Videos
|
Odisha

Weather Warning / ରାଜ୍ୟରେ ସକ୍ରିୟ ନାହିଁ ମୌସୁମୀ, ଏବେ ସୁଦ୍ଧା ୪୬ ପ୍ରତିଶତ ନିଅଣ୍ଟିଆ ବର୍ଷା,୨୫ ବେଳକୁ ବଢ଼ିପାରେ ବର୍ଷାର ପରିମାଣ

Bikash Mohanty
Browse all articles by Bikash Mohanty
·2 months ago·2 min read
ରାଜ୍ୟରେ ସକ୍ରିୟ ନାହିଁ ମୌସୁମୀ, ଏବେ ସୁଦ୍ଧା ୪୬ ପ୍ରତିଶତ ନିଅଣ୍ଟିଆ ବର୍ଷା,୨୫ ବେଳକୁ ବଢ଼ିପାରେ ବର୍ଷାର ପରିମାଣ
Monsoon

Key Points

ରାଜ୍ୟରେ ମୌସୁମୀ ସକ୍ରିୟ ନାହିଁ 
ଜୁନ୍‌ରେ ଏବେ ସୁଦ୍ଧା ୪୬% ନିଅଣ୍ଟିଆ ରହିଛି ବର୍ଷା 
ଜୁନ୍‌ ୨୫ ତାରିଖ ବେଳକୁ ବର୍ଷା ପରିମାଣ ବଢ଼ିପାରେ
ଭୁବନେଶ୍ବର,୧୯/୦୬: ରାଜ୍ୟରେ ମୌସୁମୀ ସକ୍ରିୟ ନାହିଁ । ଜୁନ୍‌ରେ ଏବେ ସୁଦ୍ଧା ୪୬% ନିଅଣ୍ଟିଆ ରହିଛି ବର୍ଷା । ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ମୌସୁମୀ ଧୀରେ ଧୀରେ ସକ୍ରିୟ ହେବ । ୨୨ରୁ ପାଗ ବଦଳିପାରେ । ଜୁନ୍‌ ଶେଷ ସପ୍ତାହରେ (୨୫ ତାରିଖ ବେଳକୁ) ରାଜ୍ୟରେ ବର୍ଷା ପରିମାଣ ବଢ଼ିପାରେ । କିନ୍ତୁ, ଗରମ ଓ ଗୁଳୁଗୁଳି ବଡ଼ଧରଣର ଆଶ୍ୱସ୍ତି ମିଳିବା ସମ୍ଭାବନା କମ୍‌ ।

ରାଜ୍ୟରେ ବଡ଼ ଧରଣର କିମ୍ବା ବିସ୍ତୃତ ଅଞ୍ଚଳରେ ବର୍ଷା ନଥିବାରୁ ଗରମ ପ୍ରକୋପ ଜାରି ରହିଛି । ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ବିସ୍ତାରିତ ପୂର୍ବାନୁମାନ ଅନୁସାରେ, ରାଜ୍ୟରେ ଏବେ ଗରମ ଓ ଗୁଳୁଗୁଳି ପ୍ରକୋପରୁ ବିଶେଷ ଆଶ୍ୱସ୍ତି ମିଳିବା ଆଶା ଦେଖା ଯାଉନି । ଚଳିତ ସପ୍ତାହ ଶେଷବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । 
ଆସନ୍ତା ୨୫ ତାରିଖବେଳକୁ ସକ୍ରିୟ ହେବା ସମ୍ଭାବନା ଅଛି । ଏମିତି ହେଲେ ଜୁନ୍‌ ଶେଷ ସପ୍ତାହରେ ବର୍ଷା ପରିମାଣ ବଢ଼ିପାରେ । ୨୫ ଜୁନ୍‌ରୁ ଜୁଲାଇ ୧ ଭିତରେ ଓଡ଼ିଶା, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ବିହାରରେ ମୌସୁମୀ ଆଗେଇବାକୁ ପାଗ ଅନକୂଳ ରହିପାରେ ।ଏହି ସପ୍ତାହରେ ବର୍ଷା ପରିମାଣ ଅଧିକ ରହିପାରେ । ହେଲେ ଲଗାଣ ବର୍ଷା ନେଇ କୌଣସି ପୂର୍ବାନୁମାନ କରାଯାଇନି । ଏହି ସମୟରେ ପୂର୍ବ ଭାରତରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଦେଢ଼ରୁ ୩ ଡିଗ୍ରୀ ଅଧିକ ରହିପାରେ ।

ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ଏବେ ଧୀରେ ଧୀରେ ମୌସୁମୀ ଆଗେଇବ । ୨୧ ୨୨ରୁ ପାଗ ବଦଳିବା ସହ ବର୍ଷା ପରିମାଣ କିଛି ମାତ୍ରା ବଢ଼ିପାରେ । ୨୫ବେଳକୁ ଆହୁରି ଅଧିକ ବର୍ଷା ସମ୍ଭାବନା ଅଛି । ଜୁନ୍‌ ଶେଷ ବେଳକୁ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏମିତି ହେଲେ ରାଜ୍ୟରେ ଭଲ ବର୍ଷା ହୋଇପାରେ । ତେବେ ବର୍ଷା ହେଲେ ବି ଗୁଳୁଗୁଳି ପ୍ରକୋପ ଜାରି ରହିପାରେ ବୋଲି ଡକ୍ଟର ସାହୁ ଆକଳନ କରିଛନ୍ତି।

ପଢନ୍ତୁ ଏହି ଖବର: ଆସୁଛି ଲଘୁଚାପ, ସକ୍ରିୟ ହେବ ମୌସୁମୀ,ଜୁନ୍ ୨୪ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ କିଛି ବର୍ଷର ରେକର୍ଡରୁ ଜଣାଯାଇଛି, ୨୦୦୯ରେ ଦେଶରେ ସବୁଠାରୁ କମ୍‌ ବର୍ଷା ହୋଇଥିଲା । ସେଇ ବର୍ଷ ଏଲ୍‌ ନିନୋ ଦୁର୍ବଳ ଥିଲେ ମଧ୍ୟ ଦେଶରେ ୨୨% ବର୍ଷା ନିଅଣ୍ଟିଆ ଥିଲା । ସେ ବର୍ଷ ଜୁନ୍‌ରେ ୪୭% ବର୍ଷା ଅଭାବ ଥିଲା । ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦% ବର୍ଷା ନିଅଣ୍ଟିଆ ରହିଛି ଦେଶରେ । ଆଗକୁ ଯଦି ଭଲ ବର୍ଷା ନ ହୁଏ, ଏ ସ୍ଥିତି ଆହୁରି ସଙ୍କଟ ସୃଷ୍ଟି କରିବ ।
ରାଜ୍ୟରେ ଏବେ ବି ୪୬% ନିଅଣ୍ଟିଆ ବର୍ଷା ସ୍ଥିତି ଯୋଗୁ ଚାଷ କାମ ଆଗେଇପାରୁନି । ଢେଙ୍କାନାଳ, ନୟାଗଡ଼କୁ ଛାଡ଼ିଦେଲେ ସବୁଠି ବର୍ଷା କମ୍‌ ରହିଛି । ପଶ୍ଚିମ ଓଡ଼ିଶାରେ ୫୦%ରୁ ୮୫% ପର୍ଯ୍ୟନ୍ତ ବର୍ଷା ନିଅଣ୍ଟିଆ ଅଛି । ଉପକୂଳ ଓଡ଼ିଶାର ପୁରୀର ୬୫% ବର୍ଷା କମ୍‌ ରହିଛି ଆଜି ସୁଦ୍ଧା । ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼ରେ ୬୦% ରୁ ୮୫% ପର୍ଯ୍ୟନ୍ତ ବର୍ଷା କମ୍‌ ହୋଇଛି ।

ଗତକାଲି ବୌଦ୍ଧରେ ୪୨.୮ ଡିଗ୍ରୀ ସେଲସିୟସ୍‌, ସମ୍ବଲପୁରରେ ୪୦ ଡିଗ୍ରୀ ଥିଲା ତାପମାତ୍ରା । ଭୁବନେଶ୍ୱର ତାପମାତ୍ରା ୩୮.୯ ଥିବାବେଳେ ଉପକୂଳରେ ପ୍ରାୟତଃ ୩୭ ଡିଗ୍ରୀ ଟପିଥିଲା । ପଶ୍ଚିମରେ ଅନେକ ସ୍ଥାନରେ ପାରଦ ୩୮-୩୯ ଡିଗ୍ରୀ ଉପରେ ଥିଲା । ଦିନ ଭିତରେ ଭୁବନେଶ୍ୱରରେ ହାଲୁକା ବର୍ଷା ହୋଇଥିବାବେଳେ ପ୍ରାୟତଃ ପାଗ ଶୁଖିଲା ରହିଥିଲା । ଉପକୂଳରେ ଗୁଳୁଗୁଳି ପ୍ରକୋପ ଅସ୍ତବ୍ୟସ୍ତ କରୁଛି ।