ଭାଙ୍ଗୁଛି ବିଜେଡି, ବଢୁଛି ବିଜେପି

ଅର୍ଗସ ବ୍ୟୁରୋ: ଭାଙ୍ଗୁଛି ବିଜେଡି । ଦୁର୍ବଳ ହେଉଛି ଶଙ୍ଖ ଶିବିର । ଜଣେ ପରେ ଜଣେ ନେତା ଛାଡୁଛନ୍ତି ଦଳ । ବିଜେଡି ମ୍ୟାନେଜରଙ୍କ ଉପରେ ବିମୁଖ ଦଳୀୟ ନେତା । ନିର୍ବାଚନ ବେଳେ ହଜିଲାଣି ନବୀନଙ୍କ ନିଦ । ଟିକେଟ୍ ବଣ୍ଟା ପୂର୍ବରୁ ଟେନସନ୍ ରେ ମୁଖିଆ । ପ୍ରଥମେ ବିଜେଡିକୁ ବାଏ ବାଏ କରିଥିଲେ କଳାହାଣ୍ଡିର ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ । ପରେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ବି ଶଙ୍ଖ ଶିବିର ସହ ତୁଟାଇଲେ ସବୁ ସମ୍ପର୍କ । ଏହା ପରେ ଦଳର ବରିଷ୍ଠ ନେତା ତଥା ପ୍ରତିଷ୍ଠାତା ସଦସ୍ୟ ଦେବାଶିଷ ନାୟକ ବି ପାର୍ଟିକୁ କଲେ ପରିତ୍ୟାଗ । ଆଉ ଏବେ ଦଳର ଅନୁଭବି ନେତା ଅରବିନ୍ଦ ଢାଲି ବି ବିଜେଡିକୁ ଦେଇଛନ୍ତି ବଡ ଝଟକା । ପୂର୍ବରୁ ବିଜେଡି ମ୍ୟାନେଜରଙ୍କ ମନମାନିକୁ ବିରୋଧ କରିବାରୁ ପ୍ରଦୀପ ପାଣିଗ୍ରାହି, ପ୍ରଶାନ୍ତ ଜଗଦେବ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ଶେଖପ ପରିଡାଙ୍କୁ ବିଭିନ୍ନ କାରଣ ଦେଖାଇ ବାହାର କରିଛି ଦଳ । ତେବେ ଏଇଭଳି ଭାବେ ନିର୍ବାଚନ ପୂର୍ବରୁ ନେତାଙ୍କ ଦଳ ଛାଡିବା ନବୀନଙ୍କ ଚିନ୍ତା ବଢାଇଛି । ଶଙ୍ଖ ଚିହ୍ନରେ ଲଢି ବିଧାୟକ ହୋଇଥିବା 5 ବିଧାୟକ ଆଉ ଦଳରେ ନାହାଁନ୍ତି। ଏ ସଂଖ୍ୟା ଆଗକୁ ଆହୁରି ବଢିପାରେ।
ସେପଟେ ଦଳ ପାଇଁ ଅଧିକ ଚ୍ୟାଲେଞ୍ଜ ବଢାଇଛି ଆଭ୍ୟନ୍ତରୀଣ ଅନ୍ତକନ୍ଦଳ । ଦଳୀୟ ନେତା ଟିକେଟ୍ ଆଶାରେ ପରସ୍ପର ବିରୁଦ୍ଧରେ କରୁଛନ୍ତି ବିଶୋଦଗାର । ନବୀନ ନିବାସ ଆଗରେ ବି ପ୍ରତିଦିନ ଲାଗୁଛି ଲାଗୁଛି ଲମ୍ବା ଲାଇନ । ତେଣୁ କେଉଁ ଆଶାୟୀଙ୍କୁ ଟିକେଟ୍ ଦେବେ ଆଉ କିପରି ଅସନ୍ତୁଷ୍ଟଙ୍କୁ ମନାଇବେ ସେଥିଲାଗି ଚିନ୍ତାରେ ବିଜେଡି ମୁଖିଆ ।
ଅନ୍ୟପଟେ ବିଜେଡିରୁ ବାହାରି ଥିବା ନେତା ଜଣେ ପରେ ଜଣେ ବିଜେପି କ୍ୟାମ୍ପରେ ସାମିଲ ହୋଇ ମୁଖିଆଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି । ପ୍ରଦୀପ ପାଣିଗ୍ରୀହି, ପ୍ରଶାନ୍ତ ଜଗଦେବ ବିଜେପିରେ ସାମିଲ ହେବା ପରେ ଖୋର୍ଦ୍ଧା ଓ ଗଞ୍ଜାମର ବିଜେଡି ଗଣିତ ବିଗିଡି ପାରେ ବୋଲି ଆକଳନ କରାଯାଉଛି । ଏପରିକି ଏକଦା ବିଜେଡିର ରଣନୀତିକାର ଥିବା ଉଭୟ ନେତା ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ କୋଳାଗ୍ରତ ହୋଇ ଉଇନିଙ୍ଗ ସିମ୍ବଲ ଦେଖାଇଛନ୍ତି । ସେହିପରି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ବି ବିଜେପି କ୍ୟାମ୍ପରେ ଯୋଗଦେବା ପରେ ବିଜେଡିକୁ ହୋଇଛି ବଡ ଡ୍ୟାମେଜ । ଏହାବାଦ୍ ଆଗକୁ ଅରବିନ୍ଦ ଢାଲି ଓ ଧାମନଗରର ପୂର୍ବତନ ବିଜେଡିର ବିଧାୟକ ରାଜୁ ଦାସ ବିଜେପିରେ ସାମିଲ ହେବାକୁ ଘୋଷଣା କରିବା ପରେ ଶଙ୍ଖ ଶିବିରରେ ପଡିଛି ଭାଳେଣି । ଦଳୀୟ ନେତାଙ୍କୁ ହରାଇ ଦୁର୍ବଳ ହେଉଥିବା ବିଜେଡି କିପରି ଅଧିକ ଆସନ ଜିତି ରେକର୍ଡ କରିବ ତାକୁ ନେଇ ଦଳୀୟ ମହଲରେ ଗୁଞ୍ଜରଣ ଆରମ୍ଭ ହୋଇଛି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: