Videos
|
Odisha

Argus Odisha Health Connect / ପର ଘରେ ବାସନ ମାଜନ୍ତି ମାଆ, ଝିଅ ଏବେ ଡାକ୍ତର; ଚଷା ପୁଅ ବେକରେ ଷ୍ଟେଥୋସ୍କୋପ୍

Sushanta Sahoo
Browse all articles by Sushanta Sahoo
·2 hours ago·4 min read
ପର ଘରେ ବାସନ ମାଜନ୍ତି ମାଆ, ଝିଅ ଏବେ ଡାକ୍ତର; ଚଷା ପୁଅ ବେକରେ ଷ୍ଟେଥୋସ୍କୋପ୍
Odisha NEET Success Stories: Students From Poor Families Pursue Medicine

Key Points

ଅଭାବୀ ପରିବାରରୁ ଆସି ଯେଉଁମାନେ ଡାକ୍ତରୀ ପଢ଼ୁଛନ୍ତି ସେମାନଙ୍କ ଜୀବନ ଓ ଭବିଷ୍ୟତର ଲକ୍ଷ୍ୟ ନେଇ 'ଅର୍ଗସ୍ ଓଡ଼ିଶା ହେଲ୍‌ଥ କନେକ୍ଟ ସିଜନ-୫'ରେ ଆଲୋଚନା ହୋଇଛି । 'ବଣମଲ୍ଲୀର ମହକ' ଶୀର୍ଷକ ଆଲୋଚନାରେ ଆଗାମୀ ପିଢ଼ିର ଡାକ୍ତରମାନଙ୍କ ସହ ଚର୍ଚ୍ଚା କରିଛନ୍ତି ଅର୍ଗସ୍ ଡିଜିଟାଲ୍‌ର ସମ୍ପାଦକ ସଂଗ୍ରାମ କେଶରୀ ଷଡ଼ଙ୍ଗୀ ।
ଭୁବନେଶ୍ଵର: 'ଅର୍ଗସ୍ ଓଡ଼ିଶା ହେଲ୍‌ଥ କନେକ୍ଟ ସିଜନ-୫'ରେ ସ୍ଵାସ୍ଥ୍ୟସେବାକୁ ନେଇ ଆଲୋଚନା ସହ ଆମେ ଆଗାମୀ ପିଢ଼ିର ଡାକ୍ତରଙ୍କୁ ଯୋଡ଼ିଛୁ । ଅଭାବୀ ପରିବାରରୁ ଆସି ଯେଉଁମାନେ ଡାକ୍ତରୀ ପଢ଼ୁଛନ୍ତି ସେମାନଙ୍କ ଜୀବନ ଓ ଭବିଷ୍ୟତର ଲକ୍ଷ୍ୟ ନେଇ 'ଅର୍ଗସ୍ ଓଡ଼ିଶା ହେଲ୍‌ଥ କନେକ୍ଟ ସିଜନ-୫'ରେ ଆଲୋଚନା ହୋଇଛି । 'ବଣମଲ୍ଲୀର ମହକ' ଶୀର୍ଷକ ଆଲୋଚନାରେ ଆଗାମୀ ପିଢ଼ିର ଡାକ୍ତରମାନଙ୍କ ସହ ଚର୍ଚ୍ଚା କରିଛନ୍ତି ଅର୍ଗସ୍ ଡିଜିଟାଲ୍‌ର ସମ୍ପାଦକ ସଂଗ୍ରାମ କେଶରୀ ଷଡ଼ଙ୍ଗୀ ।


'ବଣମଲ୍ଲୀର ମହକ' ଆଲୋଚନାରେ ଭାଗ ନେଇ ନିଜ କାହାଣୀ କହିଛନ୍ତି ଗରିବ ଘରର ପୁଅ ବିପ୍ଳବ ସାମଲ । MBBS ପାଠ ଶେଷ ପରେ ସେ ଏବେ ହାଉସ୍ ସର୍ଜନ ଭାବେ କାମ କରୁଛନ୍ତି । କେନ୍ଦ୍ରାପଡ଼ା ରାଜନଗର ଘଡ଼ିଆମାଳର ବିପ୍ଳବ କୁହନ୍ତି, "ଏବେ ବି ଆମ ଗାଁରେ ଥଣ୍ଡାଜ୍ଵର ଔଷଧ ମିଳେ ନାହିଁ । ଥଣ୍ଡାଜ୍ଵର ମେଡିସିନ୍ ପାଇଁ ଆମକୁ ୧୮ କିଲୋମିଟର ଯିବାକୁ ପଡ଼ୁଛି । ମୁଁ ଗାଁର ସରକାରୀ ସ୍କୁଲ୍‌ରେ ପାଠ ପଢ଼ିଛି । ଯୁକ୍ତ ୨ ବିଜ୍ଞାନ ପଢ଼ିବା ବେଳେ ପ୍ରଥମେ ଟିକେ କଷ୍ଟ ଲାଗିଥିଲା । ସବୁ ଭୁଲିଯାଇ ପାଠ ପଢ଼ିବା ପରେ ଜିଲ୍ଲାରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲି ।"

Biplab Samal
ହଷ୍ଟେଲ ଭଡ଼ା ଦେବାକୁ ଟଙ୍କା ନଥିଲା

"ଯୁକ୍ତ ୨ ପରେ ମେଡିକାଲ୍ ପଢ଼ିବା ପାଇଁ ଆଗ୍ରହୀ ଥିଲି । ବିପ୍ଳବଙ୍କ ବାପା ଗୁଜରାଟରେ ସୂତାକଳରେ କାମ କରନ୍ତି । ଅଭାବ ଭିତରେ ମୁଁ ଭୁବନେଶ୍ଵର ଆସିଥିଲି କୋଚିଂ ପାଇଁ । ହଷ୍ଟେଲରେ ଗୋଟିଏ ମାସ ରହିବା ପରେ ଦ୍ଵିତୀୟ ମାସ ପଇସା ଦେଇ ନ ପାରିବାରୁ ମୋ ଖାଇବା ଥାଳି ଫିଙ୍ଗି ଦେଇଥିଲେ, କହିଥିଲେ ପ୍ରଥମେ ଟଙ୍କା ଦିଅ ପରେ ହଷ୍ଟେଲରେ ରହି ଖାଇବ । ମୁଁ କଥା ସେତେବେଳେ କାହାରିକୁ କହି ନଥିଲି । ଆଜି କହୁଛି…"

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Madhumita Sabar
ଜାଣିନଥିଲି NEET କ'ଣ ?

ବିପ୍ଳବଙ୍କ ଭଳି ମଧୁମିତା ଶବରଙ୍କ ଜୀବନ ମଧ୍ୟ ସଂଘର୍ଷରେ ଭରା । ମଧୁମିତାଙ୍କ ମାଆ ପର ଘରେ କାମ କରି ପରିବାର ଚଳାନ୍ତି । ମଧୁମିତା କୁହନ୍ତି, "ପରିବାରର ଆମେ ୬ ଜଣ ଭାଇଭଉଣୀ । ମାଆ ପର ଘରେ କାମ କରନ୍ତି । ମୁଁ ଆଦର୍ଶ ବିଦ୍ୟାଳୟରେ ପଢ଼ିବା ପରେ ଜାଣିନଥିଲି NEET ଦେଲେ ମେଡିକାଲ୍ ପାଠ ପଢ଼ିବି । କିନ୍ତୁ ପ୍ରଥମ ପ୍ରୟାସରେ NEETରେ ସଫଳତା ପାଇଲି । ଏବେ ମେଡିକାଲ୍ ଛାତ୍ରୀ ଭାବେ ଦ୍ଵିତୀୟ ବର୍ଷ ।"

ମୋ ସ୍ଵପ୍ନ, ବାପାଙ୍କ ପରିଶ୍ରମ

ପୁରୀର ସୋମନାଥ ପ୍ରଧାନଙ୍କ ଯାତ୍ରା ମଧ୍ୟ କଷ୍ଟଦାୟକ ଥିଲା । ସୋମାନାଥଙ୍କ ଆଖିରେ ଆଖିଏ ସ୍ଵପ୍ନ ଓ ତାଙ୍କ ବାପାଙ୍କ ଝାଳବୁହା ପରିଶ୍ରମ ଆଜି ସାର୍ଥକ ହୋଇଛି । NEETରେ ୨୩ ଲକ୍ଷ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଦେଶରେ ୨୯୬ ରାଙ୍କ ହାସଲ କରି ଏବେ AIIMSରେ ଡାକ୍ତରୀ ପଢ଼ୁଛନ୍ତି ସୋମନାଥ ପ୍ରଧାନ । ସେ କୁହନ୍ତି, "ମୁଁ ଏଠି ପହଞ୍ଚିବା ପଛର ସମସ୍ତ ଶ୍ରେୟ ବାପାମାଆଙ୍କର । ବାପା କହିଥିଲେ ତୋ ସ୍ଵପ୍ନ ପୂରଣ ଲାଗି ମୁଁ ପରିଶ୍ରମ କରିବି । ବିଲରେ ବାପା ଧାନ ଚାଷ କରନ୍ତି । ଅନ୍ୟ ସମୟରେ ପରିବା ବିକ୍ରି କରି ପରିବାର ଚଳାନ୍ତି ।"

Somanath Pradhan
"ମୋର ୩ ଭଉଣୀ ସ୍ନାତକ ପଢ଼ିଥିବା ବେଳେ ମୁଁ ଡାକ୍ତରୀ ପଢ଼ୁଛି । ଘରେ ଯେବେ ବି ଆର୍ଥିକ ସମସ୍ୟା ଆସିଛି ବାପା, ବୋଉ କହିଛନ୍ତି ତୁ ପାଠ ପଢ଼େ । ଘର କଥାରେ କିଛି ମୁଣ୍ଡ ଦିଏନି, ଆମେ ଅଛୁ, ବୁଝିବୁ । ଦଶମରେ ୯୫ ପ୍ରତିଶତ ମାର୍କ ସହ ବ୍ଲକ ଟପ୍ପର ହୋଇଥିଲି, ଯୁକ୍ତ ୨ ବିଜ୍ଞାନରେ ୯୪ ପ୍ରତିଶତ ମାର୍କ ରଖିଥିଲି । ବାପାମାଆଙ୍କ ପରିଶ୍ରମରେ ଆଜି ମୋ ସ୍ଵପ୍ନ ସାକାର ହେଉଛି । ପ୍ରଥମଥର ପାଇଁ ମୁଁ ଏତେବଡ଼ ହୋଟେଲ୍‌କୁ ଆସିଛି ।"

ସ୍କଲାରସିପ୍ ଅର୍ଥରେ ଚଳିଲା ପରିବାର

ସେହିଭଳି ଜସ୍ମିନ୍ ପାଣିଗ୍ରାହୀଙ୍କ କାହାଣୀ ମଧ୍ୟ ଅଭାବ, ଅନାଟନର । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଜିରୋଳି ଗାଁରେ ଜସ୍ମିନଙ୍କ ଘର । ଜସ୍ମିନଙ୍କ ବାପା ଏବେ ଏକ ଔଷଧ ଦୋକାନରେ କାମ କରୁଛନ୍ତି । ପୂର୍ବରୁ ଘରୋଇ ସ୍କୁଲ୍‌ରେ ଶିକ୍ଷକତା କରୁଥିଲେ । ପିଲାଦିନରୁ ଜସ୍ମିନ୍ ଭଲ ପଢ଼ୁଥିବା ବେଳେ ଅନେକ ସ୍କଲାରସିପ୍ ପାଇଥିଲେ । ତାଙ୍କ ବାପା ଉକ୍ତ ଟଙ୍କାକୁ ବ୍ୟାଙ୍କରେ ସାଇତି ରଖିଥିଲେ । କୋଭିଡ ସମୟରେ ସବୁ କାମଧନ୍ଦା ବନ୍ଦ ହୋଇଯିବା ପରେ ବ୍ୟାଙ୍କରେ ଥିବା ସ୍କଲାରସିପ୍ ଅର୍ଥରେ ପରିବାର ଚଳିଥିଲା ।


ଜସ୍ମିନ୍ ପାଣିଗ୍ରାହୀ ଦଶମରେ ୬୦୦ରୁ ୫୮୩ ମାର୍କ ରଖିଥିଲେ । ଜସ୍ମିନ୍ କୁହନ୍ତି, "ଦଶମରେ ବ୍ଲକ ଟପ୍ପର ହେବା ପରେ ଅନେକ କଲେଜ ଯୁକ୍ତ ୨ ବିଜ୍ଞାନ ପଢ଼ିବା ପାଇଁ ଡାକିଥିଲେ । ଯୁକ୍ତ ୨ରେ ୯୪ ପ୍ରତିଶତ ରଖିଛି । ଯୁକ୍ତ ୨ ପରେ ମେଡିକାଲ୍ ପଢ଼ିବାକୁ ବାଛିଥିଲି । କିନ୍ତୁ ଘରେ ଆର୍ଥିକ ଅନଟନ ସହ କୌଣସି ସୁବିଧା ନଥିଲା । ୨ ବର୍ଷ କୋଚିଂ ନେବା ପରେ ଦ୍ଵିତୀୟ ପ୍ରୟାସରେ NEET ପାଇବା ପରେ ଏବେ SCB ମେଡିକାଲ୍‌ରେ ନାଁ ଲେଖାଇଛି ।"

ଭବିଷ୍ୟତର ଲକ୍ଷ୍ୟ ଓ ସ୍ଵପ୍ନ

ଚିକିତ୍ସା ପାଇଁ ଷ୍ଟାଇପେଣ୍ଡ ଟଙ୍କା ଦେଉ

ବିପ୍ଳବ ସାମଲ ଏବେ ବାଲେଶ୍ଵର ଫକୀର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ରେ ହାଉସ୍ ସର୍ଜନ ଭାବେ କାମ କରୁଛନ୍ତି । ରୋଗୀ ସେବା ନେଇ ବିପ୍ଳବ ସାମଲ କୁହନ୍ତି, "ଏମରଜେନ୍ସିରେ ହାର୍ଟ ଆଟାକ୍ ରୋଗୀ ଅଧିକ ଆସନ୍ତି । MI ହୋଇଛି ଜାଣିବା ପରେ ରୋଗୀଙ୍କୁ ଷ୍ଟେବୁଲ୍ କରି କାର୍ଡିଓଲୋଜି ଥିବା ସ୍ଥାନକୁ ରେଫର୍ କରିବାକୁ ପଡ଼େ । ଗରିବ ଲୋକେ କୁହନ୍ତି ଡାକ୍ତର ସାର୍ ଆମକୁ ଏଇଠି ଚିକିତ୍ସା କରନ୍ତୁ । ଆମକୁ ଦୂରକୁ ସିନା ଆମ୍ବୁଲାନ୍ସ ନେଇଯିବ, ସେଠି ୫୦୦ କି ୬୦୦ ଟଙ୍କା ଖର୍ଚ୍ଚ କରିବାକୁ ଆମେ ପାଖେ ନାହିଁ । ଦିନ ଦୁଇଦିନ ସମୟ ଦିଅନ୍ତୁ, ଟଙ୍କା ଆରେଞ୍ଜ କଲେ ଯିବୁ । ଅନେକ ସମୟରେ ଆମେ ଷ୍ଟାଇପେଣ୍ଡ ଟଙ୍କାରୁ କିଛି ଦେଇ ରୋଗୀଙ୍କୁ ପଠାଇ ଥାଉ । ଏଭଳି ଦୁଇଥର ଦେଇଛି ।"

ଲକ୍ଷ୍ୟ ଥିଲା IAS, ହେଲି ଡାକ୍ତର

AIIMSର ଡାକ୍ତରୀ ଛାତ୍ର ସୋମନାଥ ପ୍ରଧାନ କୁହନ୍ତି, "ଗାଁ ଲୋକଙ୍କ ସମସ୍ୟା ଦେଖି କଷ୍ଟ ହୁଏ । ଅଫିସର୍ ଲୋକଙ୍କ ପାଇଁ କିନ୍ତୁ ଲୋକଙ୍କ ପଚାରୁ ନାହାନ୍ତି । ଯେଉଁଥିପାଇଁ IAS ହେବାକୁ ଲକ୍ଷ୍ୟ ରଖିଥିଲି । କିନ୍ତୁ ଆର୍ଥିକ ସ୍ଥିତି ସୁଦୃଢ଼ ନଥିବାରୁ ସାରଙ୍କ ପରାମର୍ଶକ୍ରମେ ଡାକ୍ତରୀ ପାଠପଢ଼ା ପାଇଁ ଆଗ୍ରହୀ ହୋଇଥିଲି ।"

ଗାଁରେ ସ୍ଵାସ୍ଥ୍ୟ ସେବା

ଡାକ୍ତରୀ ଛାତ୍ରୀ ଜସ୍ମିନ୍ ପାଣିଗ୍ରାହୀ କୁହନ୍ତି, "ଗାଁରେ ସ୍ଵାସ୍ଥ୍ୟ ସେବା ପହଞ୍ଚିବା ଦରକାର । ଆଗକୁ ପିଜି କରିବି । ଗାଁରେ ରହି ଲୋକଙ୍କ ସେବା କରିବି । ଲୋକେ ଯେଭଳି ରୋଗାକ୍ରାନ୍ତ ହେବେନି ସଚେତନ କରାଇବି ।"