ନେତା ମନ୍ତ୍ରୀ ବିଧାୟକ ପରେ ବିଜେଡିକୁ ବାଏ ବାଏ କଲେ ବଡ ଷ୍ଟାର

ଅର୍ଗସ ବ୍ୟୁରୋ: ଅରିନ୍ଦମ ରାୟ,ସିଦ୍ଧାନ୍ତ ମହାପାତ୍ର,ଆକାଶ ଦାସ ନାୟକ,ଅନୁଭବ ମହାନ୍ତି । ବିଜେଡିରୁ ମୁହଁ ଫେରାଇଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ଏହି ୪ ବଡ଼ ଷ୍ଟାର । ନିର୍ବାଚନ ମଇଦାନରେ ଷ୍ଟାର କ୍ୟାମ୍ପନର ସାଜି ଲୋକଙ୍କ ଭିଡ଼ ଜମାଉଥିବା ଅରିନ୍ଦମ, ସିଦ୍ଧାନ୍ତ,ଆକାଶ,ଅନୁଭବ ଦଳ ଛାଡିବା ପରେ ବିଜେଡିକୁ ଲାଗିଛି ଶକ୍ତ ଝଟକା । ଦଳର ସାଧାରଣ ସମ୍ପାଦକ ଥିବା ଅରିନ୍ଦମ ରାୟ ଓ ଦୁଇ ଦୁଇ ଥର ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେଡି କ୍ୟାମ୍ପ ଛାଡି ବିଜେପି ରେ ସାମିଲ ହୋଇଥିବା ବେଳେ ଖୁବଶୀଘ୍ର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ଓ ଏବଂ ବର୍ତ୍ତମାନର ସାଂସଦ ଅନୁଭବ ମହାନ୍ତି ବି ସାମିଲ ହେବାକୁ ଯାଉଥିବା କୁହାଯାଉଛି । ସେହିପରି ଆଗକୁ ପୂର୍ବତନ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କର ବି ଘର ବାହୁଡା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଆଜି ଉଭୟ ଆକାଶ ଓ ଅନୁଭବ ଦଳ ଛାଡିବା ସହ ଆଣିଛନ୍ତି ସଙ୍ଗିନ ଅଭିଯୋଗ । ଉଭୟ ଦଳରେ କଣଠେସା ହେଉଥିବାର ଅଭିଯୋଗ ଆଣି କହିଛନ୍ତି ନିଜ ଆତ୍ମ ସମ୍ମାନ ପାଇଁ ଆମେ ଦଳ ଛାଡୁଛୁ ।
କେବଳ ଏଇ ମାନେ ନୁହଁନ୍ତି ବରଂ ଦଳର ଅନେକ ଆଗ ଧାଡ଼ିର ନେତା ବି ବିଜେଡି ସହ ବର୍ଷ ବର୍ଷର ସମ୍ପର୍କ ତୁଟାଇଛନ୍ତି । ଆଜି ଭୁବନେଶ୍ୱର ଉତ୍ତରରୁ ଦଳର ପୂର୍ବତନ ବିଧାୟକ ଥିବା ପ୍ରିୟଦର୍ଶୀ ମିଶ୍ର ବିଜେଡି ଛାଡି ବିଜେପି କ୍ୟାମ୍ପରେ ସାମିଲ ହୋଇଛନ୍ତି । ସେହିପରି ପୂର୍ବରୁ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଏବଂ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ବିଜେପି କ୍ୟାମ୍ପରେ ସାମିଲ ହୋଇ ବିଜେଡିକୁ ଦେଇଛନ୍ତି ଆହ୍ୱାନ । ସେହିପରି ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଏବଂ ବର୍ତ୍ତମାନର ସାଂସଦ ତଥା ଛଅ ଛଅ ଥରର ସାଂସଦ ଭତୃହରି ମହତାବ ବି ବିଜେଡି ଗଣତନ୍ତ୍ର ନୁହେଁ ଜଣ ତନ୍ତ୍ର ଚାଲିଥିବା କହି ଦଳ ଛାଡି ବିଜେପିରେ ହୋଇଛନ୍ତି ସାମିଲ ।
ଏହା ବାଦ ପୂର୍ବତନ ବିଧାୟକ ଅନାମ ନାୟକ, ତ୍ରିନାଥ ଗମାଙ୍ଗ ଓ ପୂର୍ଣ୍ଣ ସେଠି ବି ବିଜେପି କ୍ୟାମ୍ପରେ ସାମିଲ ହୋଇ ଉଡାଇଛନ୍ତି ଗେରୁଆ ବାନା । ଅର୍ଥାତ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବଳଶାଳୀ ହେଉଥିବା ବେଳେ ବିଜେଡିର ଗ୍ରହଣୀୟତା କମିବାରେ ଲାଗିଛି । ଏ ସବୁ ଭିତରେ କଂଗ୍ରେସରୁ ବି ଅନେକ ନେତା ମୁହଁ ଫେରାଉଛନ୍ତି । ଚିରଞ୍ଜିବି ବିଶ୍ୱାଳ ଆଜି ଇସ୍ତଫା ଦେଇଥିବା ବେଳେ ବିଧାୟକ ଅଧିରାଜ ପାଣିଗ୍ରାହୀ ଏବଂ ପୂର୍ବତନ ବିଧାୟକ କେ ସୁରିଆ ରାଓ ବି କଂଗ୍ରେସ ଛାଡିଛନ୍ତି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: