Videos
|
Odisha

Ganjam Rescue Operations / ଗଞ୍ଜାମରେ ବର୍ଷାର ତାଣ୍ଡବ, ୨୮ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର

Santosh Kumar Sahoo
Browse all articles by Santosh Kumar Sahoo
·36 mins ago·2 min read
ଗଞ୍ଜାମରେ ବର୍ଷାର ତାଣ୍ଡବ, ୨୮ ହଜାରରୁ ଅଧିକ ଲୋକ ସ୍ଥାନାନ୍ତର
Ganjam Rescue Operations

Key Points

ବାତ୍ୟା ପରେ ଜଳବନ୍ଦୀ ଦକ୍ଷିଣ ଓଡ଼ିଶା
ଅର୍ଣ୍ଣବର ପ୍ରଭାବରେ ଛାରଖାର ଦକ୍ଷିଣ ଓଡ଼ିଶା
ଗଞ୍ଜାମ ସବୁଠୁ ଅଧିକ କ୍ଷତିଗ୍ରସ୍ତ
ପୂର୍ବ ଆକଳନ ଅନୁଯାୟୀ ବାତ୍ୟା ଅର୍ଣ୍ଣବ ଆନ୍ଧ୍ରପ୍ରଦେଶ ଦେଇ ଓଡ଼ିଶାରେ ପ୍ରବେଶ କରିବା ପରେ ରାଜ୍ୟ ଅତିକ୍ରମ କରିଛି । ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବାତ୍ୟା ପରବର୍ତ୍ତୀ ବର୍ଷା ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ପ୍ରଭାବିତ କରିଛି । ଗଜପତି ଓ କନ୍ଧମାଳ ଜିଲ୍ଲା ମଧ୍ୟ ବର୍ଷା ଓ ଭୂସ୍ଖଳନରେ ପ୍ରଭାବିତ ହୋଇଛି ।

ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରେ ୬୩.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଅକ୍ଟୋବର ୧ରୁ ୩୦ ତାରିଖ ମଧ୍ୟରେ ରାଜ୍ୟରେ ମୋଟ ୧୩୨ ମିଲିମିଟର ବର୍ଷା ହୋଇଛି, ଯାହା ସ୍ୱାଭାବିକଠାରୁ ୧୮.୭ ପ୍ରତିଶତ ଅଧିକ । ଗତକାଲିର ବର୍ଷାକୁ ବାଦ୍ ଦେଲେ, ପୂର୍ବବର୍ତ୍ତୀ ତିନି ଦିନରେ ଗଞ୍ଜାମରେ ୧୧୮ ପ୍ରତିଶତ ଓ କନ୍ଧମାଳରେ ୧୨୩ ପ୍ରତିଶତ ଅଧିକ ବର୍ଷା ହୋଇଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

୨୪୨ ପଞ୍ଚାୟତ, ୩୮୬ ଗାଁ ପ୍ରଭାବିତ

ସେହିପରି ବର୍ଷା ଓ ବନ୍ୟା ସ୍ଥିତି ଯୋଗୁଁ ୨୪୨ଟି ଗ୍ରାମ ପଞ୍ଚାୟତ, ୩୮୬ଟି ଗାଁ ଏବଂ ୧୦୬ଟି ସହରାଞ୍ଚଳ ପ୍ରଭାବିତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ୨୮ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏଥିରେ ୫୮୮ ଜଣ ଗର୍ଭବତୀ ମହିଳା ରହିଛନ୍ତି। ସ୍ଥାନାନ୍ତରିତ ଗର୍ଭବତୀଙ୍କ ମଧ୍ୟରୁ ୩୨୬ ଜଣଙ୍କର ପ୍ରସବ ହୋଇଛି ।

ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜୋରଦାର

ବିପନ୍ନ ଲୋକଙ୍କୁ ଉଦ୍ଧାର କରିବା ପାଇଁ ତଟରକ୍ଷୀ ବାହିନୀର ହେଲିକପ୍ଟର ସହାୟତା ନିଆଯାଇଛି । ନୌସେନାର ହେଲିକପ୍ଟର ମାଧ୍ୟମରେ ଖାଦ୍ୟ ପ୍ୟାକେଟ୍ ଏୟାରଡ୍ରପ୍ କରାଯିବ । ଏହା ସହିତ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ପକ୍ଷରୁ ମଧ୍ୟ ଖାଦ୍ୟ ପ୍ୟାକେଟ୍ ବଣ୍ଟନ କରାଯିବ । ଏଥିପାଇଁ ୨୧ଟି ସ୍ଥାନ ଚିହ୍ନଟ ହୋଇଛି । ହିଞ୍ଜିଳିରେ ୧୨୦୦ କେଜି ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯିବାର ବ୍ୟବସ୍ଥା ହୋଇଛି । ଗଞ୍ଜାମ ଜିଲ୍ଲାରେ ୩୫୨ଟି ଓ ଗଜପତି ଜିଲ୍ଲାରେ ୩୪୦ଟି ରିଲିଫ୍ କେନ୍ଦ୍ର ଖୋଲାଯାଇଛି । ବର୍ତ୍ତମାନ ୨୧,୭୮୨ ଜଣ ଲୋକ ରିଲିଫ୍ କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭୂସ୍ଖଳନରେ ରାସ୍ତାଘାଟ କ୍ଷତିଗ୍ରସ୍ତ

ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇ ଜାତୀୟ ରାଜପଥ, ରାଜ୍ୟ ରାଜପଥ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଏଭଳି ବ୍ୟାପକ କ୍ଷୟକ୍ଷତି ପୂର୍ବରୁ କେବେ ଦେଖିବାକୁ ମିଳିନଥିବା କୁହାଯାଇଛି ।

ଆଗାମୀ ୨୪ ଘଣ୍ଟାରେ ବଡ଼ ବର୍ଷା ଆଶଙ୍କା ନାହିଁ

ଭାରତୀୟ ପାଣିପାଗ ବିଭାଗ (IMD)ର ଆକଳନ ଅନୁଯାୟୀ, ଆଗାମୀ ୨୪ ଘଣ୍ଟାରେ ବଡ଼ ଧରଣର ବର୍ଷା ହେବାର ଆଶଙ୍କା ନାହିଁ। ତଥାପି ସମ୍ଭାବ୍ୟ ପରିସ୍ଥିତି ଓ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ।