Videos
|
Odisha

Odisha Landslide Prevention / ଓଡ଼ିଶାରେ ଭୂସ୍ଖଳନ ରୋକିବାକୁ ବଡ଼ ପ୍ଲାନ୍‌, ଉତ୍ତରାଖଣ୍ଡ ସହ ହାତ ମିଳାଇଲା ଓଡ଼ିଶା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଓଡ଼ିଶାରେ ଭୂସ୍ଖଳନ ରୋକିବାକୁ ବଡ଼ ପ୍ଲାନ୍‌, ଉତ୍ତରାଖଣ୍ଡ ସହ ହାତ ମିଳାଇଲା ଓଡ଼ିଶା
Odisha Landslide Prevention

Key Points

ଭୂସ୍ଖଳନ ମୁକାବିଲା ପାଇଁ ନୂଆ ରଣନୀତି
ଓଡ଼ିଶାକୁ ସହଯୋଗ କରିବ ଉତ୍ତରାଖଣ୍ଡ
ଆଗୁଆ ସତର୍କତା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ



ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା କରି ଦେଶ ତଥା ବିଶ୍ୱସ୍ତରରେ ପ୍ରଶଂସା ସାଉଁଟିଥିବା ଓଡ଼ିଶା ଏବେ ଭୂସ୍ଖଳନ ରୋକିବା ଦିଗରେ ବଡ଼ ପଦକ୍ଷେପ ନେବାକୁ ଯାଉଛି । ରାଜ୍ୟର ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ବଢ଼ୁଥିବା ଭୂସ୍ଖଳନ ବିପଦର ସ୍ଥାୟୀ ସମାଧାନ ପାଇଁ ଓଡ଼ିଶା ଓ ଉତ୍ତରାଖଣ୍ଡ ହାତ ମିଳାଇବେ । ଏନେଇ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓସଡମା) ଏବଂ ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ୟୁଏସଡିଏମଏ) ମଧ୍ୟରେ ଖୁବ୍‌ଶୀଘ୍ର MOU ସ୍ୱାକ୍ଷର ହେବ ।
ଉତ୍ତରାଖଣ୍ଡର ବିପର୍ଯ୍ୟୟ ପରିଚାଳନା ଓ ଥଇଥାନ ସଚିବ ବିନୋଦ କୁମାର ସୁମନ ଏବଂ ଓସଡମାର ଉପଦେଷ୍ଟା ତଥା ବରିଷ୍ଠ ଆଇଏଏସ୍‌ ଅଧିକାରୀ ଡକ୍ଟର କମଳ ଲୋଚନ ମିଶ୍ରଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଏଥିରେ ଉଭୟ ରାଜ୍ୟ ମିଳିତ ଭାବେ କାମ କରିବାକୁ ସହମତି ପ୍ରକାଶ କରିଛନ୍ତି ।

ଉତ୍ତରାଖଣ୍ଡର ଅଭିଜ୍ଞତାରୁ ଶିଖିବ ଓଡ଼ିଶା

ଡକ୍ଟର କମଳ ଲୋଚନ ମିଶ୍ରଙ୍କ ନେତୃତ୍ୱରେ ଓସଡମାର ଏକ ବିଶେଷଜ୍ଞ ଦଳ ଡେରାଡୁନ୍‌ସ୍ଥିତ ଉତ୍ତରାଖଣ୍ଡ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ପରିଦର୍ଶନ କରିଛନ୍ତି । ଏହି ଗସ୍ତ ସମୟରେ ଉତ୍ତରାଖଣ୍ଡରେ ଭୂସ୍ଖଳନ ମୁକାବିଲା ପାଇଁ ଗ୍ରହଣ କରାଯାଉଥିବା ଆଧୁନିକ ପଦକ୍ଷେପ, ବିପଦ ଆକଳନ, ନିରୀକ୍ଷଣ ଏବଂ ଆଗୁଆ ସତର୍କତା ବ୍ୟବସ୍ଥା ସମ୍ପର୍କରେ ଓସଡମା ଟିମ୍‌କୁ ବିସ୍ତୃତ ତଥ୍ୟ ଦିଆଯାଇଥିଲା ।

ଡକ୍ଟର ମିଶ୍ରଙ୍କ କହିବା ଅନୁଯାୟୀ, ନିକଟରେ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଗଞ୍ଜାମ, ଗଜପତି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଏହି ଜିଲ୍ଲାଗୁଡ଼ିକରେ ଭୂସ୍ଖଳନ ଏବେ ଏକ ଗମ୍ଭୀର ଆହ୍ୱାନ ଭାବେ ଦେଖାଦେଇଛି । ତେଣୁ ଭୂସ୍ଖଳନ ପରିଚାଳନାରେ ଅଭିଜ୍ଞ ଉତ୍ତରାଖଣ୍ଡର ବୈଷୟିକ ଜ୍ଞାନ, ଅନୁଭବ ଓ ନୂତନ ପ୍ରଯୁକ୍ତିବିଦ୍ୟା ଓଡ଼ିଶା ପାଇଁ ବେଶ୍‌ ଉପଯୋଗୀ ହେବ । ଏହାକୁ ଓଡ଼ିଶାର ଭୌଗୋଳିକ ସ୍ଥିତି ଓ ଆବଶ୍ୟକତା ଅନୁସାରେ ଲାଗୁ କରାଯିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସାଟେଲାଇଟ୍‌ ଓ ଜିଆଇଏସ୍‌ ମାଧ୍ୟମରେ ଚିହ୍ନଟ ହେବ ବିପଦପୂର୍ଣ୍ଣ ଅଞ୍ଚଳ

ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ସଚିବ ବିନୋଦ କୁମାର ସୁମନ କହିଛନ୍ତି ଯେ, ଉଭୟ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ହୋଇଥିବାରୁ ପରସ୍ପର ମଧ୍ୟରେ ଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଆଦାନପ୍ରଦାନ ଜରୁରୀ । ଉତ୍ତରାଖଣ୍ଡରେ ‘ଉତ୍ତରାଖଣ୍ଡ ଭୂସ୍ଖଳନ ପ୍ରଶମନ ଓ ପରିଚାଳନା କେନ୍ଦ୍ର’କୁ ଏକ ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ କରାଯାଇଛି ।
ଏଠାରେ ଭୂଗର୍ଭର ସ୍ଥିତି ଅନୁଧ୍ୟାନ ପାଇଁ ଆଧୁନିକ ବୈଜ୍ଞାନିକ ପଦ୍ଧତି ସହ ସାଟେଲାଇଟ୍‌ ଓ ଭୌଗୋଳିକ ସୂଚନା ପ୍ରଯୁକ୍ତିବିଦ୍ୟା (ଜିଆଇଏସ୍‌) ବ୍ୟବହାର କରାଯାଉଛି । ଏହାଦ୍ୱାରା ଭୂସ୍ଖଳନ ଆଶଙ୍କା ଥିବା ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକୁ ଆଗୁଆ ଚିହ୍ନଟ କରାଯାଇପାରୁଛି । ଏଥିସହ ଭୂସ୍ଖଳନ ପରେ ସୃଷ୍ଟି ହେଉଥିବା ଆବର୍ଜନା ଓ ଏହାର ପରବର୍ତ୍ତୀ ବିପଦର ଆକଳନ ମଧ୍ୟ କରାଯାଉଛି ।

‘ଶୂନ୍ୟ ମୃତାହତ’ ଲକ୍ଷ୍ୟରେ ଓଡ଼ିଶା ସରକାର

ଏହି ମିଳିତ ପଦକ୍ଷେପକୁ ସ୍ୱାଗତ କରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବାତ୍ୟା ଓ ବନ୍ୟା ସମୟରେ ଭୂସ୍ଖଳନ ଓଡ଼ିଶା ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି । ବିପର୍ଯ୍ୟୟ ସମୟରେ ଶୂନ୍ୟ ମୃତାହତ ହେଉଛି ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ।

ଉତ୍ତରାଖଣ୍ଡର ଅଭିଜ୍ଞତା ଓ ଆଧୁନିକ ଜ୍ଞାନକୌଶଳକୁ ଆପଣାଇ ଓଡ଼ିଶାରେ ଏକ ସୁଦୃଢ଼ ଭୂସ୍ଖଳନ ପରିଚାଳନା ବ୍ୟବସ୍ଥା ଗଢ଼ାଯିବ । ବିଶେଷ କରି ଦକ୍ଷିଣ ଓଡ଼ିଶାର ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ଆଗୁଆ ସତର୍କତା ଓ ବୈଜ୍ଞାନିକ ପଦକ୍ଷେପ ମାଧ୍ୟମରେ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ।
ଏହି ବୈଠକରେ ଉଭୟ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀ, ବିଶେଷଜ୍ଞ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ଏହି ସହଯୋଗ ଫଳରେ ଓଡ଼ିଶାର ଭୂସ୍ଖଳନ ମୁକାବିଲା କ୍ଷମତା ବଢ଼ିବା ସହ ବିପର୍ଯ୍ୟୟ ପୂର୍ବରୁ ସତର୍କତା ଏବଂ ଉଦ୍ଧାର କାର୍ଯ୍ୟ ଅଧିକ ପ୍ରଭାବଶାଳୀ ହେବ ବୋଲି ଆଶା କରାଯାଉଛି ।