Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଜଳୁଛି ସାରା ଓଡ଼ିଶା, ଚଳିତ ସିଜିନର ରେକର୍ଡ ଭାଙ୍ଗିଲା ତାତି,ଆଗାମୀ ୪ ଦିନ ଯାଏ ଜାରି ରହିବ ଗ୍ରୀଷ୍ମ ପ୍ରବାହ

Odisha

Heatwave Alert / ଜଳୁଛି ସାରା ଓଡ଼ିଶା, ଚଳିତ ସିଜିନର ରେକର୍ଡ ଭାଙ୍ଗିଲା ତାତି,ଆଗାମୀ ୪ ଦିନ ଯାଏ ଜାରି ରହିବ ଗ୍ରୀଷ୍ମ ପ୍ରବାହ

Bikash Mohanty
Browse all articles by Bikash Mohanty
·1 hour ago·3 min read
ଜଳୁଛି ସାରା ଓଡ଼ିଶା, ଚଳିତ ସିଜିନର ରେକର୍ଡ ଭାଙ୍ଗିଲା ତାତି,ଆଗାମୀ ୪ ଦିନ ଯାଏ  ଜାରି ରହିବ ଗ୍ରୀଷ୍ମ ପ୍ରବାହ
Heat wave

Key Points

ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ
ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା
ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ

ଭୁବନେଶ୍ବର୨୧/୦୫: ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା। ଆସନ୍ତା ୨୪ ଘଣ୍ଟା ପାଇଁ ଭଦ୍ରକ, ଯାଜପୁର, ନୟାଗଡ, ଅନୁଗୋଳ, ସୋନପୁର, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର ଓ ଝାରସୁଗୁଡା ଏହି ୯ଟି ଜିଲ୍ଲାକୁ ହିଟୱେଭ୍ ୱାର୍ଣ୍ଣିଂ ଥିବା ବେଳେ ସମ୍ବଲପୁର, ବଲାଙ୍ଗୀରରେ ଉଷ୍ମ ରାତ୍ରି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି କଳାହାଣ୍ଡି, ନୂଆପଡା, ସୁନ୍ଦରଗଡ,ଗଞ୍ଜାମ ଗଜପତି, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ବାଲେଶ୍ୱର ଏହି ୧୧ଟି ଜିଲ୍ଲାରେ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଭଦ୍ରକ, ବାଲେଶ୍ୱର ,କେନ୍ଦ୍ରାପଡ଼ା, ଜଗତ୍ସିଂହପୁର,ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ୫୦ ରୁ ୬୦ କିମି ଝଟକା ପବନ ହେବାର ସମ୍ଭାବନା ଥିବା ବେଳେ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । ଏହାସହ ୨୦ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ୩୦ ରୁ ୫୦ କିମି ଝଟକା ପବନ ହେବାର ସମ୍ଭାବନା ଥିବା ବେଳେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨୩ ତାରିଖ ଯାଏଁ ଗ୍ରୀଷ୍ମର ଏଭଳି ସ୍ଥିତି ଲାଗି ରହିବ ସହ ୨୬ ଯାଏଁ ଅର୍ଥାତ ୭ ଦିନ ଯାଏ କାଳବୈଶାଖୀର ଚେତାବନୀ ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଗତକାଲି ଝାରସୁଗୁଡା ରେ ସର୍ବୋଚ୍ଚ ତାପମାତ୍ରା 46°C ରେକର୍ଡ ହୋଇଥିବା ବେଳେ ସମ୍ବଲପୁର 45.3°C,ହୀରାକୁଦ 45°C,ସୋନପୁର 43.9°C,ବରଗଡ 43.8°C, ଟିଟିଲାଗଡ଼ 43.5°C,ତାଳଚେର 43.8°C,ବଲାଙ୍ଗୀର 43.3°C,ସୁନ୍ଦରଗଡ଼ 42.8°C,ଅନୁଗୁଳ 42.1°C,ନୟାଗଡ 42°C,ନୂଆପଡା 41.5°C,ରାଉରକେଲା 41.3°C ରେକର୍ଡ କରାଯାଇଥିଲା। ପଶ୍ଚିମ ଓଡ଼ିଶାରେ ବର୍ଷୁଛି ନିଆଁ । ଉପକୂଳ ଓଡ଼ିଶା ଗରମ ସହ ଗୁଳୁଗୁଳିରେ ଛଟପଟ ହେଉଛି । ରାତିରେ ବି ମିଳୁନି ତ୍ରାହି ।

ପଢନ୍ତୁ ଏହି ଖବର: ଆଗକୁ ଅସମ୍ଭାଳ ତାତି, ୩ ଦିନରେ ବଢ଼ିବ ୩ ଡିଗ୍ରି,୪୫ ଡିଗ୍ରୀ ମୁହାଁ ପାରଦ

ପାଣିପାଗ ବିଭାଗ ସତର୍କ କରାଇ ଦେଇଛି, ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାତିରୁ ଟିକିଏ ବି ନିସ୍ତାର ମିଳିବ ନାହିଁ । ଜାରି ରହିବ ନିଷ୍ଠୁର ଗ୍ରୀଷ୍ମ ପ୍ରବାହ । ଗ୍ରୀଷ୍ମ ଲହରୀ ସାଙ୍ଗକୁ ଗୁଳୁଗୁଳି ଏବଂ ଉଷ୍ମ ରାତି ନେଇ ଜନସାଧାରଣଙ୍କୁ ସତର୍କ କରାଯାଇଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନ ଏବଂ ବିଭାଗକୁ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ କୁହାଯାଇଛି ।

ଓଡ଼ିଶାର ୨୨ଟି ସ୍ଥାନରେ ଦିନ ତାପମାତ୍ରା ବୁଧବାର ୪୦ ଡିଗ୍ରୀ ପାର୍ କରିଥିଲା । ସେଥିରୁ ୮ଟି ସ୍ଥାନରେ ୪୩ ଡିଗ୍ରୀ ଡେଇଁଥିଲା ପାରଦ । ଅନ୍ୟ ସହର ଭିତରେ ସୋନପୁର ୪୩.୯ ଡିଗ୍ରୀ, ବରଗଡ଼ ୪୩.୮, ତାଳଚେର ୪୩.୮, ଟିଟିଲାଗଡ଼ ୪୩.୫, ବଲାଙ୍ଗୀର ୪୩.୩ ଡିଗ୍ରୀ ତାଉରେ ସିଝିଥିଲା । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ପ୍ରାୟତଃ ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲା । ତଥାପି କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର, ଭଦ୍ରକରେ ୪୦ ପାର୍ କରିଥିଲା ତାପମାତ୍ରା । ଉପକୂଳରେ ତାତି ସାଙ୍ଗକୁ ଗୁଳୁଗୁଳି ନାକେଦମ କରିଥିଲା । ଦିନ ତମାମ ଗରମ ଲାଗି ରହୁଥିବାବେଳେ ରାତିରେ ବି ତାପମାତ୍ରା ୨୮-୨୯ ଡିଗ୍ରୀ ରହୁଛି । ଅନ୍ୟପଟେ ଆର୍ଦ୍ରତା ଭରି ରହୁଥିବାରୁ ଅଧିକ ଗରମ ଅନୁଭୂତ ହେଉଛି।

ପାଣିପାଗ ବିଭାଗ ସତର୍କ କରାଇଛି, ଗୁରୁବାରଠାରୁ ୨୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଓ ବଲାଙ୍ଗୀରରେ ଭୀଷଣ ଗ୍ରୀଷ୍ମ ପ୍ରବାହ (ସିଭିୟର ହିଟ୍ ୱେଭ) ସ୍ଥିତି ରହିପାରେ । ଏହି ଦୁଇ ସହର ସହ ସୁନ୍ଦରଗଡ଼ରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିପାରେ । ଏହାସହ ଭଦ୍ରକ, ଯାଜପୁର, ନୟାଗଡ଼, ଝାରସୁଗୁଡ଼ା, ଅନୁଗୁଳ, ସୋନପୁର, ବୌଦ୍ଧରେ ଗ୍ରୀଷ୍ମ ପ୍ରବାହ (ହିଟ୍ ୱେଭ୍) କଲବଲ କରିପାରେ ।

ଅନ୍ୟପଟେ ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ସୁନ୍ଦରଗଡ଼, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଜିଲ୍ଲାରେ ଗରମ ସାଙ୍ଗକୁ ଗୁଳୁଗୁଳି ଛଟପଟ କରିବା ଆଶଙ୍କା ରହିଛି । ଆସନ୍ତା ୬/୭ ଦିନ ଯାଏଁ ରାଜ୍ୟରେ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବା ସମ୍ଭାବନା ଅଛି । ଅପରପକ୍ଷରେ ବର୍ତ୍ତମାନ ପ୍ରତିଦିନ କିଛି କିଛି ଜାଗାରେ କାଳବୈଶଖୀ ପ୍ରଭାବରେ ବର୍ଷା ହୋଇପାରେ । ମାତ୍ର ବିସ୍ତୃତ ଅଞ୍ଚଳକୁ ଭିଜାଇବା କିମ୍ବା ଥଣ୍ଡା କରିବା ଭଳି ବର୍ଷା ସମ୍ଭାବନା ଏବେ ଦେଖା ଯାଉନି ।

ପାଣିପାଗ ବିଜ୍ଞାନୀ  ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରୀ ତାତି ଛୁଇଁଥିବାବେଳେ ଉପକୂଳରେ ୩୬ରୁ ୩୮ ଡିଗ୍ରୀ ରହୁଛି । ପଶ୍ଚିମରେ ନିଆଁ ବର୍ଷୁଥିବାବେଳେ ଉପକୂଳରେ ବି ଆର୍ଦ୍ରତା ୭୦% ଉପରେ ଥିବାରୁ ମଣିଷ ଶରୀରକୁ ୫୦ ଡିଗ୍ରୀ ଭଳି ତାତି ଅନୁଭୂତ ହେଉଛି । ପଶ୍ଚିମ ଓଡ଼ିଶାରେ ତତଲା ଶୁଖିଲା ପବନ ମାଡ଼ ହେଉଛି । ବର୍ତ୍ତମାନର ପାଣିପାଗ ମୌସୁମୀ ଆଗମନ ପୂର୍ବର ଏକ ପରିବର୍ତ୍ତନ ସମୟ । ଏଭଳି ସ୍ଥିତି ଆହୁରି କିଛିଦିନ ରହିପାରେ । ସ୍ଥାନୀୟ ଭାବେ କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ଯୋଗୁ ସାମୟିକ ଆଶ୍ୱସ୍ତି ମିଳିପାରେ । ଚଳିତ ମାସ ଶେଷ ଆଡ଼କୁ କାଳବୈଶାଖୀ ପ୍ରଭାବ ବଢ଼ିଲେ କିମ୍ବା ଦକ୍ଷିଣ-ପଶ୍ଚିମ ମୌସୁମୀ ଭାରତର ମୁଖ୍ୟ ଭୂଭାଗକୁ ଆଗେଇଲେ ହିଁ ତାତିରୁ ଆଶ୍ୱସ୍ତି ମିଳିପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heatwave Alert | Odisha Heatwave 2026: Record Temperatures & 4-Day Heatwave Alert | Argus News