Videos
|
Odisha

Flood Relief Package / ବନ୍ୟା ବିପନ୍ନଙ୍କ ସହ ସରକାର; ୩୩%ରୁ ଅଧିକ ଫସଲ କ୍ଷତି, କ୍ଷତିଗ୍ରସ୍ତ ଘର ପାଇଁ ସହାୟତା ଘୋଷଣା

Sushanta Sahoo
Browse all articles by Sushanta Sahoo
·53 mins ago·3 min read
ବନ୍ୟା ବିପନ୍ନଙ୍କ ସହ ସରକାର; ୩୩%ରୁ ଅଧିକ ଫସଲ କ୍ଷତି, କ୍ଷତିଗ୍ରସ୍ତ ଘର ପାଇଁ ସହାୟତା ଘୋଷଣା
Farmers to Get Crop Loss Compensation

Key Points

ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷ ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବା ସମସ୍ତ ଚାଷୀଙ୍କୁ ସହାୟତା ମିଳିବ । ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ କୃଷି ନିବେଶ ସହାୟତା ପ୍ରଦାନ କରିବେ ସରକାର ।
ଭୁବନେଶ୍ଵର: ବନ୍ୟାରେ ବାସ ସହ ବେଉସା ଉଜୁଡ଼ି ଯାଇଛି । ମୁଣ୍ଡ ଉପରୁ ଛାତ ହଟିଯିବା ସହ ବନ୍ୟା ଛଡ଼ାଇ ନେଇଛି ବର୍ଷକର ଖାଦ୍ୟ । କେଉଁଠି ଘର ପାଣିରେ ବୁଡ଼ିଛି, କେଉଁଠି ପ୍ରବଳ ସୁଅ ଭସାଇ ନେଇଛି । ବାସ ସ୍ଥାନ ସହ ଭୂମିରେ ଲୋଟି ଯାଇଛି କ୍ଷେତରେ ଫଳିଥିବା ସୁନା ସଶ୍ୟ । ଦକ୍ଷିଣ ଓଡ଼ିଶାରେ ବାତ୍ୟା 'ଅର୍ଣ୍ଣବ' ଓ ପରବର୍ତ୍ତୀ ବନ୍ୟା ପରେ ସ୍ଥିତି ଚିନ୍ତାଜନକ ରହିଛି ।

ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ସର୍ବାଧିକ ପ୍ରଭାବିତ ହୋଇଛି ୩ ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ । ଏହି ୩ ଜିଲ୍ଲା ପାଇଁ ରବିବାର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏବେ କ୍ଷୟକ୍ଷତି ଆକଳନ ଚାଲିଥିବା ବେଳେ ସରକାର ଚାଷୀ ଓ ଘର କ୍ଷତିଗ୍ରସ୍ତଙ୍କୁ ଦୃଷ୍ଟିରେ ରଖି ପ୍ୟାକେଜ୍ ଘୋଷଣା କରିଛନ୍ତି ।

ଫୋକସରେ ଚାଷୀ

ବନ୍ୟା ପ୍ରଭାବିତ ଅଞ୍ଚଳର ଚାଷ ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଥିବା ସମସ୍ତ ଚାଷୀଙ୍କୁ ସହାୟତା ମିଳିବ । ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ କୃଷି ନିବେଶ ସହାୟତା ପ୍ରଦାନ କରିବେ ସରକାର । ଅଣଜଳସେଚିତ ଚାଷ ଜମି ହେକ୍ଟର ପିଛା ୮ ହଜାର ୫ ଶହ ଟଙ୍କା । ନିଶ୍ଚିତ ଜଳସେଚିତ ଚାଷ ଜମି ହେକ୍ଟର ପିଛା ୧୭ ହଜାର ଟଙ୍କା । ସମସ୍ତ ପ୍ରକାର ଫସଲ ପାଇଁ ହେକ୍ଟର ପିଛା ୨୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଭାବିତ ଚାଷୀଙ୍କ ପାଇଁ କୃଷି ନିବେଶ ସହାୟତା (ପନିପରିବା, ବାରମାସୀ) ଅତି କମ୍‌ରେ ୨୫୦୦ ଟଙ୍କା ମିଳିବ । ନିଶ୍ଚିତ ଜଳସେଚିତ ଅଞ୍ଚଳରେ ୨ ହଜାର ଟଙ୍କା, ବର୍ଷା ନିର୍ଭରଶୀଳ ଅଞ୍ଚଳରେ ସର୍ବନିମ୍ନ ୧ ହଜାର ଟଙ୍କା ଦିଆଯିବ । ବାଲିଚର ଜମି ଓ ପଟୁ ମାଟି ହଟାଇବା ପାଇଁ ହେକ୍ଟର ପିଛା ୧୮ ହଜାର ଟଙ୍କା ସହାୟତା ପ୍ରଦାନ କରିବେ ସରକାର । ପ୍ରତ୍ୟେକ ଚାଷୀ ସର୍ବନିମ୍ନ ସହାୟତା ରାଶି ୨ ହଜାର ୨ ଶହ ଟଙ୍କା ପାଇବେ ।

ଏଥିସହ ପଢ଼ନ୍ତୁ: ଗଞ୍ଜାମ, ଗଜପତି, କନ୍ଧମାଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ୍ ଘୋଷଣା; ପ୍ରତି ପରିବାର ପାଇବେ ନଗଦ ଅଢ଼େଇ ହଜାର ଟଙ୍କା 

ଚାଷୀଙ୍କୁ ୧ ଲକ୍ଷ ୨୦ ହଜାର ଡାଲି ଜାତୀୟ, ୫ ହଜାର ତୈଳ ବୀଜ ମିନିକିଟ୍, ୫୦ ହଜାର ପନିପରିବା ମଞ୍ଜି କିଟ୍ ଦିଆଯିବ । ରବି ଋତୁ ୨୦୨୬-୨୭ରେ କୀଟନାଶକ ଓ ଜୈବ କୀଟନାଶକ ଉପରେ ୭୫ ପ୍ରତିଶତ ସବସିଡି ବ୍ୟବସ୍ଥା କରାଯିବ । ଫସଲ ବୀମା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ।

କୃଷି ଋଣ

ଖରିଫ ୨୦୨୬ ସମୟରେ ଦିଆଯାଇଥିବା ଋଣ ପ୍ରଭାବିତ ଅଞ୍ଚଳରେ ୩୩ ପ୍ରତିଶତରୁ ଫସଲ ଅଧିକ ନଷ୍ଟ କ୍ଷେତ୍ରରେ ମଧ୍ୟମ ମିଆଦି ଋଣରେ ପରିଣତ କରାଯିବ । ସ୍ଵଳ୍ପ ମିଆଦି ଋଣକୁ ମଧ୍ୟମ ମିଆଦି ଋଣରେ ରୂପାନ୍ତରିତ କରାଯିବ । ଚଳିତ ରବି ଋତୁରେ ଚାଷୀଙ୍କୁ ଅଧିକ ଋଣ ଦେବା ଲାଗି ବ୍ୟବସ୍ଥା ହେବ ।

କ୍ଷତିଗ୍ରସ୍ତ ଘର ପାଇଁ ସହାୟତା

କ୍ଷତିଗ୍ରସ୍ତ ଘର ପାଇଁ ସରକାର ସହାୟତା ଦେବେ । ସମତଳ ଅଞ୍ଚଳରେ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲେ ୧ ଲକ୍ଷ ୨୦ ହଜାର ଟଙ୍କା ମିଳିବ । ପାହାଡ଼ିଆ ଅଞ୍ଚଳରେ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲେ ୧ ଲକ୍ଷ ୩୦ ହଜାର ଟଙ୍କା ଦିଆଯିବ । ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ୬ ହଜାର ୫୦୦ ଟଙ୍କା, ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଘର ପାଇଁ ୪ ହଜାର ଟଙ୍କା ପ୍ରଦାନ କରାଯିବ । କୁଡ଼ିଆ ଘର ନଷ୍ଟ ହୋଇଥିଲେ ୮ ହଜାର ମିଳିବ । ଗୁହାଳ ଘର କ୍ଷତିଗ୍ରସ୍ତ ହୋଇଥିଲେ ୩ ହଜାର ଟଙ୍କା ମିଳିବ ।

ଘର ସମ୍ପୂର୍ଣ୍ଣ ଭାସିଯିବା, ନଷ୍ଟ ହୋଇଯିବା, ୨ ଦିନରୁ ଅଧିକ ଜଳମଗ୍ନ ହୋଇ ରହିଥିଲେ ଉକ୍ତ ପରିବାରକୁ ପୋଷାକପତ୍ର ଲାଗି ଅଢ଼େଇ ହଜାର ଟଙ୍କା, ବାସନ କୁସନ ଓ ଘରକରଣା ସାମଗ୍ରୀ ପାଇଁ ଅଢ଼େଇ ହଜାର ଟଙ୍କା ପ୍ରଦାନ କରାଯିବ । ଏଥିସହ ବନ୍ୟା ପ୍ରଭାବିତ ଅଞ୍ଚଳର ପ୍ରତି ପରିବାରକୁ ୫୦ କେଜି ଚାଉଳ ସହ ସରକାର ଅଢ଼େଇ ହଜାର ଟଙ୍କା ନଗଦ ପ୍ରଦାନ କରିବେ ।

ପଶୁ ସମ୍ପଦ ପାଇଁ ସହାୟତା

ଗାଇଁ, ମଇଁଷି ମୃତ୍ୟୁ କ୍ଷେତ୍ରରେ ୩୭ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ । ମେଣ୍ଢା ଓ ଛେଳି ପାଇଁ ୪ ହଜାର ଟଙ୍କା, ବଳଦ ଓ ଘୋଡ଼ା ପାଇଁ ୩୨ ହଜାର ଟଙ୍କା, ବାଛୁରୀ ଓ ଗଧ ପାଇଁ ୨୦ ହଜାର ଟଙ୍କା ମିଳିବ । କୁକୁଡ଼ା ପାଇଁ ପକ୍ଷୀ ପିଛା ୧୦୦ ଟଙ୍କା ହିସାବରେ ସର୍ବାଧିକ ୧୦ ହଜାର ଟଙ୍କା ଦିଆଯିବ ।

ଦୁଗ୍ଧ ଚାଷୀଙ୍କୁ ୫୦୦ କିଲୋ ପର୍ଯ୍ୟନ୍ତ ଗୋଖାଦ୍ୟ ପ୍ରଦାନ କରାଯିବ । ମତ୍ସ୍ୟ ଚାଷ ପାଇଁ ହେକ୍ଟର ପିଛା ୧ ଲକ୍ଷ ୧୨ ହଜାର ଟଙ୍କା ୫୦୦ ପର୍ଯ୍ୟନ୍ତ କ୍ଷତିପୂରଣ ମିଳିବ । ସମୁଦ୍ର ଓ ଚିଲିକାରେ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପିଛା ୫୦୦୦ ଟଙ୍କା କ୍ଷତିପୂରଣ ମିଳିବ । ବାତ୍ୟା ଦ୍ୱାରା ପ୍ରଭାବିତ ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫ ହଜାର ଟଙ୍କାର ସିଡ୍ ମନି ଦେବାକୁ ସରକାର ଘୋଷଣା କରିଛନ୍ତି ।