କୁଆପଥର ସହ ବର୍ଷା ପାଇଁ 8 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଅର୍ଗସ ବ୍ୟୁରୋ: ଡହ ଡହ ଖରାକୁ ଅସମ୍ଭାଳ ଗୁଳୁଗୁଳି । ତତଲା କଡ଼େଇରେ ସତେ ଭାଜି ହେଉଛି ଓଡ଼ିଶା । ଅସମ୍ଭାଳ ଖରାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଛି । ଉତ୍ତପ୍ତ ସହର ଭିତରେ ରେକର୍ଡ କରିଛି ରାଜଧାନୀ । ପୁରା ଏସିଆ ମହାଦେଶରେ ଭୁବନେଶ୍ବର ପାଲଟିଛି ଷଷ୍ଠ ଉତ୍ତପ୍ତ ସହର । କିଛି ଏମିତି ଏବେ ଓଡ଼ିଶାର ସ୍ଥିତି।କିଛି ଏମିତି ଏବେ ଓଡ଼ିଶାର ସ୍ଥିତି ।
ପାରଦ ବଢ଼ୁଛି, ଖସୁଛି ମଣିଷର ପାରା। ଗଲା କିଛି ଦିନ ହେବ ଅସହ୍ୟ ଗରମରେ ସନ୍ତୁଳି ହେଉଛି ମଣିଷ। ସକାଳ 8ଟା ପରେ ଘରୁ ବାହାରିବା ମୁସ୍କିଲ୍ ହୋଇପଡୁଛି । ଶୁକ୍ରବାର ଅପେକ୍ଷା ଶନିବାର ତାପମାତ୍ରା 1ରୁ 2 ଡିଗ୍ରୀ କମ୍ ଥିଲେ ବି ପ୍ରବଳ ଗରମ ଅନୁଭୂତ ହେଉଛି । ତେବେ ଆଜି ପାଇଁ ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ଏଥିପାଇଁ ନୟାଗଡ଼, ବଲାଙ୍ଗିର, ଭଦ୍ରକ, ଗଜପତି, ବୌଦ୍ଧ ଓ ଭୁବନେଶ୍ବରକୁ ୱାର୍ଣ୍ଣିଂ ଜାରି ହୋଇଛି। ଯାହା ରାଜ୍ୟରେ ଅଂଶୁଘାତର ଆଶଙ୍କା ବଢ଼ାଇଛି। ରାଜ୍ୟରେ 8 ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇଥିବାବେଳେ ଅନୁଗୁଳରୁ 5, ମୟୁରଭଞ୍ଜ, ସୁନ୍ଦରଗଡ଼ ଓ ଭୁବନେଶ୍ବରରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । ସବୁ ଡାକ୍ତରଖାନାକୁ ଅଂଶୁଘାତ ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସଜାଗ ରହିବା ସହ ଖରାରେ ବେଶୀ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ଖାଲି ଅଂଶୁଘାତ କାହିଁକି ଅସହ୍ୟ ଗରମ କାରଣକୁ ରାଜ୍ୟରେ ବୃଦ୍ଧି ପାଇଛି ଜଙ୍ଗଲ ନିଆଁର ଆଶଙ୍କା। ଯାହାର ସଦ୍ୟତମ ଉଦାହରଣ ଆସିଛି ବାଲେଶ୍ବର ଜିଲ୍ଲା ନୀଳଗିରିରୁ। ନିଆଁରେ କବଳରେ ନୀଳଗିରିର କୁଲଡିହା ଅଭୟାରଣ୍ୟ। ଜଳି ପୋଡି ପାଉଁଶ ହୋଇଯାଉଛି ଛଟବଡ଼ ମୂଲ୍ୟବାନ ଗଛ। ଗ୍ରାମବାସୀ ଦ୍ୱାରା ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ହେଉଥିଲେ ବି ନିଆଁ ଆୟତ୍ତକୁ ଆସୁନି। ସେପଟେ ନିଆଁଲାଗି ଛାରଖାର ହେବା ସ୍ଥିତିରେ ମାଲକାନଗିରି ବଣ୍ଡାଘାଟିର ବଣ୍ଡା ପାହାଡ଼। ଏ ସବୁ ଭିତରେ କିନ୍ତୁ ଆଶ୍ବସ୍ତି ଆଣିଛି କାଳବୈଶାଖୀ ଖବର।
📱 Get Argus News App
✨ଆସନ୍ତାକାଲିଠୁ କାଳବୈଶାଖୀର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। 7 ଓ 8 ତାରିଖ ରାଜ୍ୟରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ରବିବାର 2ରୁ 4 ଡିଗ୍ରୀ କମିପାରେ ତାପମାତ୍ରା। ବର୍ଷା ପାଇଁ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର , ଯାଜପୁର, କଟକକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । 40 ରୁ 50 କିମି ବେଗରେ ପବନ ବହିପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି।
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଦିନ 11ରୁ 3ଟା ମଧ୍ୟରେ ବାହାରେ ଖେଳିବାକୁ ବାରଣ କରିଛନ୍ତି ଏସଆରସି । ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କ୍ରୀଡା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ଆହୁରି ପଢନ୍ତୁ ପାଣିପାଗ ଖବର...