Videos
|
Odisha

South Odisha Flood / ଗଭୀର ଅବପାତ ଆଣିଲା ପ୍ରଳୟ...ବୁଡ଼ିଲା ହଜାର ହଜାର ଏକର ଜମି, ସର୍ବସ୍ୱାନ୍ତ ଚାଷୀ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଗଭୀର ଅବପାତ ଆଣିଲା ପ୍ରଳୟ...ବୁଡ଼ିଲା ହଜାର ହଜାର ଏକର ଜମି, ସର୍ବସ୍ୱାନ୍ତ ଚାଷୀ
South Odisha Flood

Key Points

ଦକ୍ଷିଣ ଓଡ଼ିଶାରେ ବର୍ଷା ବିପତ୍ତି
ମାଲକାନଗିରିରେ ଭୂସ୍ଖଳନ, ନବରଙ୍ଗପୁରରେ ବନ୍ୟା
ଧସିଲା ଘାଟି ରାସ୍ତା, ୧୦୦ରୁ ଅଧିକ ଗାଁ ବିଚ୍ଛିନ୍ନ
ଉତ୍ତରରୁ ଦକ୍ଷିଣ...ବର୍ଷା ଓ ବନ୍ୟାରେ ଉବୁଟୁବୁ ପୂରା ଓଡ଼ିଶା । ବିଶେଷ କରି ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ମାଲକାନଗିରି, ନବରଙ୍ଗପୁର ଓ ଗଜପତି ଜିଲ୍ଲାରେ ଗଭୀର ଅବପାତ ଜନିତ ଲଗାଣ ବର୍ଷା ଆଣିଦେଇଛି ଭୟଙ୍କର ଦୁର୍ଦ୍ଦଶା । ଋଷିକୂଲ୍ୟା ଓ ଚିଲିକା ଫୁଲିବା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଏକର ଏକର ଧାନ ଓ ପରିବା ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ସେପଟେ ମାଲକାନଗିରିର କାଲିମେଳା ଓ କୋରକୋଣ୍ଡା ଘାଟିରେ ଭୂସ୍ଖଳନ ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଥିବା ବେଳେ ଶତାଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ାରେ ହଜାରେ ଏକରରୁ ଅଧିକ ଧାନ ଚାଷ ବୁଡ଼ି ରହିଥିବା ବେଳେ ସ୍ଥିତି ସଙ୍ଗୀନ ରହିଛି ।

ଲଗାଣ ବର୍ଷା ଓ ଗଭୀର ଅବପାତ ଦକ୍ଷିଣ ଓଡ଼ିଶାରେ ଆଣିଛି ପ୍ରଳୟ । ଗଞ୍ଜାମରେ ଅତି ସଙ୍ଗୀନ ହୋଇଛି ବନ୍ୟା ସ୍ଥିତି । ସମୁଦ୍ର, ଚିଲିକା ଓ ଋଷିକୂଲ୍ୟାର ଶାଖା ନଦୀଗୁଡ଼ିକ ଫୁଲିବା ଯୋଗୁଁ ହଜାର ହଜାର ଏକର ଚାଷଜମି ଜଳମଗ୍ନ । ଏ ଅସମୟ ବିପତ୍ତି ବିଶେଷ କରି ସବୁଜ ପରିବା ଓ କୋବି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଗଞ୍ଜାମ ବ୍ଲକର ଝାରେଡ଼ି-ରାଧାଗୋବିନ୍ଦପୁର ଓ ସିପକୁଦା ଅଞ୍ଚଳରେ ଶହ ଶହ ଏକର ଜମିରେ ହୋଇଥିବା ଫୁଲକୋବି ଚାଷ ଓ ତଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାରୁ ଚାଷୀ ଏବେ ସର୍ବସ୍ୱାନ୍ତ ।
ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଦେଇଛି ଭୟଙ୍କର ଦୁଃଖ । କାଲିମେଳା ସୁଦ୍ଧାଖୁଣ୍ଟା-ଆମ୍ବପଦର ଘାଟି ରାସ୍ତାର ମାଛଘାଟି ନିକଟରେ ବିଶାଳ ଭୂସ୍ଖଳନ ଘଟିଛି । ଗଛ ଉପୁଡ଼ି ଓ ମାଟି ଅତଡ଼ା ଖସି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଥିବା ବେଳେ ବହୁ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । କାଲିମେଳାରୁ ବାହାରିଥିବା ODRAF ଟିମ୍ ମଧ୍ୟ ରାସ୍ତାରେ ଅଟକି ରହିଛି । ସେହିପରି କୋରକୋଣ୍ଡା ବ୍ଲକର ବାୟାପଡ଼ା ଘାଟିରେ ଭୂସ୍ଖଳନ, ବଣ୍ଡାଘାଟିରେ କଲଭର୍ଟ ଭାଙ୍ଗିବା ଓ ଜିଲ୍ଲାର ୧୦୪୫ଟି ଗାଁ ବର୍ଷାରେ ପ୍ରଭାବିତ ହୋଇଛି ।

ନବରଙ୍ଗପୁର କୋଷାଗୁମୁଡ଼ା ବ୍ଲକର ୭ଟି ପଞ୍ଚାୟତରେ ସିଲା ନଦୀର ବନ୍ୟାଜଳ ମାଡ଼ିଯାଇ ହଜାରେ ଏକରରୁ ଉର୍ଦ୍ଧ୍ୱ ଧାନ ଓ ମକା ଚାଷ ବୁଡ଼ାଇ ଦେଇଛି । ଋଣ କରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ । ଏହି ସମୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବୋଟ୍ ଯୋଗେ ଜଳବନ୍ଦୀ ଅଞ୍ଚଳ ଘାଟବାସୁଲି, ଦୁଗଲାହାଣ୍ଡି ଓ ପଡ଼େଇଗୁଡ଼ା ପରିଦର୍ଶନ କରି ସୁଖିଲା ଖାଦ୍ୟ ଓ କମ୍ବଳ ବଣ୍ଟନ କରିଛନ୍ତି । ଘରଦ୍ୱାର ଭାଙ୍ଗିବା ସହ ଚାଷଜମିରେ ବାଲି ଚରିଯିବା ଦକ୍ଷିଣ ଓଡ଼ିଶାର ଲୋକଙ୍କ ଜୀବନଜୀବିକାକୁ ଦୋହଲାଇ ଦେଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: