Videos
|
Odisha

Odisha Industrial Growth / ଓଡ଼ିଶାରେ ଶିଳ୍ପାୟନକୁ ମିଳିବ ନୂଆ ଗତି; ୬୩ଟି ପ୍ରକଳ୍ପ ପ୍ରସ୍ତାବକୁ ଜମି ଆବଣ୍ଟନ କମିଟିର ଅନୁମୋଦନ

Debashree Debasmita Sahoo
Browse all articles by Debashree Debasmita Sahoo
·50 mins ago·2 min read
ଓଡ଼ିଶାରେ ଶିଳ୍ପାୟନକୁ ମିଳିବ ନୂଆ ଗତି; ୬୩ଟି ପ୍ରକଳ୍ପ ପ୍ରସ୍ତାବକୁ ଜମି ଆବଣ୍ଟନ କମିଟିର ଅନୁମୋଦନ
Odisha Industrial Growth

Key Points

ଶିଳ୍ପ ଭିତ୍ତିଭୂମି ସୁଦୃଢ଼ ଓ ଉଦ୍ୟୋଗ ବିକାଶ ହେବ
୫୫ଟି ଜମି ଆବଣ୍ଟନ ଓ ୮ଟି MSME ପ୍ରସ୍ତାବ ଅନୁମୋଦିତ
ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ପରିବେଶକୁ ଅଧିକ ସୁଦୃଢ଼ କରିବା ଏବଂ ପୁଞ୍ଜିନିବେଶଭିତ୍ତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇଛି । ଇଡ୍‌କୋର ଅଧ୍ୟକ୍ଷା ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଜମି ଆବଣ୍ଟନ କମିଟି ବୈଠକରେ ୬୩ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।

ଅନୁମୋଦିତ ପ୍ରସ୍ତାବ ମଧ୍ୟରେ ୫୫ଟି ଜମି ଆବଣ୍ଟନ ପ୍ରସ୍ତାବ ଏବଂ ୮ଟି କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ସମ୍ପର୍କିତ ପ୍ରସ୍ତାବ ରହିଛି। ଏହି ଅନୁମୋଦନ ଦ୍ୱାରା ରାଜ୍ୟରେ ଶିଳ୍ପ ଓ ଉଦ୍ୟୋଗ ପ୍ରତିଷ୍ଠା ତଥା ସମ୍ପ୍ରସାରଣକୁ ସୁଗମ କରିବା ସହ ଶିଳ୍ପ ଭିତ୍ତିଭୂମି ସୁଦୃଢ଼ ହେବ ଏବଂ ନୂତନ ପୁଞ୍ଜିନିବେଶ ଓ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।

  • ପ୍ରତି ମାସରେ ବସିବ ଜମି ଆବଣ୍ଟନ କମିଟି ବୈଠକ
ଉଷା ପାଢ଼ୀଙ୍କ ନେତୃତ୍ୱରେ ଇଡ୍‌କୋ ପକ୍ଷରୁ ଜମି ଆବଣ୍ଟନ ପ୍ରକ୍ରିୟାକୁ ସରଳ ଓ ସୁବ୍ୟବସ୍ଥିତ କରିବା, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଏବଂ ପୁଞ୍ଜିନିବେଶ ପ୍ରସ୍ତାବଗୁଡ଼ିକର ନିର୍ଦ୍ଧାରିତ ସମୟ ମଧ୍ୟରେ ନିଷ୍ପତ୍ତି ନେବା ଲାଗି ଅନେକ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପ୍ରୟାସର ଅଂଶସ୍ୱରୂପ, ଜମି ଆବଣ୍ଟନ ପ୍ରସ୍ତାବଗୁଡ଼ିକର ନିୟମିତ ଓ ସମୟୋଚିତ ବିଚାର ପାଇଁ ଏବେ ପ୍ରତି ମାସରେ ଜମି ଆବଣ୍ଟନ କମିଟି ବୈଠକ ଅନୁଷ୍ଠିତ ହେଉଛି। ଏଥିସହ ନିବେଶକ ଓ ଉଦ୍ୟୋଗୀମାନଙ୍କ ଅଭିଯୋଗ ଶୁଣିବା ଏବଂ ତାହାର ସମାଧାନ ପାଇଁ ପ୍ରତି ସପ୍ତାହରେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ ସହ ଜମି ଆବଣ୍ଟନ ପ୍ରକ୍ରିୟା ଅଧିକ ଉତ୍ତରଦାୟୀ ହୋଇପାରିଛି ।

ଏହି ପଦକ୍ଷେପଗୁଡ଼ିକର ମୂଳ ଲକ୍ଷ୍ୟ ହେଉଛି ପ୍ରକ୍ରିୟାଗତ ବିଳମ୍ବ ହ୍ରାସ କରିବା, ସ୍ୱଚ୍ଛତା ବୃଦ୍ଧି କରିବା, ବ୍ୟବସାୟିକ ସୁଗମତାକୁ ଅଧିକ ମଜଭୁତ କରିବା ଏବଂ ନିବେଶକ ଓ ଉଦ୍ୟୋଗୀମାନଙ୍କ ପ୍ରସ୍ତାବକୁ ବାସ୍ତବ ପ୍ରକଳ୍ପରେ ପରିଣତ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା । ଏମ୍‌ଏସ୍‌ଏମ୍‌ଇ ପ୍ରସ୍ତାବଗୁଡ଼ିକ ଉପରେ ଗୁରୁତ୍ୱ ଦିଆଯିବା ଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି, ନବସୃଜନ ଓ ନିଯୁକ୍ତି ସୃଷ୍ଟିରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱ ସ୍ପଷ୍ଟ ହୋଇଛି । ଶିଳ୍ପ ଜମି ଓ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧ କରାଇ ରାଜ୍ୟରେ ବିଭିନ୍ନ ସ୍ତରର ଉଦ୍ୟୋଗଗୁଡ଼ିକର ପ୍ରତିଷ୍ଠା, ସମ୍ପ୍ରସାରଣ ଓ ବିକାଶ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବାତ୍ୟା ଅର୍ଣ୍ଣବର କ୍ଷୟକ୍ଷତି ନେଇ କେନ୍ଦ୍ର ନିକଟରେ ୨୫୨୬ କୋଟି ସହାୟତା ଦାବି କଲା ଓଡ଼ିଶା

ଶିଳ୍ପ ବିକାଶକୁ ଆଗେଇ ନେବାରେ ଜମି ଆବଣ୍ଟନ କମିଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଜମି ସମ୍ପର୍କିତ ପ୍ରସ୍ତାବଗୁଡ଼ିକର ଯାଞ୍ଚ ଓ ଅନୁମୋଦନ ମାଧ୍ୟମରେ ଏହି କମିଟି ନିବେଶକ ଓ ଉଦ୍ୟୋଗୀମାନଙ୍କୁ ସେମାନଙ୍କ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଦିଗରେ ଆଗକୁ ବଢ଼ିବାର ସୁଯୋଗ ଦେଇଥାଏ । ମାସିକ ବୈଠକ ମାଧ୍ୟମରେ ଜମି ଆବଣ୍ଟନ ପ୍ରକ୍ରିୟାକୁ ନିୟମିତ କରିବା ସହ ସାପ୍ତାହିକ ଅଭିଯୋଗ ଶୁଣାଣି ବ୍ୟବସ୍ଥା ଇଡ୍‌କୋର ସ୍ୱଚ୍ଛ, ଉତ୍ତରଦାୟୀ ଓ ନିବେଶକ ଅନୁକୂଳ ଶିଳ୍ପ ପ୍ରଶାସନ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।