ପଦ୍ମ ସମ୍ମାନରେ ସମ୍ମାନିତଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କା

ଅର୍ଗସ ବ୍ୟୁରୋ: ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ମିଳିବ ମାସିକ ୩୦ ହଜାର ଟଙ୍କାର ସମ୍ମାନ ସୂଚକ ସହାୟକ ରାଶି। ଏବେ ଜୀବିତ ଥିବା ରାଜ୍ୟର ୫୫ ଜଣ ପଦ୍ମ ପୁରସ୍କାର ବିଜେତାଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟର ବିଜେପି ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘୋଷଣା ଅନୁସାରେ ପଦ୍ମ ବିଜେତାଙ୍କୁ ଏ ସମ୍ମାନ ପାଇଁ ବର୍ଷକୁ ୨ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସବୁ ମହଲକୁ କରାଯାଉଛି ପ୍ରଶଂସା । ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ସମସ୍ତ ପଦ୍ମ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ।
ରାଜ୍ୟ ସରକାରଙ୍କ ନିଷ୍ପତିକୁ ସ୍ବାଗତ କରିବା ସହ ଖୁସିରେ କୃତଜ୍ଞତା ଜ୍ଞାପନ କରିଛନ୍ତି ବରଗଡ଼ ଜିଲ୍ଲାର ଦୁଇ ସୁଯୋଗ୍ୟ ସନ୍ତାନ ପଦ୍ମଶ୍ରୀ ହଳଧର ନାଗ ଓ ପଦ୍ମଶ୍ରୀ ଭାଗବତ ପଧାନ । ବୟସାଧିକ ରୋଗ କାରଣରୁ ପ୍ରତି ମାସ ତାଙ୍କୁ ତିନିରୁ ଚାରି ହଜାର ଟଙ୍କାର ଔଷଧ କିଣୁଛନ୍ତି ଭାଗବତ। କଳାକାର ଭତ୍ତା ବାବଦକୁ ମାତ୍ର ୨୦୦୦ ଟଙ୍କା ମିଳେ, ଯାହା ଔଷଧ ଖର୍ଚ୍ଚକୁ ନିଅଣ୍ଟ । ପୂର୍ବରୁ ମାତ୍ର 10 ହଜାର ଟଙ୍କା ମିଳୁଥିବାବେଳେ ସେଥିରେ ପରିବାର ଭରଣପୋଷଣରେ ହେଉଥିଲା ସମସ୍ୟା। ଏବେ ସେ ସବୁ ଦୂର ହେବ।
ଏହା ରାଜ୍ୟ ସରକାରଙ୍କ ଏହା ଏକ ସୁନ୍ଦର ପଦକ୍ଷେପ ବୋଲି କହିଛନ୍ତି ପଦ୍ମଶ୍ରୀ ଶ୍ରୀମତୀ ବେଶ୍ରା । ସ୍ବାଗତ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।
ପଦ୍ମ ବିଜେତାଙ୍କୁ ମାସିକ 30 ହଜାର ଟଙ୍କାର ସମ୍ମାନ ରାଶି ଏମିତି ନିଷ୍ପତ୍ତି ଦେଶରେ ପ୍ରଥମ। ଏହାକୁ ଐତିହାସିକ ଓ ଯୁଗାନ୍ତକାରୀ ନିଷ୍ପତ୍ତି କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ନିଜର ପ୍ରତିଭା ବଳରେ ଓଡ଼ିଶା ଓ ଦେଶ ପାଇଁ ଖ୍ୟାତି ଆଣିଥିବା ଏହି ବ୍ୟକ୍ତିବିଶେଷଙ୍କ ପ୍ରତି ଏହି ନିର୍ଣ୍ଣୟ ଏକ ଯଥୋଚିତ ସମ୍ମାନ ବୋଲି କହିଛନ୍ତି ଧର୍ମେନ୍ଦ୍ର।
ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ 2014ରୁ ସାଧାରଣ ସ୍ତରରେ ଥିବା ଅସାଧାରଣ ବ୍ୟକ୍ତିତ୍ଵ ତଥା ପ୍ରତିଭାଙ୍କୁ ସମ୍ମାନିତ କରାଯାଇଆସୁଛି । ଗରିବ କିନ୍ତୁ ପ୍ରତିଭାଶାଳୀଙ୍କୁ ଖୋଜି ଖୋଜି ମୋଦି ସମ୍ମାନ ଦେଉଛନ୍ତି। ଏମାନେ ସମ୍ମାନ ଦୃଷ୍ଟିରୁ ବଡ଼ ହୋଇଥିଲେ ବି ଆର୍ଥିକ ଦୃଷ୍ଟିରୁ ପଛରେ । ଏବେ ବିଜେପି ସରକାରଙ୍କ ଏହି ନିଷ୍ପତ୍ତି ସେମାନଙ୍କର ବଡ଼ ଆବଶ୍ୟକତା ପୂରଣ କରିବ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର