ମୋଦିଙ୍କ ବିକାଶ ଧାରାରେ ଓଡ଼ିଶାକୁ ସାମିଲ କରିବାକୁ ଓଡ଼ିଆ ସାଂସଦଙ୍କ ବଡ଼ ଆକାଂକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ଓଡ଼ିଶାର ଜୟଜୟକାର। ସଂସଦ ସେଣ୍ଟ୍ରାଲ୍ ହଲ୍ NDA ବୈଠକରେ ଯୋଗଦେଲେ ଓଡ଼ିଶା ବିଜେପି ସାଂସଦ। ହେଭିୱେଟଙ୍କ ସମେତ ପ୍ରଥମ ଥର ସଂସଦ ଯାଇଥିବା ବିଜେପି ନେତାଙ୍କ ମଧ୍ୟରେ ଅପୂର୍ବ ଉତ୍କଣ୍ଠା। ମୋଦିଙ୍କ ବିକାଶ ଧାରାରେ ଓଡ଼ିଶାକୁ ସାମିଲ କରିବାକୁ ଓଡ଼ିଆ ସାଂସଦଙ୍କ ବଡ଼ ଆକାଂକ୍ଷା। ସଂସଦର ସେଣ୍ଟ୍ରାଲ୍ ହଲ୍। NDA ସରକାରର ତୃତୀୟ ପାଳି ପାଇଁ ମେଣ୍ଟର ନେତା ଚୟନ ପାଇଁ ଏକାଠି ହେଲେ ସାରା ଦେଶର ବିଜେପି ଓ ସହଯୋଗୀ ଦଳର ନବ ନିର୍ବାଚିତ ସାଂସଦ। ଏମାନଙ୍କ ସହ ସାମିଲ ହୋଇଛନ୍ତି ଓଡ଼ିଶାରୁ ନୂଆକରି ନିର୍ବାଚିତ ହୋଇଥିବା 20 ଜଣ ବିଜେପି ସାଂସଦ। ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ସମ୍ବିତ ପାତ୍ର, ରୁଦ୍ର ପାଣିଙ୍କ ଭଳି ହେଭିୱେଟ୍ ନେତାଙ୍କ ସହ ସାମିଲ ହୋଇଛନ୍ତି ଦଳର ବହୁ ନୂଆ ଚେହେରା। ମୋଦିଙ୍କୁ ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ କରିବା ପାଇଁ ଏନଡିଏ ବୈଠକରେ ମୋହର ବାଜିଛି । ଦେଶର ବିକାଶକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଏନଡିଏ ନେତାମାନେ ଦୃଢ଼ ମତ ରଖିଛନ୍ତି।
ଆଉ ଦେଶ ସହ ରାଜ୍ୟର ବିକାଶକୁ ନେଇ ଓଡ଼ିଆ ବିଜେପି ସାଂସଦଙ୍କ ମନରେ ଅପୂର୍ବ ଉତ୍କଣ୍ଠା। ଓଡ଼ିଶାର ନବ ନିର୍ବାଚିତ ବିଜେପି ସାଂସଦଙ୍କ ମଧ୍ୟରେ ଅନେକ ଏମିତି ଅଛନ୍ତି ଯେଉଁମାନେ ପ୍ରଥମ ଥର ମାଡ଼ିଛନ୍ତି ସଂସଦ ମାଟି। ବରଗଡ଼ରୁ ପ୍ରଦୀପ ପୁରୋହିତ, ଭଦ୍ରକରୁ ଅଭିମନ୍ୟୁ ସେଠୀ, ଯାଜପୁରରୁ ରବୀନ୍ଦ୍ର ନାରାୟଣ ବେହେରା, ମୟୂରଭଞ୍ଜରୁ ନବ ଚରଣ ମାଝୀ, ଆସ୍କାରୁ ଅନୀତା ଶୁଭଦର୍ଶିନୀ, କଳାହାଣ୍ଡିରୁ ମାଳବିକା ଦେବୀ, ବ୍ରହ୍ମପୁରରୁ ପ୍ରଦୀପ ପାଣିଗ୍ରାହୀ, କନ୍ଧମାଳରୁ ସୁକାନ୍ତ ପାଣିଗ୍ରାହୀ ପ୍ରଥମ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ମୋଦିଙ୍କ ବିକାଶ ଧାରାରେ ଓଡ଼ିଶାକୁ ସାମିଲ କରିବାକୁ ଏହି ଓଡ଼ିଆ ସାଂସଦଙ୍କ ମନରେ ବଡ଼ ଆକାଂକ୍ଷା। ପ୍ରଥମ ଥର ପାଇଁ ଓଡ଼ିଶାରୁ ଏତେ ସଂଖ୍ୟକ ଜିତିଛନ୍ତି ବିଜେପି ସାଂସଦ। ଅନ୍ୟପଟେ ମୂଳପୋଛ ହୋଇଯାଇଛି ବିଜୁ ଜନତା ଦଳ। ବିଜେଡି ଗଠନ ପରଠାରୁ ପ୍ରଥମ ଥର ପାଇଁ ସଂସଦରେ ଦଳର ପ୍ରତିନିଧିତ୍ବ ଶୂନ ହୋଇଛି। କେନ୍ଦ୍ରରେ ପୁଣି ଥରେ ବିଜେପି ନେତୃତ୍ବରେ ସରକାର ଗଢ଼ିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଛି ଓଡ଼ିଶା।
ଅଧିକ ପଢନ୍ତୁ ଓଡ଼ିଶା ଖବର