Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୪୫ ଡିଗ୍ରୀ ଉପରେ ୬ ସହର; ୨୮ରୁ କାଚିବ, ଉଡ଼େଇବ

Odisha

Heatwave Alert / ୪୫ ଡିଗ୍ରୀ ଉପରେ ୬ ସହର; ୨୮ରୁ କାଚିବ, ଉଡ଼େଇବ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
୪୫ ଡିଗ୍ରୀ ଉପରେ ୬ ସହର; ୨୮ରୁ କାଚିବ, ଉଡ଼େଇବ
Western Districts Reel Under Extreme Heat

Key Points

ଫୁଟୁଛି ପଶ୍ଚିମ ଓଡ଼ିଶା । ରବିବାର ପଶ୍ଚିମ ଓଡ଼ିଶାର ୯ ସ୍ଥାନରେ ପାରଦ ୪୪ ଡିଗ୍ରୀ ଉପରେ ରହିଥିବା ବେଳେ ୬ଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ରହିଛି । ଦିନ ବେଳା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ସନ୍ଧ୍ୟାରେ କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି ।
ଭୁବନେଶ୍ଵର: ସୂର୍ଯ୍ୟଙ୍କ ତତଲା କଡ଼େଇରେ ଭାଜି ହେଉଛି ସାରା ରାଜ୍ୟ । ଫୁଟୁଛି ପଶ୍ଚିମ ଓଡ଼ିଶା । ରବିବାର ପଶ୍ଚିମ ଓଡ଼ିଶାର ୯ ସ୍ଥାନରେ ପାରଦ ୪୪ ଡିଗ୍ରୀ ଉପରେ ରହିଥିବା ବେଳେ ୬ଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ରହିଛି ।

ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୫.୮ ଡିଗ୍ରୀ ରେକର୍ଡ କରାଯାଇଛି । ବୌଦ୍ଧରେ ସର୍ବାଧିକ ପାରଦ ୪୫.୬ ଡିଗ୍ରୀ ରହିଥିବା ବେଳେ ଭବାନୀପାଟଣାରେ ୪୫.୪ ଡିଗ୍ରୀ, ସମ୍ବଲପୁରରେ ୪୫.୩ ଡିଗ୍ରୀ, ସୋନପୁରରେ ୪୫.୨ ଡିଗ୍ରୀ ଓ ବଲାଙ୍ଗିରରେ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ ହୋଇଛି ।

ଏଥିସହ ପଢ଼ନ୍ତୁ: ଆହୁରି ୫ ଦିନ ଜଳିବ ଓଡିଶା, ୨୮ରୁ ମିଳିପାରେ ତାତିରୁ ତ୍ରାହି 

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟରେ ୨୮ ତାରିଖ ପର୍ଯ୍ୟନ୍ତ ଏଭଳି ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ୨୮ ତାରିଖ ପରେ ତାତିରୁ ଆଶ୍ଵସ୍ତି ଆଣିବ କାଳବୈଶାଖୀ ବର୍ଷା । ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ସର୍ବାଧିକ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହୋଇ ନପାରେ । ଏହାପରେ ପାରଦ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ ।


କେଉଁ ଜିଲ୍ଲାରେ ଉଷ୍ମ ରାତି ?

ରବିବାର ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଥିଲା । ପାଣିପାଗ ବିଭାଗର ବୁଲେଟିନ୍ ଅନୁସାରେ ରବିବାର ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାର ଗୋଟିଏ ସ୍ଥାନରେ ଉଷ୍ମ ରାତି ଅନୁଭୂତ ହେବ । ଏନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଦିନରେ ଜାଳିବ, ସନ୍ଧ୍ୟାରେ ଢାଳିବ

ପାଣିପାଗ ବୁଲେଟିନ୍ ଅନୁସାରେ, ଦିନ ବେଳା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ସନ୍ଧ୍ୟାରେ କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ସୋମବାର ବାଲେଶ୍ଵର, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ପ୍ରଚଣ୍ଡ ଖରାରେ ସିଝୁଛି ସାରା ଓଡ଼ିଶା, ୫ଟି ସ୍ଥାନରେ ୪୫ ଡିଗ୍ରୀ ଟପିଲା ପାରଦ 

ଉପରୋକ୍ତ ୫ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅପରାହ୍ଣ/ସନ୍ଧ୍ୟା ସମୟରେ ଘଡ଼ଘଡ଼, ବିଜୁଳି ସହ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିଭଳି ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ସୋମବାର ସମ୍ବଲପୁର ଓ ବଲାଙ୍ଗିରରେ ଉଷ୍ମ ରାତି ପରିସ୍ଥିତି ଅନୁଭୂତ ହୋଇପାରେ । ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଅବସ୍ଥା ଲାଗି ରହିପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Heatwave: 6 Cities Cross 45°C, Rain Likely After May 28 | Argus News | Argus News