Videos
|
Odisha

Odisha Student Elections / କଲେଜରେ ନିର୍ବାଚନୀ ତାତି, ଭୋଜିରୁ ରୋଡ୍‌ ଶୋ’ ପର୍ଯ୍ୟନ୍ତ ଜମିଲା ପ୍ରଚାର

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·3 min read
କଲେଜରେ ନିର୍ବାଚନୀ ତାତି, ଭୋଜିରୁ ରୋଡ୍‌ ଶୋ’ ପର୍ଯ୍ୟନ୍ତ ଜମିଲା ପ୍ରଚାର
Odisha Student Elections

Key Points

ସରିଲା ପ୍ରଚାର, ଏବେ ଭୋଟିଂ
ନିରବିଲା ଜିନ୍ଦାବାଦ୍ ନାରା, ଶୂନଶାନ କ୍ୟାମ୍ପସ
ଛାତ୍ର ବାଛିବେ ନେତା, ମଝିରେ ଆଉ ମାତ୍ର ଗୋଟିଏ ଦିନ

ନୀରବ କ୍ୟାମ୍ପସ, କିନ୍ତୁ ଧଡ଼ ଧଡ଼ ଛାତ୍ର ନେତାଙ୍କ ଛାତି । ଦିନକ ପରେ ପଡ଼ିବ ଭୋଟ । କଳ, ବଳ ଓ କୌଶଳ ସବୁ ଆପଣେଇ ଛାତ୍ରଙ୍କୁ ନିଜ ସମର୍ଥନକୁ ଆଣିବାକୁ ଶତ ଚେଷ୍ଟା କରିଛନ୍ତି ପ୍ରାର୍ଥୀ । ଏଥର ଆଠ ବର୍ଷ ପରେ ହେଉଛି ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ । ପ୍ରଚାର ଏମିତି ହୋଇଛି, ଦେଖିବା ଲୋକଙ୍କୁ ଲାଗୁଥିଲା ସତେ କି ଚାଲିଛି ସାଧାରଣ ନିର୍ବାଚନ । କାଁ ଭାଁ ହିଂସା ଛାଡ଼ିଦେଲେ ରାଜଧାନୀଠୁ ରାୟଗଡ଼ା, କଟକରୁ କୋରାପୁଟ ସବୁ କଲେଜ ଓ ବିଶ୍ବବିଦ୍ୟାଳୟରେ ଜମିଥିଲା ପ୍ରଚାର ।

ଆଠ ବର୍ଷ ପରେ ରାଜ୍ୟରେ ହେଉଛି ଛାତ୍ର ସଂସଦ ନିର୍ବାଚନ । ହେଲେ ପ୍ରଚାର ଏମିତି ଢଙ୍ଗରେ ହୋଇଥିଲା ଯେ ଲାଗୁଥଲା ଚାଲିଛି ସାଧାରଣ ନିର୍ବାଚନ । ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ର କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଥାର ଗାଡ଼ିର କାରକେଡ୍ । ଓପନ ଜିପରେ ସାଂସଦ ବିଧାୟକ ପ୍ରାର୍ଥୀ ଭଳି ପ୍ରଚାର କରିଛନ୍ତି ଛାତ୍ର ନେତା । କେବଳ ପ୍ରଚାର ନୁହେଁ ଭୋଜି ଭାତର ଆସରରେ ବି ଚାଲିଥିଲା କମ୍ପିଟିସନ । ଛାତ୍ର କଂଗ୍ରେସର ଭାତ-ମାଛକୁ ଏବିଭିପିର ଭାତ-ଡାଲମା । ପ୍ରଚାର ଓ ଭୋଜିର ବେଶ ମଜା ଉଠାଇଛନ୍ତି ଛାତ୍ରଛାତ୍ରୀ । କେବଳ କ୍ୟାମ୍ପସ ବାହାରେ ନୁହେଁ କ୍ଲାସ ରୁମ ଭିତରେ ବି ହୋଇଛି ଜୋରଦାର ପ୍ରଚାର । ABVP ପାଇଁ ପ୍ରଚାର ମଙ୍ଗ ଧରିଥିଲେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ଡାକ୍ତର ବିକ୍ରମ ସିଂ ସୋଲାଙ୍କି । ସେହିପରି ରମାଦେବୀରେ ବି ଜମିଛି ଭୋଜି ଭାତର ଆସର । ବିସିଜେଡି ଓ ଏବିଭିପି ପ୍ରାର୍ଥୀ ଶେଷ ଦିନରେ କରିଛନ୍ତି ଜୋରଦାର କସରତ । ଏବିଭିପି ପ୍ରାର୍ଥୀଙ୍କ ପାଇଁ ରମାଦେବୀ ବିଶ୍ବବିଦ୍ୟାଳୟରେ ପ୍ରଚାର କରିଛନ୍ତି ଅଭିନେତ୍ରୀ ବିଦୁସ୍ମିତା । ସେହିପରି ଭୁବନେଶ୍ୱରର ରାଜଧାନୀ ଓ ମହର୍ଷି କଲେଜରେ ବି ସବୁ ପ୍ରାର୍ଥୀ ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା ଚଳାଇଥିବା ଦେଖାଯାଇଛି ।

କେବଳ ରାଜଧାନୀ ନୁହେଁ ସାରା ରାଜ୍ୟରେ ଆଜି ଛାତ୍ର ସଂସଦ ନିର୍ବାଚନ ପ୍ରଚାର ଶେଷ ଦିନରେ ଛାତ୍ରଛାତ୍ରୀଙ୍କୁ ମନାଇବାକୁ ଶତ ଚେଷ୍ଟା କରିଛନ୍ତି ପ୍ରାର୍ଥୀ । ସେପଟେ ପ୍ରଚାରର ଉତ୍ସାହ ଭିତତରେ ଆସିଛି ହିଂସା ଖବର । ବୌଦ୍ଧରେ ଜଣେ ପୂର୍ବତନ ଏବିଭିପି ଛାତ୍ରଙ୍କୁ ଛୁରା ମାଡ଼ ହୋଇଥିବା ସୂଚନା ମିଳିଛି । ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଛି । ସେହିପରି କଳାହାଣ୍ଡି ଜିଲ୍ଳା ନର୍ଲା ବିଧାୟିକା ବେଲଖଣ୍ଡି ମହାବିଦ୍ୟାଳୟକୁ ଯାଇ ବିଶୃଙ୍ଖଳା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ନିର୍ବାଚନ ଆଚରଣ ଉଲ୍ଲଂଘନ ଅଭିଯୋଗରେ କେସିଙ୍ଗା ଓ ନର୍ଲା ଦୁଇ ମହାବିଦ୍ୟାଳୟରେ ନିର୍ବାଚନକୁ ବାତିଲ କରାଯାଇଛି ।

କଟକରୁ କୋରାପୁଟ, ମାଲକାନଗିରିରୁ ମୟୂରଭଂଜ ସବୁଠି ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମାହୋଲ ସରଗରମ । ପ୍ରଚାର ଥମିଛି ଏବେ ସାଇଲେଣ୍ଟ ପିରିୟଡ୍‌ । ଆସନ୍ତା ୧୫ରେ ପଡ଼ିବ ଭୋଟ । ଲାଇବ୍ରେରୀର ଉନ୍ନତିକରଣ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଶୈକ୍ଷିକ ବାତାବରଣ ଭଳି କେତେ କଣ ପ୍ରତିଶ୍ରୁତି ଦେଇଛନ୍ତି ପ୍ରାର୍ଥୀ ।
ଶେଷ ଦିନ ପ୍ରଚାରକୁ ଆକର୍ଷଣୀୟ କରିବାକୁ ବାଲେଶ୍ଵର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ହାସ୍ୟ କଳାକାରଙ୍କ ସୋ' ପ୍ରଦର୍ଶନଠୁ ଆରମ୍ଭ କରି ମେଲୋଡି ସୋ' ହୋଇଥିଲା । ଗୁପଚୁପ୍‌ ଓ ବିରିୟାନିର ମଜା ଉଠାଇଥିଲେ ଛାତ୍ରଛାତ୍ରୀ । କେନ୍ଦ୍ରାପଡ଼ାର ବିଭିନ୍ନ କଲେଜରେ ମଧ୍ୟ ବେଶ ଜମିଥିଲା ପ୍ରଚାର । ଢେଙ୍କାନାଳ ଜିଲ୍ଲାର ମୋଟ ୧୦ଟି ମହାବିଦ୍ୟାଳୟରେ ନିର୍ବାଚନ ହେବାକୁ ଯାଉଛି । ତେବେ ହିନ୍ଦୋଳ ମହାବିଦ୍ୟାଳୟ, ଖଜୁରିଆକଟା ଏବଂ ମହିମା ମହାବିଦ୍ୟାଳୟ, ଯୋରନ୍ଦାରେ ଏବିଭିପି ପ୍ରାର୍ଥୀଙ୍କ ବିରୋଧରେ ଅନ୍ୟ କୌଣସି ପ୍ରାର୍ଥୀ ନଥିବାରୁ ସେଠାରେ ଏବିଭିପି ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି । ସେହିପରି ସମ୍ବଲପୁର ଜିଲ୍ଲାର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମଧ୍ୟ ପ୍ରଚାର ଶେଷ ହୋଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଜ୍ୟର ୧୩ ବିଶ୍ବବିଦ୍ୟାଳୟ ଓ ୩୪୬ କଲେଜରେ ହେଉଛି ନିର୍ବାଚନ । ବର୍ତ୍ତମାନ ମୈଦାନରେ ଅଛନ୍ତି ୬ ହଜାର ୮ ଶହ ୯୧ ପ୍ରାର୍ଥୀ । ସେଥିମଧ୍ୟରୁ ବିଶ୍ବବିଦ୍ୟାଳୟରେ ୩୫୮ ଓ କଲେଜରେ ୬୫୩୩ ଜଣ ପ୍ରାର୍ଥୀ ଅଛନ୍ତି । ବିଶ୍ବ ବିଦ୍ୟାଳୟରେ ୪୨ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ବେଳେ ମହାବିଦ୍ୟାଳୟରେ ୧୫୯୭ ଜଣ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।