Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

SMC Guidelines 2026 Odisha / ୨୦୨୬ ଜୁଲାଇ ପହିଲାରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଗଠିତ ହେବ ନୂତନ ପରିଚାଳନା କମିଟି

Subhramjit Ray
Browse all articles by Subhramjit Ray
·2 weeks ago·2 min read
୨୦୨୬ ଜୁଲାଇ ପହିଲାରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଗଠିତ ହେବ ନୂତନ ପରିଚାଳନା କମିଟି
SMC Guidelines 2026 Odisha

Key Points

ପୁରୁଣା SMC କାର୍ଯ୍ୟକାଳ ଜୁନ୍ ୩୦ ତାରିଖରେ ଶେଷ ହେଉଛି। ନୂତନ ଗାଇଡଲାଇନ୍ ଅନୁଯାୟୀ ଗୋଟିଏ SMC, ଦୁଇଟି ଉପକମିଟି ଗଠନ ନିର୍ଦ୍ଦେଶ ରହିଛି।
New School Management Committee Odisha 1 July 2026: ରାଜ୍ୟର ସମସ୍ତ ସରକାରୀ ଏବଂ ସରକାରୀ ସହାୟତାପ୍ରାପ୍ତ ବିଦ୍ୟାଳୟରେ ନୂଆ ସ୍କୁଲ ପରିଚାଳନା କମିଟି (School Management Committee) ଗଠନ ପାଇଁ ସମଗ୍ର ଶିକ୍ଷା ପକ୍ଷରୁ ସବୁ ଜିଲା ଶିକ୍ଷା ଅଧିକାରୀ (DEO) ତଥା ଜିଲା ପ୍ରକଳ୍ପ ସଂଯୋଜକଙ୍କୁ (DPC) ନିର୍ଦ୍ଦେଶ ଜାରି କରାଯାଇଛି। ଚଳିତ ମାସ ୩୦ ତାରିଖରେ ବର୍ତ୍ତମାନର ବିଦ୍ୟାଳୟ ପରିଚାଳନା କମିଟି ଏବଂ ବିଦ୍ୟାଳୟ ପରିଚାଳନା ଏବଂ ବିକାଶ କମିଟି (School Management and Development Committee) କାର୍ଯ୍ୟକାଳ ଶେଷ ହେଉଛି। ଏହାକୁ ନଜରରେ ରଖି ଆସନ୍ତା ଜୁଲାଇ ପହିଲାରୁ ନୂଆ କମିଟି ଗଠନ ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି।

ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସଙ୍କ ପକ୍ଷରୁ ଜାରି ହୋଇଥିବା ଚିଠିରେ କୁହାଯାଇଛି ଯେ, କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପ୍ରସ୍ତୁତ "ସ୍କୁଲ ମ୍ୟାନେଜମେଣ୍ଟ କମିଟି ଗାଇଡଲାଇନ୍ସ-୨୦୨୬" (School Management Committee Guidelines-2026) କୁ ଓଡ଼ିଶା ପରିପ୍ରେକ୍ଷୀରେ ରୂପାନ୍ତର କରି କାର୍ଯ୍ୟକାରୀ କରାଯାଉଛି। ଏହି ନୂଆ ବ୍ୟବସ୍ଥାରେ ପୂର୍ବରୁ ଥିବା SMC ଏବଂ SMDC ବଦଳରେ ପ୍ରତ୍ୟେକ ବିଦ୍ୟାଳୟରେ କେବଳ ଗୋଟିଏ ସ୍କୁଲ ପରିଚାଳନା କମିଟି ରହିବ। ଏହା ଅଧିନରେ "ସ୍କୁଲ ବିଲ୍ଡିଂ କମିଟି" (School Building Committee) ଏବଂ "ସ୍କୁଲ ଏକାଡେମିକ କମିଟି" (School Academic Committee) ନାମରେ ଦୁଇଟି ଉପ-କମିଟି (Sub-Committee) ଗଠନ କରାଯିବ। ଯାହା ବିଦ୍ୟାଳୟର ଭିତ୍ତିଭୂମି ବିକାଶ, ରକ୍ଷଣାବେକ୍ଷଣ ଏବଂ ଶିକ୍ଷାର ମାନ ସୁଧାରିବା କ୍ଷେତ୍ରରେ ସ୍କୁଲ ପରିଚାଳନା କମିଟିକୁ ସହଯୋଗ କରିବ।

ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ଆଧାର କରି ଏସଏମଏସି ସଦସ୍ୟ ସଂଖ୍ୟା ନିର୍ଦ୍ଧାରଣ କରାଯିବ। ୧୦୦ ଜଣରୁ କମ୍ ଛାତ୍ରଛାତ୍ରୀ ରହିଥିବା ସ୍କୁଲରେ ୧୫ ଜଣ, ୧୦୦ ଜଣରୁ ୫୦୦ ମଧ୍ୟରେ ଛାତ୍ରଛାତ୍ରୀ ରହିଥିଲେ ୨୦ ଜଣ ଏବଂ ୫୦୦ ଶହରୁ ଅଧିକ ଛାତ୍ରଛାତ୍ରୀ ରହିଥିବା ବିଦ୍ୟାଳୟରେ ୨୫ ଜଣିଆ କମିଟି ଗଠନ କରାଯିବ। କମିଟିର ୭୫ ପ୍ରତିଶତ ସଦସ୍ୟ ଅଭିଭାବକ ହେବେ। ସେମାନଙ୍କ ମଧ୍ୟରୁ ଅତିକମରେ ୫୦ ପ୍ରତିଶତ ମହିଳାଙ୍କୁ ସ୍ଥାନ ଦିଆଯିବା ସହ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ ଏବଂ ସ୍ୱତନ୍ତ୍ର ଆବଶ୍ୟକତାସମ୍ପନ୍ନ ଶିଶୁଙ୍କ ଅଭିଭାବକଙ୍କ ପ୍ରତିନିଧିତ୍ୱ ମଧ୍ୟ ସୁନିଶ୍ଚିତ କରାଯିବ।

ସମଗ୍ର ଶିକ୍ଷା ପକ୍ଷରୁ ଏହି ପ୍ରକ୍ରିୟା ପାଇଁ ସ୍ୱତନ୍ତ୍ର ସମୟସୂଚୀ ମଧ୍ୟ ଜାରି କରାଯାଇଛି। ସେହି ଅନୁଯାୟୀ ଜୁଲାଇ ୧ ତାରିଖରୁ ୧୫ ମଧ୍ୟରେ ଅଭିଭାବକ ସାଧାରଣ ସଭା ଏବଂ ସଦସ୍ୟ ଚୟନ କରାଯିବ। ଜୁଲାଇ ୧୭ ସୁଦ୍ଧା କମିଟି ଗଠନ ସମ୍ପର୍କିତ ପ୍ରସ୍ତାବ ଅନୁମୋଦନ କରି ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟକୁ ପଠାଇବାକୁ ହେବ। ଜୁଲାଇ ୨୧ ସୁଦ୍ଧା ବ୍ଲକ ସ୍ତରରୁ ସମସ୍ତ ସୂଚନା ସଂଗ୍ରହ କରାଯିବା ପରେ ଜୁଲାଇ ୨୨ ସୁଦ୍ଧା ରାଜ୍ୟ ପ୍ରକଳ୍ପ କାର୍ଯ୍ୟାଳୟକୁ ସମନ୍ୱିତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି।

ନୂତନ ପରିଚାଳନା କମିଟିକୁ ବିଦ୍ୟାଳୟର ଶିକ୍ଷାର ଗୁଣବତ୍ତା ବୃଦ୍ଧି, ଛାତ୍ରଛାତ୍ରୀଙ୍କ ନିୟମିତ ଉପସ୍ଥିତି, ମଧ୍ୟାହ୍ନ ଭୋଜନ, ମୌଳିକ ଭିତ୍ତିଭୂମି, ପରିମଳ ବ୍ୟବସ୍ଥା, ବିଦ୍ୟାଳୟ ସୁରକ୍ଷା, ଆର୍ଥିକ ପରିଚାଳନା, ସାମାଜିକ ଅଡିଟ୍ ସମେତ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ନଜର ରଖିବାର ଦାୟିତ୍ୱ ଦିଆଯାଇଛି। ପ୍ରତି ୨ ବର୍ଷରେ ଏହି କମିଟି ପୁନର୍ଗଠନ କରାଯିବ ବୋଲି ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha SMC Guidelines 2026: New School Management Committees From July 1 | Argus News