Videos
|
Odisha

Student Union Election / ଛାତ୍ର ସଂସଦ ନିର୍ବାଚନ ପାଇଁ ଆସିଲା ଗାଇଡଲାଇନ୍; ଏମାନଙ୍କୁ ନିର୍ବାଚନ ଲଢ଼ିବା ମନା ?

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ଛାତ୍ର ସଂସଦ ନିର୍ବାଚନ ପାଇଁ ଆସିଲା ଗାଇଡଲାଇନ୍; ଏମାନଙ୍କୁ ନିର୍ବାଚନ ଲଢ଼ିବା ମନା ?
Who Can Contest? Check Eligibility Rules

Key Points

ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ନିର୍ବାଚନରେ ପ୍ରାର୍ଥୀଙ୍କୁ କୌଣସି ରାଜନୈତିକ ଦଳ ସମର୍ଥନ ରହିବ ନାହିଁ । କୌଣସି ପ୍ରାର୍ଥୀ ରାଜନୈତିକ ଦଳ ସମର୍ଥିତ ପ୍ରାର୍ଥୀ ହୋଇପାରିବେ ନାହିଁ ।
ଭୁବନେଶ୍ଵର: ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ କ୍ୟାମ୍ପସ୍ ଚଳଚଞ୍ଚଳ । ୭ ତାରିଖରେ କଲେଜରେ ପ୍ରକାଶ ପାଇବ ବିଜ୍ଞପ୍ତି । ୯ରେ ନାମାଙ୍କନ ପରେ ୧୫ରେ ହେବ ଭୋଟ୍ ଗ୍ରହଣ । ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି ।

ଜାରି ଗାଇଡଲାଇନ୍ ଅନୁସାରେ, ନିର୍ବାଚନ ତାରିଖ ଘୋଷଣା ଦିନଠାରୁ ଶପଥ ଗ୍ରହଣ ସମାରୋହ ସରିବା ପର୍ଯ୍ୟନ୍ତ ନିୟମାବଳୀ ମାନିବାକୁ ପଡ଼ିବ । ଛାତ୍ର ସଂସଦ ନିର୍ବାଚନରେ ପ୍ରାର୍ଥୀଙ୍କୁ କୌଣସି ରାଜନୈତିକ ଦଳ ସମର୍ଥନ ରହିବ ନାହିଁ । କୌଣସି ପ୍ରାର୍ଥୀ ରାଜନୈତିକ ଦଳ ସମର୍ଥିତ ପ୍ରାର୍ଥୀ ହୋଇପାରିବେ ନାହିଁ ।

ଏଥିସହ ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା, ୧୫ ତାରିଖରେ ହେବ ଭୋଟ୍‌ 

ସେଲ୍ଫ ଫାଇନାନ୍ସିଂ ଛାତ୍ରଛାତ୍ରୀଙ୍କୁ ନିର୍ବାଚନ ମନା

ଛାତ୍ର ସଂସଦ ନିର୍ବାଚନରେ କେବଳ ଶିକ୍ଷାନୁଷ୍ଠାନର ନିୟମିତ ଛାତ୍ର ଅଂଶଗ୍ରହଣ କରିପାରିବେ । PPP ମୋଡ୍‌ରେ ପରିଚାଳିତ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ପଢ଼ୁଥିବା ଛାତ୍ରଛାତ୍ରୀ ଛାତ୍ରସଂସଦ ନିର୍ବାଚନରେ ପ୍ରାର୍ଥୀ କିମ୍ବା ଭୋଟର୍ ଭାବେ ସାମିଲ୍ ହୋଇପାରିବେ ନାହିଁ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରାର୍ଥୀ ହେବା ପାଇଁ କ'ଣ ଦରକାର ?

ଯୁକ୍ତ ୩ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ବୟସ ୧୭ରୁ ୨୨ ବର୍ଷ ମଧ୍ୟରେ ହୋଇଥିବ । ସେହିଭଳି ନିର୍ବାଚନ ଲଢ଼ିବା ପାଇଁ ପିଜି ଛାତ୍ରଛାତ୍ରୀଙ୍କ ସର୍ବାଧିକ ବୟସ ୨୫ ବର୍ଷ ହୋଇଥିବା ଜରୁରୀ । ନିର୍ବାଚନ ଲଢ଼ୁଥିବା ଛାତ୍ରଛାତ୍ରୀଙ୍କ ପୂର୍ବ ବର୍ଷର କୌଣସି ବ୍ୟାକ୍ ପେପର୍ ନଥିବ ।

ନିର୍ବାଚନ ଲଢ଼ିବା ପାଇଁ ଶ୍ରେଣୀଗୃହରେ ସର୍ବନିମ୍ନ ୭୫ ପ୍ରତିଶତ ଉପସ୍ଥାନ ଥିବା ଆବଶ୍ୟକ । ପ୍ରାର୍ଥୀଙ୍କ ନାଁରେ ପୂର୍ବରୁ କୌଣସି ଅପରାଧିକ ମାମଲା ନଥିବା ଆବଶ୍ୟକ । ପୂର୍ବରୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ ହିଁ ନିର୍ବାଚନ ଲଢ଼ି ପାରିବେ ।

SAMS ପ୍ରକ୍ରିୟାରେ ନିୟମିତ ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଛାତ୍ର ସଂସଦ ନିର୍ବାଚନ ଲଢ଼ିବା ପାଇଁ ଯୋଗ୍ୟ ହେବେ । ଦୂର ଶିକ୍ଷା (Distance Education) କିମ୍ବା PPP ମୋଡ୍‌ରେ ପଢ଼ୁଥିବା ଛାତ୍ରଛାତ୍ରୀ ନିର୍ବାଚନ ଲଢ଼ିପାରିବେ ନାହିଁ ।

ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା

ଛାତ୍ର ସଂସଦ ନିର୍ବାଚନରେ ଜଣେ ପ୍ରାର୍ଥୀ ସର୍ବାଧିକ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ନିର୍ବାଚନ ଫଳାଫଳ ପ୍ରକାଶନର ୨ ସପ୍ତାହ ମଧ୍ୟରେ ସମସ୍ତ ପ୍ରାର୍ଥୀଙ୍କୁ ନିର୍ବାଚନ ଖର୍ଚ୍ଚ ଦର୍ଶାଇବାକୁ ପଡ଼ିବ । କଲେଜ କର୍ତ୍ତୃପକ୍ଷ ଏହାକୁ HIMS ପୋର୍ଟାଲ୍‌ରେ ୨ ଦିନ ମଧ୍ୟରେ ଦାଖଲ କରିବେ । ନିର୍ବାଚନ ଖର୍ଚ୍ଚ ପାଇଁ ରାଜନୈତିକ ଦଳଠୁ ଅର୍ଥ ରାଶି ନେବେ ନାହିଁ । କେବଳ ଛାତ୍ରଛାତ୍ରୀଙ୍କ ସ୍ଵ-ଇଚ୍ଛାରେ ଦାନ ଅର୍ଥରେ ନିର୍ବାଚନ ଲଢ଼ାଯିବ ।

ପ୍ରଚାର ବେଳେ କ'ଣ ସବୁ ମନା ?

ଛାତ୍ର ସଂସଦ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ଉତ୍ତେଜନାପୂର୍ଣ୍ଣ, ଆକ୍ଷେପ କଲା ଭଳି କୌଣସି କଥା କହିବେ ନାହିଁ । ଜାତି, ଧର୍ମ ଓ ଗୋଷ୍ଠୀ ଆଦି ମନ୍ତବ୍ୟ ଦେବେ ନାହିଁ । ସୋସିଆଲ୍ ମିଡିଆରେ ମଧ୍ୟ ଅପମାନଜନକ ମନ୍ତବ୍ୟରୁ ଦୂରେଇ ରହିବା ସହ ମିଥ୍ୟା AI କଣ୍ଟେଣ୍ଟକୁ ବାରଣ କରାଯାଇଛି ।

ଏଥିସହ ପଢ଼ନ୍ତୁ: 'ସ୍ୱଚ୍ଛତା'କୁ ଜନଆନ୍ଦୋଳନରେ ପରିଣତ କରିବା: ସମ୍ବଲପୁର ସାଂସଦଙ୍କ ନିବେଦନ 

ଲାଉଡ୍ ସ୍ପିକର ସହ ଗାଡ଼ି ବାରଣ

ଭୋଟ୍ ଗ୍ରହଣର ୨୪ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ରହିବ । କୌଣସି ପ୍ରାର୍ଥୀ ମୁଦ୍ରିତ ପୋଷ୍ଟର, ବ୍ୟାନର ମାରିବେ ନାହିଁ । କେବଳ ହାତଲେଖା ପୋଷ୍ଟରକୁ ଅନୁମତି ରହିଛି । ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କ ଅନୁମତି ନଇ ସଭା କରିପାରିବେ । ଛାତ୍ର ସଂସଦ ନିର୍ବାଚନରେ ଲାଉଡ୍ ସ୍ପିକର ସହ ଗାଡ଼ିର ବ୍ୟବହାର କରାଯାଇପାରିବ ନାହିଁ । କୌଣସି ପଶୁଙ୍କୁ ମଧ୍ୟ ପ୍ରଚାରରେ ବ୍ୟବହାର କରିବା ନାହିଁ ।