Bann Liquor / ମଦ ପିଇ ଉଜୁଡ଼ୁଛି ପରିବାର! ବେପାର ବନ୍ଦ ପାଇଁ ଥାନାରେ ମହିଳାଙ୍କ ଗୁହାରି

Key Points
ମଦ ବେପାର ବନ୍ଦ ପାଇଁ ଥାନାରେ ମହିଳାଙ୍କ ଗୁହାରି
ମୟୁରଭଞ ଉଦଳାର ଘଟଣା
ଉଦଳା,୧୨/୦୯: ଗାଁରେ ଚାଲିଛି ବେଧଡକ ମଦ କାରବାର। ମଦ ଯୋଗୁଁ ଉଜୁଡ଼ୁଛି ପରିବାର, ବଢ଼ୁଛି ପାରିବାରିକ ଅଶାନ୍ତି। ଏପରିକି ନାବାଳକମାନେ ମଧ୍ୟ ନିଶାର କବଳରେ ପଡ଼ୁଥିବା ଅଭିଯୋଗ ହୋଇଛି। ମଦ ବେପାର ବନ୍ଦ ଦାବିରେ ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଶତାଧିକ ମହିଳା। ଉଦଳା ଥାନାରେ ଆଜି ଦେଖିବାକୁ ମିଳିଛି ଏଭଳି ଚିତ୍ର।
ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଜୁଆଳିଆ, ନହରପଦା ଓ ଡୁଙ୍ଗୁରୁଡ଼ିହି ଗାଁରେ ଦିନକୁ ଦିନ ବଢ଼ୁଥିବା ମଦ କାରବାରକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗାଁରେ ଖୁଲମଖୁଲା ଭାବେ ବେଆଇନ ମଦ ବିକ୍ରି ହେଉଛି। ଏହାର ପ୍ରଭାବରେ ଅନେକ ପରିବାର ଆର୍ଥିକ ଓ ସାମାଜିକ ଭାବେ ପ୍ରଭାବିତ ହେଉଛନ୍ତି। ମଦ ପିଇ ଘରେ ଅଶାନ୍ତି ସୃଷ୍ଟି କରିବା ସହ ପରିବାର ଲୋକଙ୍କ ସହ ଝଗଡ଼ା କରୁଥିବା ଅଭିଯୋଗ ମଧ୍ୟ ରହିଛି। ସବୁଠାରୁ ଚିନ୍ତାର ବିଷୟ ହେଉଛି, ମଦ ବିକ୍ରି ଯୋଗୁଁ ନାବାଳକମାନେ ମଧ୍ୟ ନିଶା ସେବନ ଆଡ଼କୁ ଟାଣି ହୋଇଯାଉଥିବା ଗ୍ରାମବାସୀ କହିଛନ୍ତି। ଏହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ବଢ଼ିଛି ଚିନ୍ତା।
ଗାଁରେ ଏଭଳି ବେଆଇନ ମଦ ବିକ୍ରି ବନ୍ଦ କରିବାକୁ ଗ୍ରାମବାସୀ ପୂର୍ବରୁ ମଦ ବେପାରୀମାନଙ୍କୁ ତାଗିଦ କରିଥିବା କହିଛନ୍ତି। ହେଲେ ଏହାର କୌଣସି ପ୍ରଭାବ ପଡ଼ିନଥିବା ଅଭିଯୋଗ ହୋଇଛି। ବେପାରୀମାନେ ନିଜ ମନମୁତାବକ ମଦ ବିକ୍ରି ଜାରି ରଖିଥିବାରୁ ଗ୍ରାମବାସୀଙ୍କ ଅସନ୍ତୋଷ ଆହୁରି ତୀବ୍ର ହୋଇଛି। ଶେଷରେ ନିଜ ପରିବାର ଓ ଗାଁର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଶତାଧିକ ମହିଳା ଏକାଠି ହୋଇ ଉଦଳା ଥାନାରେ ପହଞ୍ଚିଛନ୍ତି। ଥାନାରେ ନିଜ ଅଭିଯୋଗ ଜଣାଇବା ସହ ଗାଁରେ ଚାଲିଥିବା ମଦ କାରବାର ଉପରେ ତୁରନ୍ତ ରୋକ୍ ଲଗାଇବାକୁ ଦାବି କରିଛନ୍ତି।
ପଢନ୍ତୁ ଏହି ଖବର: କ୍ୟାମିକାଲ୍ ଦେଇ ପଚାଯାଉଛି କି କଦଳୀ? ୧୫ ଗୋଦାମରେ ଫୁଡ୍ ସେଫ୍ଟି ରେଡ୍
ଗ୍ରାମବାସୀଙ୍କ ଦାବି ହେଉଛି, ପ୍ରଶାସନ ଓ ପୋଲିସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଗାଁରେ ବେଆଇନ ମଦ ବିକ୍ରି ବନ୍ଦ କରୁ। ନଚେତ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରିବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
📱 Get Argus News App
✨ଏବେ ପ୍ରଶ୍ନ ଉଠୁଛି, ଗାଁରେ ଏଭଳି ବେଆଇନ ମଦ କାରବାର ଉପରେ କେବେ ଲାଗିବ ରୋକ୍? ମଦ କବଳରୁ ପରିବାର ଓ ନାବାଳକଙ୍କୁ ସୁରକ୍ଷା ଦେବାକୁ ପୋଲିସ-ପ୍ରଶାସନ କି ପଦକ୍ଷେପ ନେବ, ତାହାକୁ ଅପେକ୍ଷା।
ଗାଁ ଠାରୁ ସହର ସବୁଆଡ଼େ ବେଧଡକ ଚାଲିଛି ମଦ କାରବାର। ମଦ ନିଶାରେ ଉଜୁଡ଼ୁଛି ଅନେକ ପରିବାର। ରୋଜଗାରର ଟଙ୍କା ମଦ ପଛରେ ଖର୍ଚ୍ଚ ହେଉଥିବାରୁ ଘରେ ବଢୁଛି ଆର୍ଥିକ ସଙ୍କଟ। ନିଶାସକ୍ତି ଯୋଗୁଁ ପରିବାରରେ ଝଗଡ଼ା, ଅଶାନ୍ତି ଓ ହିଂସା ଭଳି ଘଟଣା ମଧ୍ୟ ବଢୁଛି। ମଦର କୁପ୍ରଭାବ ସିଧାସଳଖ ଭାବେ ମହିଳା ଓ ଶିଶୁଙ୍କ ଜୀବନକୁ ପ୍ରଭାବିତ କରୁଛି। ମଦ କାରବାର ଉପରେ କଡ଼ା ରୋକ୍ ଲଗାଇବା ସହ ନିଶାମୁକ୍ତି ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି।
Related Topics
Explore more stories