ଓଡିଶାକୁ ଲୁଟିବା ପାଇଁ ଭ୍ରଷ୍ଟାଚାରୀ ହୋଇଛନ୍ତି ମେଳି

ଭୁବନେଶ୍ୱର: ଓଡିଶାରେ ମାତିଛି ଜଳଦସ୍ୟୁ । ଓଡିଶାକୁ ଲୁଟିବା ପାଇଁ ସିନ୍ଧିଚୋରର ଚକ୍ରାନ୍ତ। ଓଡିଶାକୁ ଲୁଟିବା ପାଇଁ ଭ୍ରଷ୍ଟାଚାରୀ ହୋଇଛନ୍ତି ମେଳି। ଚାଷଜମିରେ ମାଡିଯାଇଥିବା ବାଳୁଙ୍ଗାକୁ ସଫା କରିବାକୁ ପଡିବ। ଓଡିଶାରେ ଡବଲ ଇଂଜିନ୍ ସରକାର ହେବ। ଆଜି ଏମିତି ଦୃଢୋକ୍ତି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାମିଲ ଗୁମାସ୍ତାଙ୍କୁ ସିଧାସିଧା ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେବଗଡରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ 25 ବର୍ଷ ଶାସନ କ୍ଷମତାରେ ଥିବା ବିଜେଡିକୁ କାଠଗଡାକୁ ଟାଣିଛନ୍ତି କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର କହିଛନ୍ତି ଓଡିଶାକୁ ଲୁଟିବା ପାଇଁ ଜଣେ ସିନ୍ଧି ଚୋର ଘର ପଛପଟୁ ସିନ୍ଧି କରିବାରେ ଲାଗିଛି । ଓଡିଶାରେ ଥିବା ଭ୍ରଷ୍ଟ ସରକାରକୁ ବଦଳାଇବା ପାଇଁ ଓଡିଶା ଲୋକ ସଂକଳ୍ପ ନେଇଛନ୍ତି । ଆଉ ଏଥର ରାଜ୍ୟରେ ଚେରବଦଳି ହେବ ବୋଲି ଧର୍ମେନ୍ଦ୍ର କହିବା ସହ ବିଜୁ ଜନତା ଦଳର ଏହା ଶେଷ ସମୟ ବୋଲି କହିଥିଲେ ।
ଦେବଗଡ ପରେ କୁଚିଣ୍ଡାର ବାମରାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଥିଲେ ଧର୍ମେନ୍ଦ୍ର । ଆଉ କହିଥିଲେ। ଦଳେ ମାଫିଆ ଓଡିଶାକୁ ଲୁଟିବା ପାଇଁ ଏକାଠି ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଶାସନ ଚଳାଇବା ଅବସ୍ଥାରେ ନାହାନ୍ତି। ମୁଖ୍ୟମନ୍ତ୍ରୀ ଭିଡିଓରେ ନିଜର ଚେହେରା ଦେଖାଉଛନ୍ତି। ଶାସନ ଦାୟିତ୍ୱ ଏବେ ଭଡାଟିଆ ହାତକୁ ଚାଲିଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଓଡିଶାରେ ସରକାର ଠିକାରେ ଚାଲିଛି। ଓଡିଶାର ଶାସନ ଓଡିଆଙ୍କ ହାତରେ ରହିବା ଦରକାର। ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ହେବ।
ଧର୍ମେନ୍ଦ୍ର କହିଥିଲେ ଏ ଲଢେଇ 25 ବର୍ଷର ପ୍ରତାରଣା ଓ 10 ବର୍ଷର ଦାୟିତ୍ୱ ମଧ୍ୟରେ । ଯେଉଁ ସରକାର 25 ବର୍ଷ ଶାସନ କ୍ଷମତାରେ ଥାଇ ପିଇବା ପାଣି ଦେଇପାରେ ନାହିଁ , ଜମିକୁ ଜଳସେଚନ କରିପାରେନାହିଁ, ସ୍କୁଲକୁ ଶିକ୍ଷକ ଦେଇପାରେନାହିଁ , ଡାକ୍ତରଖାନାକୁ ଡାକ୍ତର ଦେଇପାରେ ନାହିଁ ସେ ସରକାରକୁ ବଦଳାଇ ଡବଲଇଞ୍ଜିନ ସରକାର ଲଗାଇବାର ଆବଶ୍ୟକ ରହିଛି । ବିଜେପି ସରକାରକୁ ଆସିଲେ ଧାନକୁଇଣ୍ଟାଲ 3100 , କେନ୍ଦୁପତ୍ର ବିଡା 2ଟଙ୍କା, ଗରିବଙ୍କୁ ଘର, ଭୂମିହୀନଙ୍କୁ ପଟ୍ଟା, ଯୋଗାଇଦେବ ।
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର