Odisha Doctors Suspended / ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ୩ ଡାକ୍ତର ନିଲମ୍ବିତ, ସ୍ୱାସ୍ଥ୍ୟ ବିଭାଗ ଜାରି କଲା ନିର୍ଦ୍ଦେଶନାମା
·1 hour ago·2 min read

Key Points
ସରକାରୀ ନିୟମ ଉଲ୍ଲଂଘନ ମହଙ୍ଗା ପଡ଼ିଲା
ସ୍ୱାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ
ନିଲମ୍ବିତ ହେଲେ ୩ ଡାକ୍ତର
ସ୍ୱାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ
ନିଲମ୍ବିତ ହେଲେ ୩ ଡାକ୍ତର
ଶୃଙ୍ଖଳା ଭଙ୍ଗ ଓ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ତିନି ଜଣ ଡାକ୍ତରଙ୍କ ବିରୋଧରେ କଠୋର ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତିନି ଜଣ ମେଡିକାଲ ଅଫିସରଙ୍କୁ ନିଲମ୍ବିତ କରାଯାଇଛି । ଏନେଇ ବିଭାଗ ପକ୍ଷରୁ ପୃଥକ ପୃଥକ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ନିଲମ୍ବିତ ଡାକ୍ତରମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ଗମ୍ଭାରୀମୁଣ୍ଡା ସିଏଚ୍ସିର ମେଡିକାଲ ଅଫିସର ଡା. ପ୍ରଭାକର ବେହେରା, ଗଞ୍ଜାମ ଜିଲ୍ଲା ଗଜଳବାଡ଼ି ପିଏଚ୍ସିର ମେଡିକାଲ ଅଫିସର ଡା. ତମନ୍ନା ପ୍ରିୟଦର୍ଶିନୀ ଏବଂ ଆସିକା ଏସ୍ଡିଏଚ୍ର ମେଡିକାଲ ଅଫିସର ଡା. ସୁପ୍ରକାଶ ଦାସ ।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ: ୩ ଜଣ ଡାକ୍ତର ନିଲମ୍ବିତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୩ ଜଣ ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି। ସଂପୃକ୍ତ ଡାକ୍ତରମାନେ ମେଡିକାଲ ଅଫିସର୍, ସିଏଚ୍ସି ଗମ୍ଭାରୀମୁଣ୍ଡା ଖୋର୍ଦ୍ଧା ଜିଲ୍ଲା, ମେଡିକାଲ ଅଫିସର, ପିଏଚ୍ସି ଗାଜଲବାଡ଼ି, ଗଞ୍ଜାମ ଜିଲ୍ଲା ଏବଂ ମେଡିକାଲ ଅଫିସର, ଏସ୍ଡିଏଚ୍ ଆସିକା, ଗଞ୍ଜାମ ଜିଲ୍ଲାରେ କାର୍ଯରତ। ସମ୍ପୃକ୍ତ ଡାକ୍ତରମାନଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ବିଚାରାଧୀନ ଥିବାରୁ ଓଡ଼ିଶା ସିଭିଲ ସର୍ଭିସେସ୍ (ସିସିଏ) ନିୟମାବଳୀ, ୧୯୬୨ର ନିୟମ-୧୨ ଅନୁଯାୟୀ ସେମାନଙ୍କୁ ନିଲମ୍ବନ କରାଯାଇଛି। କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ସେମାନେ ନିଜ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ସମ୍ପର୍କରେ ପୃଥକ୍ ନିର୍ଦ୍ଦେଶନାମା ଜାରି କରାଯାଇଛି।
— I & PR Department, Odisha (@IPR_Odisha) November 20, 2026
ବିଭାଗୀୟ ସୂଚନା ଅନୁଯାୟୀ, ଡା. ପ୍ରଭାକର ବେହେରା ସରକାରୀ କର୍ମଚାରୀଙ୍କ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି । ସେ ସାମାଜିକ ଗଣମାଧ୍ୟମରେ ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଅନଧିକୃତ ମନ୍ତବ୍ୟ ଦେଇଥିବାରୁ ବିଭାଗ ଏହି ପଦକ୍ଷେପ ନେଇଛି ।
ଅନ୍ୟପକ୍ଷରେ, ଡା. ତମନ୍ନା ପ୍ରିୟଦର୍ଶିନୀ ଓ ଡା. ସୁପ୍ରକାଶ ଦାସଙ୍କ ବିରୋଧରେ ବାତ୍ୟା ‘ଅର୍ଣ୍ଣବ’ ସମୟରେ ବିନା ଅନୁମତିରେ ଛୁଟିରେ ରହିବା ଅଭିଯୋଗ ରହିଛି । ଏଥିସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ସମୟରେ ମଧ୍ୟ ସେମାନେ ଅନୁପସ୍ଥିତ ଥିବା ଦର୍ଶାଯାଇଛି ।
ଓଡ଼ିଶା ସିଭିଲ ସର୍ଭିସେସ୍ (ସିସିଏ) ନିୟମାବଳୀ, ୧୯୬୨ର ନିୟମ ୧୨ ଅନୁଯାୟୀ, ସମ୍ପୃକ୍ତ ଡାକ୍ତରମାନଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ବିଚାରାଧୀନ ଥିବାରୁ ଏହି ନିଲମ୍ବନ ଆଦେଶ ଜାରି କରାଯାଇଛି ।
ନିଲମ୍ବନ ଅବଧିରେ ଡା. ପ୍ରଭାକର ବେହେରାଙ୍କ ମୁଖ୍ୟାଳୟ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରହିବ । ସେହିପରି ଡା. ତମନ୍ନା ପ୍ରିୟଦର୍ଶିନୀ ଓ ଡା. ସୁପ୍ରକାଶ ଦାସଙ୍କ ମୁଖ୍ୟାଳୟ ବ୍ରହ୍ମପୁର ସିଟି ହସ୍ପିଟାଲ ନିର୍ଦ୍ଧାରଣ କରାଯାଇଛି । ନିଲମ୍ବନ ଅବଧିରେ କୌଣସି ଡାକ୍ତର କର୍ତ୍ତୃପକ୍ଷଙ୍କ ପୂର୍ବ ଅନୁମତି ବିନା ନିଜ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories