Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସ୍କୁଲ୍ ପାଠ୍ୟ ପୁସ୍ତକ ଅନିୟମିତତା ମାମଲା: କ୍ରାଇମବ୍ରାଞ୍ଚ ଗଠନ କଲା ସ୍ଵତନ୍ତ୍ର ତଦନ୍ତକାରୀ ଟିମ୍

Odisha

Textbook Errors / ସ୍କୁଲ୍ ପାଠ୍ୟ ପୁସ୍ତକ ଅନିୟମିତତା ମାମଲା: କ୍ରାଇମବ୍ରାଞ୍ଚ ଗଠନ କଲା ସ୍ଵତନ୍ତ୍ର ତଦନ୍ତକାରୀ ଟିମ୍

Sushanta Sahoo
Browse all articles by Sushanta Sahoo
·5 hours ago·2 min read
ସ୍କୁଲ୍ ପାଠ୍ୟ ପୁସ୍ତକ ଅନିୟମିତତା ମାମଲା: କ୍ରାଇମବ୍ରାଞ୍ଚ ଗଠନ କଲା ସ୍ଵତନ୍ତ୍ର ତଦନ୍ତକାରୀ ଟିମ୍
Crime Branch Registers Case in Odisha School Textbook Irregularities

Key Points

କ୍ରାଇମବ୍ରାଞ୍ଚରେ SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ଲିଖିତ ଅଭିଯୋଗ
ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଅଭିଯୋଗ ପରେ ମାମଲା ରୁଜୁ
ଡିଏସ୍‌ପି ନରେନ୍ଦ୍ର କୁମାର ବେହେରା ମୁଖ୍ୟ ତଦନ୍ତକାରୀ ଅଧିକାରୀ ନିଯୁକ୍ତ
କ୍ରାଇମବ୍ରାଞ୍ଚ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
ଭୁବନେଶ୍ଵର: ପିଲାଙ୍କ ବହିରେ ମାଳ ମାଳ ଭୁଲ୍ । ପାଠ୍ୟ ପୁସ୍ତକ ତ୍ରୁଟି ପଛରେ କିଏ ? କାହା ଦାୟିତ୍ଵହୀନତା, ଅବହେଳା ଓ ଖାମଖିଆଲି ଲାଗି ପିଲାଙ୍କ ପଢ଼ା ବହିରେ ଭୁଲ୍ ଛପା ଗଲା । ସମଗ୍ର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ୨ ଦିନ ପରେ ମାମଲା ରୁଜୁ ହୋଇଛି ।

ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକର ପ୍ରସ୍ତୁତି, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ତଦନ୍ତ ଭାର ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ । ଏସ୍‌ସିଇଆର୍‌ଟି (SCERT) ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ଲିଖିତ ଅଭିଯୋଗକୁ ଆଧାର କରି କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଛି ।

ଏଥିସହ ପଢ଼ନ୍ତୁ: 'ଅ-ତିଥିରେ ରଥଯାତ୍ରା ବନ୍ଦ କର'; ନହେଲେ ପୁରୀରେ ପଶି ପାରିବେନି ଇସ୍କନ ଅନୁଗାମୀ 

କ୍ରାଇମବ୍ରାଞ୍ଚ କେସ୍ ନଂ–୦୮/୨୦୨୬ ରୁଜୁ ହୋଇଛି ମାମଲା । ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ର ଧାରା ୩୧୬(୫), ୨୦୧, ୩(୫) ଏବଂ ୬୧(୨) ଅନୁଯାୟୀ ଏହି ମାମଲା ଦାଏର କରାଯାଇଛି । କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡିଏସ୍‌ପି ନରେନ୍ଦ୍ର କୁମାର ବେହେରାଙ୍କୁ ଏହି ସମ୍ବେଦନଶୀଳ ମାମଲାର ମୁଖ୍ୟ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି ।

ତଦନ୍ତ ପାଇଁ ଏକାଧିକ ସ୍ଵତନ୍ତ୍ର ଟିମ୍ ଗଠନ

ତଦନ୍ତକୁ ବ୍ୟାପକ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକାଧିକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରାଯାଇଛି । ପାଠ୍ୟପୁସ୍ତକ ପ୍ରସ୍ତୁତି, ବିଷୟବସ୍ତୁ ଚୟନ, ଅନୁମୋଦନ, ମୁଦ୍ରଣ, ପ୍ରକାଶନ ଏବଂ ବଣ୍ଟନ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାର ପ୍ରତ୍ୟେକ ପର୍ଯ୍ୟାୟକୁ ତନ୍ନ ତନ୍ନ କରି ଯାଞ୍ଚ କରାଯିବ ।

ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଦସ୍ତାବିଜ, ରେକର୍ଡ ଓ ଅନ୍ୟାନ୍ୟ ସାକ୍ଷ୍ୟ ସଂଗ୍ରହ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିବ ସ୍ଵତନ୍ତ୍ର ତଦନ୍ତକାରୀ ଟିମ୍ । କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲାର ନିରପେକ୍ଷ ତଦନ୍ତ କରାଯାଇ ପ୍ରମାଣ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରାଜ୍ୟ ପୋଲିସ ପକ୍ଷରୁ କୁହାଯାଇଛି ।

ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇଥିଲେ । ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସମଗ୍ର ପ୍ରକ୍ରିୟା ଉପରେ ଅପରାଧିକ ତଦନ୍ତ (Criminal Investigation) କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିଲେ ।

ଏଥିସହ ପଢ଼ନ୍ତୁ: ପିଲାଙ୍କ ବହିରେ ଭୁଲ୍; ଅପରାଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ସ୍ୱତନ୍ତ୍ର ଭାବେ କ୍ରାଇମବ୍ରାଞ୍ଚ ଏସ୍‌ପିଙ୍କ ନିକଟରେ FIR ଦାଏର କରିବାକୁ SCERT ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ SCERT ନିର୍ଦ୍ଦେଶକ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ, ପୂର୍ବରୁ ପାଠ୍ୟ ପୁସ୍ତକ ତ୍ରୁଟିଜନିତ ବିଷୟର କାରଣ ଅନୁସନ୍ଧାନ କରିବା ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ ମୁଖ୍ୟମନ୍ତ୍ରୀ । ଉକ୍ତ କମିଟିର ରିପୋର୍ଟ ଅନୁଯାୟୀ, SCERTର ପୂର୍ବତନ ନିର୍ଦ୍ଦେଶକ ସମେତ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରାଯାଇଥିଲା ଏବଂ ୬ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored