Videos
|
Odisha

ଓଡ଼ିଶାର ସ୍ୱତନ୍ତ୍ର ଆଉ ନିଆରା ପୂଜା ଗୋଷ୍ଠାଷ୍ଟମୀ

Ritu Das
Browse all articles by Ritu Das
·2 years ago·2 min read
ଓଡ଼ିଶାର ସ୍ୱତନ୍ତ୍ର ଆଉ ନିଆରା ପୂଜା ଗୋଷ୍ଠାଷ୍ଟମୀ

ଅର୍ଗସ ବ୍ୟୁରୋ: ଗୋଷ୍ଠାଷ୍ଟମୀ ଓଡ଼ିଶାର ଏକ ସ୍ୱତନ୍ତ୍ର ଆଉ ନିଆରା ପୂଜା I ଏହି ପୂଜା ଆଦ୍ୟ କାଳରୁ ପାଳନ ହୋଇଆସୁଥିବା ବେଳେ ଦିନକୁ ଦିନ ଏହାର ଗୁରୁତ୍ୱ କମିବାରେ ଲାଗିଛି କିନ୍ତୁ ଏବେବି କିଛି ଗାଁ ରହିଛି ଯେଉଁଠି ଗୋମାତାଙ୍କୁ ଗୁରୁତ୍ୱ ଦେବା ସହ ଗୋଷ୍ଠାଷ୍ଟମୀ ଉତ୍ସବ ଧୂମଧାମରେ ପାଳନ କରାଯାଇଥାଏ I ପରମ୍ପରା ପ୍ରାଚୀନ କାଳରୁ ଥିବା ବେଳେ ଉତ୍କଳୀୟ ପରମ୍ପରାରେ ଗୋ-ପୂଜାର ଅନେକ ମାହାତ୍ମ୍ୟ ରହିଛି I ଏଥି ପାଇଁ ପୁରପଲ୍ଲୀରେ ପାଳନ ହୁଏ ଗୋଷ୍ଠାଷ୍ଟମୀ I ଆମ ରାଜ୍ୟର

ବିଭିନ୍ନ ସ୍ଥାନରେ ଗୋମାତାଙ୍କୁ ପୂଜା କରିବାର ଭିନ୍ନ ଭିନ୍ନ ରୀତିନୀତି ରହିଛି I କେଉଁଠି କରାଯାଏ ପୂଜା ତ ଆଉ କେଉଁଠି କରାଯାଏ ବିବାହ  ଉତ୍ସବ I କିନ୍ତୁ ଗୋଷ୍ଠାଷ୍ଟମୀ ଉତ୍ସବ କିଛି କମ ସ୍ଥାନରେ ହିଁ ପାଳନ କରାଯାଇଥାଏ I ପ୍ରାଚୀନ କାଳରେ ଭଗବାନ ଶ୍ରୀ କୃଷ୍ଣ ଭାଇ ବଳରାମଙ୍କୁ ନେଇ ଗାଈ ବାଛୁରୀ ଚରାଇବାକୁ ଯାଇ ଗାଈ ଓ ବଳଦ ମାନଙ୍କୁ ଆରାଧ୍ୟ ଦେବତା ରୂପେ ପୂଜା କରିଥିଲେ I ସେହି ଦିନଠାରୁ ପ୍ରତ୍ୟକ ବର୍ଷ ଏହାକୁ ଏକ ପରମ୍ପରା ରୂପେ ପାଳନ କରାଯାଉଛି I ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ମକରଝୋଳ ଗ୍ରାମରେ ଏହି ପୂଜା ସ୍ୱତନ୍ତ୍ର ଆଉ ନିଆରା ରୂପେ ପାଳନ କରାଯାଇଥାଏ I ସେହି ଦିନ ଗୋମାତାଙ୍କ ସହ ଷଣ୍ଢକୁ ବିବାହ କରାଯାଉଥିବା ବେଳେ ଏହି ଉତ୍ସବ ପାଖାପାଖି ୪୬ ବର୍ଷ ହେବ ଲଗାତାର ପାଳନ କରାଯାଉଛି I

ଧର୍ମ ମାସ କାର୍ତ୍ତିକ ଶୁକ୍ଲପକ୍ଷ ଅଷ୍ଟମୀ ତିଥି ତଥା ଦୀପାବଳି ଅମାବାସ୍ୟାର ୭ ଦିନ ପରେ ପଡୁଥିବା ତିଥିକୁ ଗୋଷ୍ଠାଷ୍ଟମୀ ବୋଲି କୁହାଯାଏ I ମକରଝୋଳ ଗ୍ରାମରେ ଏହି ଉତ୍ସବ ନିଆରା ଆଉ ସ୍ୱତନ୍ତ୍ର ଭାବରେ ପାଳନ କରାଯାଉଥିବାରୁ ଓଡିଶା ପାଇଁ ଏହା ଏକ ବିରଳ ବୋଲି କହିଲେ ମଧ୍ୟ ଭୁଲ ହେବ ନାହିଁ I ଏଠି ଗୋବିବାହ ପ୍ରଥା ଥିବା ବେଳେ ଏହି ଉତ୍ସବ ଗୋ ଯାତ୍ରା ନାମରେ ପ୍ରସିଦ୍ଧି ଲାଭ କରିଛି I ପରମ୍ପରା ଅନୁଯାୟୀ ମକରଝୋଳ ଗ୍ରାମର ରଙ୍ଗଣୀ ସାହିରେ ସାହି ବାସିନ୍ଦା ଏକତ୍ରିତ ହୋଇ ପିଲାଠୁ ବୁଢା ସମସ୍ତେ ଗ୍ରାମର ରାସ୍ତା ମଝିରେ ଶ୍ରୀକୃଷ୍ଣଙ୍କୁ ଏବଂ ଗୋମାତାଙ୍କୁ ପୂଜା କରିଥାନ୍ତି। ଏହା ପରେ ଆରମ୍ଭ ହୁଏ ବିବାହର ରୀତିନୀତି I ମଣିଷ ବାହାଘରର ରୀତିନୀତି ସମାନ ପ୍ରକାରେ ଷଣ୍ଢ ଆଉ ବାଛୁରୀର ବିବାହ କରାଯାଏ। ଅଞ୍ଚଳରେ ସେଇଦିନ ଭୋଜିଭାତରେ ଆସର ସହ ସମସ୍ତଙ୍କ ଭିଡ ଜମୁଥିବା ବେଳେ ଏହାର ପ୍ରଚାର ପ୍ରସାର ପାଇଁ ସରକାରଙ୍କୁ ଦାବି କରାଯାଇଛି। 

ଗୋଷ୍ଠାଷ୍ଟମୀ ଉତ୍ସବ ପାଖାପାଖି ୪୬ ବର୍ଷ ହେବ ଏକ ନିର୍ଦ୍ଧିଷ୍ଟ ଗ୍ରାମରେ ପାଳନ କରାଯାଉଥିବା ସତ୍ୱେ ପ୍ରଚାର ପ୍ରସାର ଅଭାବରୁ ଓଡ଼ିଶାରେ ଏହି ଉତ୍ସବ ଦିନକୁ ଦିନ ଲୋପ ପାଇଲାଣି I ଗୋମାତାଙ୍କ ଗୁରୁତ୍ୱ ଆଉ ସମାଜରେ ରକ୍ଷଣାବେକ୍ଷଣର ପ୍ରଚାର କରିବା ସହିତ ଗୋଷ୍ଠାଷ୍ଟମୀର ବିଶେଷତ୍ୱ ଲୋକଙ୍କ ପ୍ରଚାର କରାଇଲେ ଏହା ପୂଜା ସାରା ଓଡ଼ିଶାରେ ଧୀରେ ଧୀରେ ଗୁରୁତ୍ୱ ବୃଦ୍ଧି ପାଇବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Odisha's special | Argus News