Videos
|
Odisha

Schools Closed Odisha / ବନ୍ୟାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି, ଭଦ୍ରକରେ ବନ୍ଦ ରହିବ ୧୬୬ ବିଦ୍ୟାଳୟ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ବନ୍ୟାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି, ଭଦ୍ରକରେ ବନ୍ଦ ରହିବ ୧୬୬ ବିଦ୍ୟାଳୟ
Schools Closed Odisha

Key Points

ଭଦ୍ରକରେ ୧୬୬ ବିଦ୍ୟାଳୟ ବନ୍ଦ
ବନ୍ୟା-ବର୍ଷା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ
ରାଜ୍ୟରେ ଚଳିତ ବର୍ଷ ଚତୁର୍ଥ ଥର ପାଇଁ ବନ୍ୟା ମାରିଛି ଚାବୁକ୍ । ବୁଡ଼ିଛି ଫସଲ, ଭାଙ୍ଗିଛି ଘର, ଆଉ ଆଣ୍ଠେଇ ପଡ଼ିଛି ଚାଷୀର ମେରୁଦଣ୍ଡ । ସମୁଦ୍ର ଭଳି ଦିଶୁଛି ଗାଁ ଗଣ୍ଡା, ରାସ୍ତାଘାଟରେ ଛାତିଏ ଉଚ୍ଚର ବନ୍ୟାପାଣି, ତା’ ଭିତରେ ବାସହରା ହୋଇ ପଡ଼ି ରହିଛନ୍ତି ହଜାର ହଜାର ଲୋକ ।

ଭଦ୍ରକ ଜିଲ୍ଲାରେ ଲଗାତାର ବର୍ଷା ଓ ବନ୍ୟା ପରିସ୍ଥିତି ଜାରି ରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଜିଲ୍ଲାର ୫ଟି ବ୍ଲକ୍‌ର ୧୬୬ଟି ପ୍ରଭାବିତ ବିଦ୍ୟାଳୟ ଆଜି ବନ୍ଦ ରହିବ ।

ବନ୍ୟା ପରିସ୍ଥିତି ଏବଂ ଲଗାତାର ବର୍ଷା ଯୋଗୁଁ ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିବାରୁ ବିଦ୍ୟାଳୟକୁ ଯାତାୟାତ ସମୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ନିର୍ଦ୍ଦେଶ ଅନୁଯାୟୀ ଧାମନଗର, ଭଦ୍ରକ, ଚାନ୍ଦବାଲି, ତିହିଡି ଓ ବାସୁଦେବପୁର ବ୍ଲକ୍‌ର ପ୍ରଭାବିତ ବିଦ୍ୟାଳୟଗୁଡ଼ିକରେ ବୁଧବାର ଶିକ୍ଷାଦାନ ବନ୍ଦ ରହିବ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଇ ବିଦ୍ୟାଳୟ ବନ୍ଦ ରଖିବାର ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ପରିସ୍ଥିତି ଅନୁଧ୍ୟାନ କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ଉପରମୁଣ୍ଡରେ ଜଳ ପ୍ରବେଶ କମିବା ପରେ ହୀରାକୁଦ ଡ୍ୟାମ୍‌ର ଗେଟ୍‌ ସଂଖ୍ୟା ହ୍ରାସ କରାଯାଇଛି । ତେବେ ମୁଣ୍ଡଳୀ ଦେଇ ୭ ଲକ୍ଷ ୫୪ ହଜାର କ୍ୟୁସେକ୍‌ ଜଳ ପାର୍‌ ହେଉଥିବାରୁ ତଳିଆ ଅଞ୍ଚଳରେ ବିପଦ ବଢ଼ିଛି । କଟକ ଜିଲ୍ଲା ଆଠଗଡ଼ ଓ ତିଗିରିଆ ଅଞ୍ଚଳରେ ମହାନଦୀର ବ୍ୟାକ୍ ୱାଟର ପ୍ରବେଶ କରିବା ଯୋଗୁଁ ସୋମପଡ଼ା ରାସ୍ତା ଉପରେ ୩ ଫୁଟ୍‌ର ପାଣି ଚାଲୁଛି । ସୋମପଡ଼ାର ମା' ବଡ଼ ବନ୍ଧିଆଣିଙ୍କ ମନ୍ଦିର ବୁଡ଼ିଯାଇଥିବା ବେଳେ ସୁକୁଆଖେଳା ଗାଁ ଜଳବନ୍ଦୀ ହୋଇପଡ଼ିଛି ।

ସେହିପରି ବାଲେଶ୍ୱରର ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ବ୍ଲକରେ ସୁବର୍ଣ୍ଣରେଖା ନଦୀର ବନ୍ୟାଜଳ ପ୍ରବେଶ କରି ଶତାଧିକ ଗାଁକୁ ବାହ୍ୟ ଜଗତରୁ ବିଚ୍ଛିନ୍ନ କରିଦେଇଛି । ଭଦ୍ରକର ଧାମନଗର ଓ ତିହିଡ଼ି, ଯାଜପୁରର ଦଶରଥପୁର ଏବଂ ଅନୁଗୋଳର ଟିକରପଡ଼ା ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗୀନ ରହିଛି । ନଦୀବନ୍ଧ ଗୁଡ଼ିକରେ ଘାଇ ସୃଷ୍ଟି ହୋଇ ଶତାଧିକ ଗାଁରେ ବନ୍ୟାପାଣି ମାଡ଼ି ଚାଲିଛି । ଉପରମୁଣ୍ଡରେ ପାଣି କମୁଥିଲେ ମଧ୍ୟ ତଳିଆ ଅଞ୍ଚଳରୁ ବନ୍ୟାପାଣି ଛାଡ଼ିବା ପାଇଁ ଆହୁରି ୩ ରୁ ୪ ଦିନ ସମୟ ଲାଗିବ ।