Videos
|
Odisha

Odisha Teacher Recruitment 2026 / ସ୍କୁଲରେ ଆଉ ରହିବନି ଶିକ୍ଷକ ଅଭାବ, ୩ ବର୍ଷରେ ନିଯୁକ୍ତି ପାଇବେ ୪୫ ହଜାର ପ୍ରାଥମିକ ଶିକ୍ଷକ

Santosh Kumar Sahoo
Browse all articles by Santosh Kumar Sahoo
·29 mins ago·2 min read
ସ୍କୁଲରେ ଆଉ ରହିବନି ଶିକ୍ଷକ ଅଭାବ, ୩ ବର୍ଷରେ ନିଯୁକ୍ତି ପାଇବେ ୪୫ ହଜାର ପ୍ରାଥମିକ ଶିକ୍ଷକ
Odisha Teacher Recruitment 2026

Key Points

ଶିକ୍ଷା ବ୍ୟବସ୍ଥାକୁ ସଜାଡ଼ିବାକୁ ସରକାରଙ୍କ ମେଗା ପ୍ଲାନ୍
ସ୍କୁଲରେ ଆଉ ରହିବନି ଶିକ୍ଷକ ଅଭାବ
୩ ବର୍ଷରେ ନିଯୁକ୍ତି ପାଇବେ ୪୫ ହଜାର ପ୍ରାଥମିକ ଶିକ୍ଷକ
୪୫ ହଜାର ଶିକ୍ଷକ... ୩ ବର୍ଷର ଟାର୍ଗେଟ୍ । ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରିବାକୁ ଶିକ୍ଷକ ନିଯୁକ୍ତି ଉପରେ ବଡ଼ ଫୋକସ୍ କରିଛନ୍ତି ରାଜ୍ୟ ସରକାର । ବିଧାନସଭାରେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ରଖିଛନ୍ତି ସରକାରଙ୍କ ବଡ଼ ରୋଡମ୍ୟାପ୍ । ୨୦୨୬, ୨୦୨୭ ଓ ୨୦୨୮ - ଏହି ତିନି ବର୍ଷରେ ପର୍ଯ୍ୟାୟକ୍ରମେ ୪୫ ହଜାର ପ୍ରାଥମିକ ଶିକ୍ଷକ ପଦ ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।

କେବଳ ଏବେ ଖାଲିଥିବା ପଦ ନୁହେଁ, ଆଗକୁ ଅବସର ଯୋଗୁଁ ଖାଲି ହେବାକୁ ଥିବା ପଦବୀର ହିସାବ ବି ରଖିଛନ୍ତି ସରକାର । ସରକାରୀ ତଥ୍ୟ ଅନୁସାରେ, ୨୦୨୬ରୁ ୨୦୨୮ ମଧ୍ୟରେ ମୋଟ ୧୭ ହଜାର ୧୨୪ ଜଣ ଶିକ୍ଷକ ଅବସର ନେବେ । ଏହି ସମସ୍ତ ପଦବୀକୁ ନିଯୁକ୍ତି ଓ ପଦୋନ୍ନତି ମାଧ୍ୟମରେ ପୂରଣ କରାଯିବ । ଛାତ୍ରଛାତ୍ରୀଙ୍କ ସଂଖ୍ୟା, 'ୟୁଡାଇସ୍ ପ୍ଲସ୍' ତଥ୍ୟ ଏବଂ ଶିକ୍ଷକ-ଛାତ୍ର ଅନୁପାତକୁ ଆଧାର କରି ନୂଆ ପଦବୀ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି ଶିକ୍ଷକ ସମାଜ ।

ଏବେ ନଜର ପକାନ୍ତୁ ରାଜ୍ୟର ଏଲିମେଣ୍ଟାରୀ କ୍ୟାଡରର ବଡ଼ ଚିତ୍ର ଉପରେ । ବିଧାନସଭାରେ ମନ୍ତ୍ରୀ ରଖିଥିବା ରିପୋର୍ଟରେ ରାଜ୍ୟର ୩୦ଟି ଜିଲ୍ଲାର ଲେଭଲ୍-୩, ଲେଭଲ୍-୪ ଓ ଲେଭଲ୍-୫ ବର୍ଗର ପୂରା ହିସାବ ସାମ୍ନାକୁ ଆସିଛି । ଖୋର୍ଦ୍ଧା, କଟକ, ଗଞ୍ଜାମରୁ ଆରମ୍ଭ କରି ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଓ ସୁନ୍ଦରଗଡ଼ ଭଳି ଜିଲ୍ଲାରେ ବହୁ ସଂଖ୍ୟାରେ ଶିକ୍ଷକ ପଦ ଖାଲି ପଡ଼ିଛି ।

ଖାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବର୍ଗରେ ୧୦ ହଜାରରୁ ଅଧିକ ପଦ ଖାଲି ଥିବାବେଳେ ଏଲିମେଣ୍ଟାରୀ କ୍ୟାଡର ଲେଭଲ୍-୩ରେ ୭ ହଜାର ୬୫୭ଟି ପଦବୀ ଫାଙ୍କା ପଡ଼ିଛି । କାଗଜ କଲମର ଏହି ଖାଲି ପଦବୀର ସିଧାସଳଖ ପ୍ରଭାବ ପଡ଼ୁଛି ସ୍କୁଲ ପାଠପଢ଼ାରେ । ମୟୂରଭଞ୍ଜ ସମେତ ଅନେକ ଉପାନ୍ତ ଜିଲ୍ଲାରେ କେଉଁଠି ଜଣେ ଶିକ୍ଷକରେ ସ୍କୁଲ ଚାଲୁଛି ତ ଆଉ କେଉଁଠି ଅନ୍ୟ ବିଷୟର ଶିକ୍ଷକ କାମଚଳା ପାଠ ପଢ଼ାଉଛନ୍ତି । ତେଣୁ ତୁରନ୍ତ ନିଯୁକ୍ତି ହେଲେ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଭ୍ୟାକେନ୍ସି ଚାର୍ଟ କେବଳ କିଛି ସଂଖ୍ୟାର ହିସାବ ନୁହେଁ, ବରଂ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ର । ଗୋଟିଏ ପଟେ ୩ ବର୍ଷରେ ୪୫ ହଜାର ନିଯୁକ୍ତିର ବଡ଼ ଟାର୍ଗେଟ୍, ଅନ୍ୟପଟେ ଏହି ସମୟ ଭିତରେ ୧୭ ହଜାରରୁ ଅଧିକ ଶିକ୍ଷକଙ୍କ ଅବସର । ତେଣୁ ସରକାରଙ୍କ ପାଇଁ ଆଗାମୀ ଦିନରେ କେବଳ ଘୋଷଣା ନୁହେଁ, ବରଂ ଧାର୍ଯ୍ୟ ସମୟ ଭିତରେ ଏହି ଖାଲି ପଦବୀ ପୂରଣ କରିବା ହିଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ।