Videos
|
Odisha

Odisha Rain Alert / ୫ ଦିନ ଯାଏଁ ସାରା ଓଡ଼ିଶାରେ ହାଇଆଲର୍ଟ, ବୁଡ଼ାଇବ ଲଘୁଚାପ ବର୍ଷା...ପୁଣି ଭସାଇବ ବନ୍ୟା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·3 min read
୫ ଦିନ ଯାଏଁ ସାରା ଓଡ଼ିଶାରେ ହାଇଆଲର୍ଟ, ବୁଡ଼ାଇବ ଲଘୁଚାପ ବର୍ଷା...ପୁଣି ଭସାଇବ ବନ୍ୟା
Odisha Rain Alert

Key Points

ଗାଁରୁ ସହର ସବୁ ଜଳବନ୍ଦୀ
ଭଦ୍ରକ ନାଳିଆ ନଦୀରେ ବିରାଟ ଘାଇ
କେବେ ସରିବ ବନ୍ୟା ଦୁର୍ଦ୍ଦଶା ?
ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟାର ବିଭୀଷିକା ନ ଥମୁଣୁ ପୁଣି ମୁଣ୍ଡପାତିଛି ଆଉ ଏକ ଲଘୁଚାପର ଭୟ । ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବଙ୍ଗୋପସାଗର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୃଷ୍ଟି ହେବାକୁ ଯାଉଛି ଲଘୁଚାପ । ଏହାର ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅନ୍ୟପଟେ ଭଦ୍ରକର ନାଳିଆ ନଦୀରେ ୩୦୦ ଫୁଟର ଘାଇଠାରୁ ଆରମ୍ଭ କରି ବାଲେଶ୍ୱର, ଯାଜପୁର, କଟକ ଏବଂ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ପ୍ରାୟ ସବୁଠି ଜଳବନ୍ଦୀ ଓ ବନ୍ୟା ସ୍ଥିତି ସାଙ୍ଘାତିକ ହୋଇପଡ଼ିଛି ।

ରାଜ୍ୟରେ ଏବେ ବନ୍ୟା ସ୍ଥିତି ସୁଧୁରି ନଥିବାବେଳେ ପୁଣି ଥରେ ଡରାଉଛି ବର୍ଷା ଓ ବନ୍ୟା ଭୟ । ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଭିତରେ ସୃଷ୍ଟି ହେବାକୁ ଯାଉଛି ପୁଣି ଏକ ଲଘୁଚାପ କ୍ଷେତ୍ର । ଫଳରେ ରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ଲାଗିରହିବ ପ୍ରବଳରୁ ଅତି ପ୍ରବଳ ବର୍ଷା । ଏଥିପାଇଁ ରାଜ୍ୟର ୬ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ପାଇଁ ଜାରି କରାଯାଇଛି ଅରେଞ୍ଜ ଆଲର୍ଟ । ଅନ୍ୟ ୧୧ଟି ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ଆଲର୍ଟ ।

ଏହାରି ଭିତରେ ସାମ୍ନାକୁ ଆସୁଛି ବନ୍ୟାର ଭୟାନକ ଚିତ୍ର । ଭଦ୍ରକ ତିହିଡ଼ି ବିଲଣା ପଞ୍ଚାୟତ ଲଞ୍ଜାତରା ଗାଁ ନିକଟର । ଯେଉଁଠି ସାଳନ୍ଦୀର ଶାଖା ନାଳିଆ ନଦୀରେ ସୃଷ୍ଟି ହୋଇଛି ପ୍ରାୟ ୩୦୦ ଫୁଟର ବିରାଟ ଘାଇ । ଫଳରେ ୨ଟି ପଞ୍ଚାୟତର ୧୫ରୁ ଅଧିକ ଗାଁ ବନ୍ୟା ପାଣିରେ ବୁଡ଼ି ରହିଛି । ଲଞ୍ଜାତରା ଗାଁର ୧୦୦ରୁ ଅଧିକ ପରିବାର ଜଳବନ୍ଦୀ । କାନ୍ଥ ଭୁଶୁଡ଼ି ପଡ଼ିବାରୁ ଅନେକ ଲୋକ ବେଘର ହୋଇ ଖୋଲା ଆକାଶ ତଳେ ଦିନ ବିତାଉଛନ୍ତି । ସେହି ତିହିଡ଼ି ବ୍ଲକ୍ ବାରୋ ଡିହ ନିକଟରେ ସୃଷ୍ଟି ହୋଇଛି ୭୦ ଫୁଟରୁ ବଡ଼ ଆଉ ଏକ ଘାଇ । ଫଳରେ ୩ଟି ପଞ୍ଚାୟତର ଅନେକ ଗାଁ ଓ ଶହ ଶହ ହେକ୍ଟର ଚାଷ ଜମି ହୋଇଛି ଜଳମଗ୍ନ ।

ସେହିପରି ବାସୁଦେବପୁରରେ ଗମେଇ ନଦୀ ବନ୍ୟା ଯୋଗୁଁ ରାସ୍ତା ଉପରେ ୩ ଫୁଟର ପାଣି ଚାଲୁଥିବା ବେଳେ, ଯାଜପୁର ଦଶରଥପୁରଠାରେ କାଣୀ ନଦୀର ଘାଇ ମରାମତି ସ୍ଥାନରେ ପୁଣି ୩ ଫୁଟ ଉଚ୍ଚରେ ପାଣି ବୋହିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି ।

ଲଗାଣ ବର୍ଷା ଓ ସୃଷ୍ଟ ବନ୍ୟା କେମିତି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ବସ୍ତାରେ ଜଳକା ନଦୀ ବିପଦ ସଙ୍କେତ (୬.୫୦ ମି.) ନିକଟରେ ଜଳସ୍ତର ପ୍ରବାହିତ ହେଉଛି । ୧୨ ଦିନ ପରେ ବି ଜଳ ନିଷ୍କାସନ ହୋଇନପାରି ହଜାର ହଜାର ହେକ୍ଟର ଧାନ ତଳି ପଚି ନଷ୍ଟ ହୋଇଯାଇଛି । ସାପୁଆ ଓ କଣ୍ଟିଆ ନଦୀ ଫୁଲିବା ଯୋଗୁଁ ଆଠଗଡ଼ ଓ ତିଗିରିଆ ଅଞ୍ଚଳର ପ୍ରାୟ ୨୨ ଶହ ୨୦ ହେକ୍ଟର ଜମିର ଧାନ ଓ ପରିବା ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ସାଲେପୁରରେ ଗୋବରୀ ନଦୀରେ ବରଦିଆ ଘେରିବନ୍ଧ ଯୋଗୁଁ ପାଣି ନିଷ୍କାସିତ ନହୋଇ ଅଣ୍ଟାଏ ଉଚ୍ଚର ପାଣି ଜମି ରହିଛି, ଯାହା ନଦୀର ଭ୍ରମ ସୃଷ୍ଟି କରୁଛି ।

ସେପଟେ ବନ୍ୟା ଭିତରେ ରାଜଧାନୀରୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସିଛି ବର୍ଷା ଜନିତ ଜଳବନ୍ଦୀ ସ୍ଥିତି । ଭୁବନେଶ୍ୱର ନହରକଣ୍ଟା ଓ ହରିଦାସପୁର ଅଞ୍ଚଳରେ ଆଣ୍ଠୁଏ ଉଚ୍ଚର ପାଣି । ଲୋକଙ୍କ ଘରେ ରୋଷେଇ ବନ୍ଦ, ଆମ୍ବୁଲାନ୍ସ ଆସିପାରୁନି । BMC ଓ ମେୟରଙ୍କ ବିରୋଧରେ କ୍ଷୋଭ ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ସୁବର୍ଣ୍ଣପୁର ବିନିକାରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ପାଣି ଜମି ରହିବାରୁ ପାଠପଢ଼ା ସହ ଶୌଚାଳୟ ଯିବାରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ । ବଡ଼ମ୍ବା ଗୋପୀନାଥପୁର ରାସ୍ତାରେ ବର୍ଷା ପାଣି ଜମିବା ପ୍ରତିବାଦରେ ଗ୍ରାମବାସୀ ରାସ୍ତାରୋକ କରିବାରୁ ବଡ଼ମ୍ବାରୁ ବାଙ୍କୀ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇଛି । ଏ ସବୁ ଭିତରେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ସ୍ଥିତି ଉପରେ ସରକାର ନଜର ରଖିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗୋଟିଏ ପଟେ ପୂର୍ବ ବନ୍ୟା ଓ ଜଳବନ୍ଦୀରୁ ଲୋକେ ମୁକୁଳି ନଥିବା ବେଳେ ଆସନ୍ତା ୫ ଦିନର ବର୍ଷା ଚେତାବନୀ ପୁଣି ଥରେ ସ୍ଥିତିକୁ ସଙ୍ଗୀନ କରିଦେଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: