Videos
|
Odisha

ସୀମାନ୍ତରେ ମରୁଛି ଓଡ଼ିଆ ଭାଷା

Rashmita Mishra
Browse all articles by Rashmita Mishra
·2 years ago·2 min read
ସୀମାନ୍ତରେ ମରୁଛି ଓଡ଼ିଆ ଭାଷା

ଅର୍ଗସ ବ୍ୟୁରୋ: ବିଚ୍ଛିନ୍ନାଞ୍ଚଳରେ ସଂକଟରେ ଓଡ଼ିଆ ଭାଷା। ଆପଣ ଦେଖୁଥିବା ଏ ଅଞ୍ଚଳ ହେଉଛି ଓଡ଼ିଶା ସୀମାକୁ ଲାଗିକରି ଥିବା ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାର। ଏଠି ଓଡ଼ିଆ ସ୍କୁଲ ଅଛି, ପିଲା ଆସୁଛନ୍ତି, କିନ୍ତୁ ପାଠପଢ଼ା କଥା କହିଲେ ନାନା ଅବ୍ୟବସ୍ଥା। ନା ପିଲାଙ୍କୁ ପାଠ୍ୟ ପୁସ୍ତକ ମିଳୁଛି ନା ପିଲାଙ୍କୁ ପଢ଼ାଇବାକୁ ଅଛନ୍ତି ଆବଶ୍ୟକ ସଂଖ୍ୟାରେ ଓଡ଼ିଆ ଶିକ୍ଷକ । ପୁଣି ଯେତିକି ଶିକ୍ଷକ ଅଛନ୍ତି ବର୍ଷ ବର୍ଷ ଧରି ସେମାନଙ୍କ ଦରମା ବଢୁନାହିଁ। ଯେତିକି ଦରମା ଦେଉଛନ୍ତି ତାହା ନିୟମିତ ନୁହେଁ। 

କେବଳ ପୂର୍ବ ସିଂହଭୂମ ନୁହେଁ ଏବେ ଝାଡ଼ଖଣ୍ଡରେ ଥିବା ସଢ଼େଇକଳା-ଖରସୁଆଁ , ପୂର୍ବ ସିଂହଭୂମ ଆଦି ସବୁ ଓଡ଼ିଶା ସୀମାବର୍ତ୍ତୀ ଜିଲ୍ଲାରେ ସମାନ ଅବସ୍ଥା। ପୂର୍ବରୁ ଏସବୁ ଅଞ୍ଚଳ ଥିଲେ ଓଡ଼ିଶାର ଅଂଶ । କେବଳ ପଶ୍ଚିମ ସିଂହଭୂମ ଜିଲ୍ଲାର ୮୦ ପ୍ରତିଶତ ବାସିନ୍ଦା ଓଡ଼ିଆ ଭାଷାଭାଷୀ । ଏଠାରେ ୨୯୪ଟି ଖାଣ୍ଟି ଓଡ଼ିଆ ଗାଁ ରହିଛି । ଯେଉଁଠି ପ୍ରତି ଗାଁରେ ଓ ଘରେ ଦେଖିବାକୁ ମିଳେ ଜଗନ୍ନାଥ ସଂସ୍କୃତି ଓ ଉତ୍କଳୀୟ ପରମ୍ପରାର ଝଲକ। ଝାଡ଼ଖଣ୍ଡର 10ଟି ଜିଲ୍ଲାରେ ରହନ୍ତି ପ୍ରାୟ ୨୦ ଲକ୍ଷ ଓଡ଼ିଆ। ଓଡ଼ିଆ ପିଲାଙ୍କ ୧୭୦ରୁ ଅଧିକ ଓଡ଼ିଆ ସ୍କୁଲ ଥିବା ବେଳେ ଏବେ ଏହି ସଂଖ୍ୟା ମାତ୍ର ୪୦ରୁ ୫୦ଟି । ଦଶକ ଦଶକ ଧରି ଓଡ଼ିଆ ସ୍କୁଲରେ ପାଠ ପଢୁଛନ୍ତି ଏଠାକାର ପିଲା । କିନ୍ତୁ ଏବେ ସଂକଟରେ ଏ ସ୍କୁଲ ଗୁଡ଼ିକର ଅସ୍ଥିତ୍ବ । ଏହା ପଛରେ ରହିଛି ଝାଡ଼ଖଣ୍ଡ ସରକାରଙ୍କ ସହ ଓଡ଼ିଶାରେ 24 ବର୍ଷ ଧରି ଶାସନ କରିଆସିଥିବା ବିଜେଡି ସରକାରଙ୍କ ଅବହେଳା ଓ ଉଦାସୀନତା ଏବଂ ଉତ୍କଳ ସମ୍ମିଳନୀର ବିବାଦୀୟ ଭୂମିକା । ଓଡ଼ିଆ ସ୍କୁଲ ଗୁଡ଼ିକରେ ଶିକ୍ଷକ ନିଯୁକ୍ତି, ଶିକ୍ଷକଙ୍କୁ ଦରମା ଦେବା ଓ ପାଠ୍ୟ ପୁସ୍ତକ ଯୋଗାଇବା ଦାୟିତ୍ବ ଉତ୍କଳ ସମ୍ମିଳନୀକୁ ଦେଇଛନ୍ତି ଓଡ଼ିଶା ସରକାର ।

୨୦୧୧ ମସିହାରେ ଝାଡ଼ଖଣ୍ଡରେ ଅର୍ଜୁନ ମୁଣ୍ଡା ମୁଖ୍ୟମନ୍ତ୍ରୀ ଥିବା ବେଳେ ଓଡିଆ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷାର ମାନ୍ୟତା ଦେଇଥିଲେ, କିନ୍ତୁ ଓଡ଼ିଆ ଭାଷାକୁ ଗୁରୁତ୍ବ କେବଳ ମାନ୍ୟତାରେ ହିଁ ସୀମିତ ରହିଲା। ସ୍କୁଲ ହେଉ କି ପରୀକ୍ଷା ପରିଚାଳନା ସବୁଥିରେ ଓଡ଼ିଆ ଭାଷା ପ୍ରତି ବୈମାତୃକ ମନୋଭାବ ପୋଷଣ କରି ବୁଡ଼ାଇବା ପାଇଁ ବିଧିବଦ୍ଧ ଷଡ଼ଯନ୍ତ୍ର କରୁଛନ୍ତି ଝାଡ଼ଖଣ୍ଡ ସରକାର । ଅନ୍ୟପଟେ ପଶ୍ଚିମ ସିଂହଭୂମ କେରା ଅଞ୍ଚଳରେ ଓଡ଼ିଆମାନେ ରାଷ୍ଟ୍ରପତି , କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିଚ୍ଛିନ୍ନାଞ୍ଚଳରେ ଓଡିଆକୁ ବଞ୍ଚିଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । 

ଗୋଟିଏ ପଟେ ମୋଦି ସରକାରଙ୍କ ନୂଆ ଜାତୀୟ ଶିକ୍ଷାନୀତିରେ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଉଛି, ଅନ୍ୟପଟେ ଝାଡଖଣ୍ଡରେ ଥିବା ଓଡିଆ ବହୁଳ ଅଞ୍ଚଳରେ ଓଡିଆ ସ୍କୁଲ ଗୁଡିକୁ ବନ୍ଦ କରିଦେବାପାଇଁ ଯେଉଁ ଷଡ଼ଯନ୍ତ୍ର ସେଥିପ୍ରତି ଓଡ଼ିଶା ସରକାର ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 


 

Orody language is dying on the border | Argus News