ ବିବାଦ ।

ଗୋଟିଏ ପଟେ ୫୬ ଦିନର ଆନ୍ଦୋଳନ, ଅନ୍ୟପଟେ କମ୍ପାନୀର ସ୍ପଷ୍ଟୀକରଣ ଓ କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ। ଦୁଇ ପକ୍ଷର ନିଜ ନିଜ ଯୁକ୍ତି ଭିତରେ ଏବେ ଝୁଲି ରହିଛି ଶତାଧିକ କର୍ମଚାରୀଙ୍କ ଭବିଷ୍ୟତ। ତେବେ ଆଲୋଚନା ଓ ସମାଧାନର ରାସ୍ତା କେବେବାହାରୁଛି, ତା ଉପରେ ସମସ୍ତଙ୍କ ନଜର ।