Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

HeavyRainfall / ରାଜ୍ୟରେ ବର୍ଷାର ତାଣ୍ଡବ….ଜଳାର୍ଣ୍ଣବ ହେଲା ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା

Ritu Das
Browse all articles by Ritu Das
·1 hour ago·2 min read
ରାଜ୍ୟରେ ବର୍ଷାର ତାଣ୍ଡବ….ଜଳାର୍ଣ୍ଣବ ହେଲା ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା
Rain

Key Points

ଲଗାଣ ବର୍ଷାରେ ଓଡ଼ିଶାର ସବୁ ଜିଲ୍ଲାର ସ୍ଥିତି ବେହାଲ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଗାଁର ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି
ଲଗାଣ ବର୍ଷାରେ ଓଡ଼ିଶାର ସବୁ ଜିଲ୍ଲାର ସ୍ଥିତି ବେହାଲା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଗାଁର ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗାଁର ଝରାସାହି, ବଡ଼ସାହି ଓ ପ୍ରଧାନସାହି ସମ୍ପୂର୍ଣ୍ଣ ଜଳବନ୍ଦୀ। ଡ୍ରେନରେ ପାଣି ପଶିଯିବା ଫଳରେ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ପରିବାର ଘର ଭିତରେ ପାଣି ଘେରାଉ ଅବସ୍ଥାରେ ଅଛନ୍ତି। ଘର ଭିତରୁ ମୋଟର ଲଗାଇ ପାଣି ଉଠାଯାଉଥିଲେ ମଧ୍ୟ ସ୍ଥିତି ସୁଧୁରୁନି। ସେହିପରି ହିନ୍ଦୋଳରେ ସାପୁଆ ବଡ଼ ଯୋଡ଼ା ମଧ୍ୟମ ଜଳ ସେଚନ ପ୍ରକଳ୍ପର ୩ ନମ୍ବର ଗେଟଟି ମରାମତି ଅଭାବରୁ ଭାଙ୍ଗିଯାଇଛି। ବିଭାଗୀୟ ଯନ୍ତ୍ରୀ କଲ୍ୟାଣୀ ସାହୁ ଗଣମାଧ୍ୟମର ବୁମ୍ କୁ ଠେଲିଦେଇ ଚାଲିଯାଉଥିବା କ୍ୟାମେରାରେ କଏଦ ହୋଇଛି। ହିନ୍ଦୋଳର ସାପୁଆ ଓ ବଡ଼ ଯୋଡ଼ା ନଦୀର ପାଣି କାରନ୍ଦା, ଗୁଳେହି ଏବଂ ଈଶ୍ୱରାପାଳ ବ୍ରିଜ ଉପରେ ୫ ଫୁଟ୍‌ର ପାଣି ଚାଲୁଥିବାରୁ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଅପରପକ୍ଷରେ ଗଁଦିଆ ବ୍ଲକ୍ ଭାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚେରି କାନ୍ଥ ମଧ୍ୟ ବର୍ଷାରେ ଭାଙ୍ଗି ପଡ଼ିଛି।

ଏହାସହ ପଢ଼ନ୍ତୁ: ପ୍ରଶାସନର ବଡ଼ ନିଷ୍ପତ୍ତି: ଆସନ୍ତାକାଲି ଏହି ଜିଲ୍ଲାରେ ସବୁ ସ୍କୁଲ ବନ୍ଦ


ସେହିଭଳି କଟକ ଜିଲ୍ଲାର ସ୍ଥିତି ମଧ୍ୟ ସଙ୍ଗୀନ ହୋଇପଡ଼ିଛି। ବାଡ଼ମ୍ବା-ନରସିଂହପୁର ବ୍ଳକର ତିରିଗିପସି ଗାଁ ଏବେ ସମ୍ପୂର୍ଣ୍ଣ ପାଣି ଘେରରେ। ବାଲିଝରୀ ପଞ୍ଚାୟତର ଏହି ଗ୍ରାମ ଚାରିପାଖରେ ଜଳ ଜମି ରହିବା ଯୋଗୁଁ ଆଜି ସକାଳୁ ଲୋକେ ଘରୁ ବାହାରି ପାରିନାହାନ୍ତି। ନିଆଳି କଣ୍ଟାପଡ଼ା ବ୍ଲକ ବଡ଼ପାଟସୁନ୍ଦରପୁର ଅଙ୍ଗନୱାଡ଼ି କେନ୍ଦ୍ରଟି ସମ୍ପୂର୍ଣ ଜଳାର୍ଣ୍ଣବ ହୋଇଥିବାରୁ ପିଲାଙ୍କ ପାଠ ପଢା ବାଧାପ୍ରାପ୍ତ ହୋଇଛି। ଆଠଗଡ ଇଚ୍ଛାପୁର ପଞ୍ଚାୟତରେ ସାପୁଆ ନଈର ପ୍ରଖର ସ୍ରୋତ ଯୋଗୁଁ ଅରଖପାଟଣା ଠାରୁ ପତଣ୍ଡା କୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ସେହିପରି ବାଙ୍କୀ ଅଞ୍ଚଳରେ ଜୁଣିଆ ନାଳରେ ଘାଇ ସୃଷ୍ଟି ହେବା ଯୋଗୁଁ ବଳଭଦ୍ରପୁର ଗ୍ରାମ ପଞ୍ଚାୟତ ଗୌଡଛେଲି ରାସ୍ତା ଉପରେ ୩ ଫୁଟର ପାଣି ଚାଲୁଛି ଏବଂ ଚାଷୀଙ୍କର ଶହ ଶହ ହେକ୍ଟର ଧାନ ତଳି ଜମି ଏବେ ପାଣିରେ ବୁଡ଼ି ରହିଛି।

ଉପକୂଳ ଓଡ଼ିଶାର ଅନ୍ୟ ପ୍ରାନ୍ତରେ ମଧ୍ୟ ବର୍ଷାର ବଡ଼ ପ୍ରଭାବ ଦେଖିବାକୁ ମିଳିଛି। ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକର ମଥାନୀ ଠାରେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ୬.୫୦ ମିଟର ଡେଇଁ ୬.୫୨ ମିଟରରେ ପ୍ରବାହିତ ହେଉଛି, ଯାହାଫଳରେ ପ୍ରାୟ ୧୩ଟି ପଞ୍ଚାୟତ ପ୍ରଭାବିତ ହେବା ଆଶଙ୍କା ରହିଛି। ପୁରୀରେ ପ୍ରବଳ ବର୍ଷା ଯୋଗୁଁ ପବିତ୍ର ଶ୍ଵେତଗଙ୍ଗା ତୀର୍ଥ ପୁଷ୍କରିଣୀର ବାମ ପାର୍ଶ୍ଵ ପାଚେରୀ ଭୁଷୁଡି ପଡିବାରୁ ବାଲିସାହି ସମେତ ନିକଟସ୍ଥ ଅଞ୍ଚଳକୁ ଯାତାୟତ ବାଧାପ୍ରାପ୍ତ ହୋଇଛି। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଳକ୍ ହାଡବନ୍ଧପୁର ସାହିରେ ବିଳମ୍ବିତ ରାତ୍ରିରେ ମାଟି କାନ୍ଥ ପଡ଼ି ପରମେଶ୍ୱର ଦେହୁରୀ ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏହି ସବୁ ଭିତରେ ବର୍ଷାର ପ୍ରକୋପକୁ ଦେଖି ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସମସ୍ତ ଅଙ୍ଗନୱାଡି, ସ୍କୁଲ ଏବଂ କଲେଜକୁ ଆଗୁଆ ଛୁଟି ଘୋଷଣା କରାଯାଇଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored