|
logo
Live
Argus News App
GET APP

Argus News - ୭ ହଜାର ଟଙ୍କା ଦରମାରୁ କୋଟିପତି, ବିଦ୍ୟୁତ୍ ବେଗରେ ସମ୍ପତ୍ତି ବଢ଼ାଉଥିଲେ ଲାଞ୍ଚୁଆ ବାବୁ

Odisha

Vigilance Raid / ୭ ହଜାର ଟଙ୍କା ଦରମାରୁ କୋଟିପତି, ବିଦ୍ୟୁତ୍ ବେଗରେ ସମ୍ପତ୍ତି ବଢ଼ାଉଥିଲେ ଲାଞ୍ଚୁଆ ବାବୁ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
୭ ହଜାର ଟଙ୍କା ଦରମାରୁ କୋଟିପତି, ବିଦ୍ୟୁତ୍ ବେଗରେ ସମ୍ପତ୍ତି ବଢ଼ାଉଥିଲେ ଲାଞ୍ଚୁଆ ବାବୁ
Crorepati Officer Caugh

Key Points

  • ଦରମା ୬୦ ହଜାର, ସମ୍ପତ୍ତି କୋଟି କୋଟି
  • ଲାଞ୍ଚୁଆ ବାବୁଙ୍କ କଳା ସାମ୍ରାଜ୍ୟ
  • ୨୯ଟି ପ୍ଲଟ୍ ସହ ମିଳିଲା କେଜିଏ ସୁନା
  • ଟେଣ୍ଡର ଫିକ୍ସିଂ ଓ ବିଲ୍ ପାସ୍ ନାଁରେ ଖାଉଥିଲେ ଟଙ୍କା
ଭୁବନେଶ୍ଵର: ସରକାରୀ ଦରମା ମାତ୍ର କିଛି ହଜାର, କିନ୍ତୁ ସମ୍ପତ୍ତି ପାହାଡ଼ ଭଳି । ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କୁ ଧରିଛି ଭିଜିଲାନ୍ସ । ରେଳ ଷ୍ଟେସନରୁ ଆରମ୍ଭ ହୋଇଥିବା ଏହି ଅପରେସନ୍ ଏବେ କୋଟି କୋଟି ଟଙ୍କାର କଳା ସାମ୍ରାଜ୍ୟ ଉପରୁ ପରଦା ହଟାଇଛି ।

କଳଙ୍କି ଲାଗିଥିବା ଟ୍ରଙ୍କ୍ ଭିତରୁ ମିଳିଛି ପୁଳା ପୁଳା ନୋଟ୍ ବିଡ଼ା । ଯାହାକୁ ଦେଖି ତଦନ୍ତ କରୁଥିବା ଭିଜିଲାନ୍ସ ଟିମ୍ ବି ଚକିତ ହୋଇ ଯାଇଛି । ସମ୍ବଲପୁର ରେଳ ଷ୍ଟେସନରୁ ବାବୁଙ୍କୁ ଧରିବା ପରେ ଭୁବନେଶ୍ଵର ଓ ବ୍ରହ୍ମପୁରରେ ଚଢ଼ାଉ କରିଛି ଭିଜିଲାନ୍ସ । ଖୋଲୁଛି ବାବୁଙ୍କ ଦୁର୍ନୀତି ପେଡ଼ି ।

ଏଥିସହ ପଢ଼ନ୍ତୁ: ଭିଜିଲାନ୍ସ ଫନ୍ଦାରେ ତହସିଲଦାର, ଠାବ ହେଲା ଆଲିଶାନ ମହଲ

ଷ୍ଟେସନରୁ ମିଳିଲା ୫ ଲକ୍ଷ

ସମୟ ଅପରାହ୍ନ ୪ଟା, ସମ୍ବଲପୁର ରେଳଷ୍ଟେସନ । କଳା ରଙ୍ଗର ଏକ ବ୍ୟାଗ୍ ଧରି ଟ୍ରେନ୍‌କୁ ଅପେକ୍ଷା କରିଥିଲେ ପୋଲିସ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳ । ହଠାତ୍ ସାଦା ପୋଷାକରେ ମାଡ଼ି ବସିଥିଲେ ଭିଜିଲାନ୍ସ ଅଧିକାରୀ । ଖସି ପଳାଇବାକୁ ବିଦ୍ୟୁତ୍ ରଞ୍ଜନ ଚେଷ୍ଟା କରିଥିଲେ ବି ଶେଷରେ ଧରାପଡ଼ିଥିଲେ ।

ଯାଞ୍ଚ ବେଳେ ଷ୍ଟେସନ୍‌ରେ ତାଙ୍କ ବ୍ୟାଗ୍ ଭିତରୁ ବାହାରିଥିଲା ୫ ଲକ୍ଷ ଟଙ୍କା । ଏହି ଟଙ୍କାର ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ସଙ୍ଗେ ସଙ୍ଗେ ଆରମ୍ଭ ହୋଇଥିଲା ରେଡ୍‌ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଭଉଣୀ ଘର ଯାଞ୍ଚ ବେଳେ ଏକ ପୁରୁଣା ଟ୍ରଙ୍କ୍ ଭିତରୁ ୭୦ଟି ନୋଟ୍ ବିଡ଼ା ବାହାରିବା ଦେଖି ତଦନ୍ତକାରୀ ଟିମ୍‌ର ହୋସ୍ ଉଡ଼ିଯାଇଥିଲା ।

କ୍ଵାର୍ଟରରେ କେଜିଏ ସୁନା

ତଦନ୍ତ ଯେତିକି ଆଗଉଥିଲା, ସମ୍ପତ୍ତିର ତାଲିକା ସେତିକି ଲମ୍ବୁଥିଲା । ବିଦ୍ୟୁତ୍ ରଞ୍ଜନଙ୍କ ରସୁଲଗଡ଼ କ୍ଵାର୍ଟରରୁ ନଗଦ ୫ ଲକ୍ଷ ଟଙ୍କା ସହ ୧ କେଜିରୁ ଅଧିକ ସୁନା ଗହଣା, ୨ଟି ସୁନା ବିସ୍କୁଟ୍ ଓ ୬ଟି ସୁନା କଏନ୍ ଜବତ ହୋଇଛି ।

ଜଟଣୀ ଓ ବ୍ରହ୍ମପୁର ଭଳି ପ୍ରମୁଖ ସ୍ଥାନରେ ୨୯ଟି ପ୍ଲଟ୍‌, ୨ଟି ବହୁତଳ ପ୍ରାସାଦ ଓ କଳିଙ୍ଗ ବିହାରରେ ଏକ ବିଳାସପୂର୍ଣ୍ଣ ଫ୍ଲାଟ୍ ରହିଛି । ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଜମା ଅଛି ୩୦ ଲକ୍ଷରୁ ଅଧିକ ଟଙ୍କା । ଏହି ସବୁ ସମ୍ପତ୍ତି ବାବଦରେ ବାବୁ କୌଣସି ହିସାବ ଦେଇ ନପାରିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏଥିସହ ପଢ଼ନ୍ତୁ: ଭିଜିଲାନ୍ସ ପଞ୍ଛାରେ ପୁଣି ଜଣେ ଯନ୍ତ୍ରୀ, ଜେସିବି ସହ ୫ଟି ଦାମୀ ପ୍ଲଟ ଠାବ

୭ ହଜାର ଟଙ୍କାରୁ ଚାକିରି ଆରମ୍ଭ

୧୯୯୮ ମସିହାରେ ମାତ୍ର ୭୦୦୦ ଟଙ୍କାରେ ଚାକିରି ଆରମ୍ଭ କରିଥିଲେ ବିଦ୍ୟୁତ୍ ରଞ୍ଜନ ଭୋଳ । ୨୦୨୪ରେ ଡେପୁଟି ମ୍ୟାନେଜର ପାହ୍ୟାକୁ ପଦୋନ୍ନତି ମିଳିଥିଲା । ବର୍ତ୍ତମାନ ତାଙ୍କ ଦରମା ୫୫ ରୁ ୬୦ ହଜାର ଟଙ୍କା ।

ମାତ୍ର ଏହି ସୀମିତ ଦରମାରେ କିଭଳି ସେ କୋଟିପତି ହେଲେ, ତାହା ଏବେ ବଡ଼ ପ୍ରଶ୍ନ । ଅଭିଯୋଗ ଅନୁସାରେ, ପୋଲିସ ହାଉସିଂ କର୍ପୋରେସନର ବିଭିନ୍ନ ପ୍ରକଳ୍ପର ଟେଣ୍ଡର ଦେବା ଓ ବିଲ୍ ପାସ୍ କରିବା ପାଇଁ ସେ ଠିକାଦାରଙ୍କୁ ଶୋଷଣ କରୁଥିଲେ । ଆଗାମୀ ଦିନରେ ତାଙ୍କ ଅଧୀନରେ ହୋଇଥିବା ସମସ୍ତ ପ୍ରକଳ୍ପର ଅଡିଟ୍ କରିବା ସହ ତାଙ୍କୁ ରିମାଣ୍ଡରେ ଆଣିବାକୁ ଲକ୍ଷ୍ୟ ରଖିଛି ଭିଜିଲାନ୍ସ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vigilance Raid: ୭ ହଜାର ଟଙ୍କା ଦରମାରୁ କୋଟିପତି, ବିଦ୍ୟୁତ୍ ବେଗରେ ସମ୍ପତ୍ତି ବଢ଼ାଉଥିଲେ ଲାଞ୍ଚୁଆ ବାବୁ | Argus News