Videos
|
Odisha

Heavy Rain Alert / ବାତ୍ୟା ନୁହେଁ, ହେବ ବଡ଼ ବର୍ଷା! ଜିଲ୍ଲାପାଳ ମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

Bikash Mohanty
Browse all articles by Bikash Mohanty
·1 hour ago·2 min read
ବାତ୍ୟା ନୁହେଁ, ହେବ ବଡ଼ ବର୍ଷା! ଜିଲ୍ଲାପାଳ ମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
Heavy rain fall

Key Points

ବାତ୍ୟା ନୁହେଁ, ହେବ ବଡ଼ ବର୍ଷା
ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ
ଜିଲ୍ଲାପାଳ ମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
ମୁଖ୍ୟଶାସନ ସଚିବ ଅନୁ ଗର୍ଗଙ୍କ ସୂଚନା 

ଭୁବନେଶ୍ୱର୨୧/୦୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେବ ନାହିଁ, ବରଂ ଏହା ଗଭୀର ଅବପାତରେ ପରିଣତ ହୋଇ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇବ। ଏହି ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ସମ୍ପର୍କରେ ସୂଚନା ଦିଆଯାଇଛି।

କାଲିଠୁ ଆରମ୍ଭ ହେବ ବର୍ଷା


ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ତେବେ ୨୩ ଏବଂ ୨୪ ତାରିଖ ଦୁଇ ଦିନ ରାଜ୍ୟ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ରହିବ। ଏହି ଦୁଇ ଦିନ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ରାଜ୍ୟର ୧୧ଟି ଜିଲ୍ଲା ଏହି ଗଭୀର ଅବପାତ ଦ୍ୱାରା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି।

ଜିଲ୍ଲାପାଳଙ୍କୁ ଆଲର୍ଟ, ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ

ପରିସ୍ଥିତିକୁ ଦୃଷ୍ଟିରେ ରଖି ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ସମସ୍ତ ଜିଲ୍ଲାପାଳମାନଙ୍କୁ ସଜାଗ ଓ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଜିଲ୍ଲାରେ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍ ଖୋଲିବାକୁ କୁହାଯାଇଥିବା ବେଳେ ଏସଆରସି (SRC) ଅଫିସରେ ଆଜିଠାରୁ ହିଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ପରିଚାଳନା ଆରମ୍ଭ ହୋଇଯାଇଛି।

ପଢନ୍ତୁ ଏହି ଖବର: ଚିହ୍ନିତ ହେଲା ଲଘୁଚାପ କ୍ଷେତ୍ର, କାଲିଠାରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଡ୍ୟାମ୍ ଜଳସ୍ତର ସମୀକ୍ଷା ଓ ପ୍ରଶାସନିକ ସତର୍କତା

ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଜଳଭଣ୍ଡାରଗୁଡ଼ିକର କ୍ଷମତା ସମୀକ୍ଷା କରାଯାଇଛି। ଇନ୍ଦ୍ରାବତୀ ଏବଂ ତେଲିଙ୍ଗିରି ଡ୍ୟାମ୍ରୁ ପାଣି କମାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ବାଲିମେଳା ଓ କୋଲାବ ଡ୍ୟାମ୍ରେ ବର୍ତ୍ତମାନ ସେତେଟା ଜଳସ୍ତର ନାହିଁ। ସହରାଞ୍ଚଳ ଓ ନାଲା ନିକଟସ୍ଥ ପାଣି ଜମୁଥିବା ଜାଗାଗୁଡ଼ିକରେ ତୁରନ୍ତ ନିଷ୍କାସନ ପାଇଁ ମ୍ୟାନ୍ ପାୱାର ଏବଂ ମେସିନ୍ (ପମ୍ପ) ପ୍ରସ୍ତୁତ ରଖିବାକୁ କୁହାଯାଇଛି।

ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସମ୍ପୂର୍ଣ୍ଣ ପ୍ରସ୍ତୁତ

ସମ୍ଭାବ୍ୟ ବନ୍ୟା ବା ଜଳବନ୍ଦୀ ଅଞ୍ଚଳରୁ ଗର୍ଭବତୀ ମହିଳାମାନଙ୍କୁ ସୁରକ୍ଷିତ ଭାବେ ମାତୃଗୃହ କିମ୍ବା ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି। ଆଜିଠାରୁ ହିଁ ସମୁଦ୍ରକୁ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।

ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ଏସଆରସି, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା, ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ଅଗ୍ନିଶମ ଡିଜି ଏବଂ ଆଇନଶୃଙ୍ଖଳା ଏଡିଜି ପ୍ରମୁଖ ଉପସ୍ଥିତ ରହି ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ।