ଘରେ ଘରେ ନଳରେ ପାଣି, ଡ୍ରିଙ୍କ ଫ୍ରମ୍ ଟ୍ୟାପର ଡେଙ୍ଗୁରା ପିଟୁଥିଲା ବିଜେଡି ସରକାର

ଭୁବନେଶ୍ୱର: ଘରେ ଘରେ ନଳରେ ପାଣି, ଡ୍ରିଙ୍କ ଫ୍ରମ୍ ଟ୍ୟାପର ଡେଙ୍ଗୁରା ପିଟୁଥିଲା ବିଜେଡି ସରକାର । ଗ୍ରାଉଣ୍ଡ ଜିରୋରେ ସ୍ଥିତି ଭିନ୍ନ, ରାଜ୍ୟ ତମାମ୍ ପ୍ରକଳ୍ପ ଅଧାପନ୍ତରିଆ, ସବୁଠି ପାଣି ପାଇଁ ଲୋକେ ହନ୍ତସନ୍ତ । ବିଧାନସଭାରେ ବିଜେପି ବିଧାୟକଙ୍କ ଉଦବେଗ, ବିଭାଗୀୟ ମନ୍ତ୍ରୀ ରଖିଲେ ଉତ୍ତର । କେନ୍ଦ୍ରର ଜଳ ଯୋଗାଣ ଯୋଜନା କାର୍ଯ୍ୟକାରୀ କରିବାକୁ ଚାହୁଁନଥିଲେ ବିଜେଡି ସରକାର, ସେଥିପାଇଁ ଦୁର୍ଦ୍ଦଶା । ରାଜ୍ୟର ଅନ୍ୟତମ ପ୍ରମୁଖ ସହର ବାରିପଦା। ସହରର ୨୮ଟି ଓ୍ବାର୍ଡର ଲୋକଙ୍କ ଘରକୁ ବିଶୁଦ୍ଧ ପାଇପ୍ ପାଣି ଯୋଗାଇବା ଲକ୍ଷ୍ୟରେ 84 କୋଟି ଟଙ୍କା ଅଟକଳରେ ଆରମ୍ଭ ହୋଇଥିଲା ଜମ୍ଭୀରା ମେଗା ପାନୀୟ ଜଳ ପ୍ରକଳ୍ପ । ୨୦୧୩ ଡିସେମ୍ବର ୧୨ରେ ପ୍ରକଳ୍ପର ଭିତ୍ତି ସ୍ଥାପନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 2020 ସୁଦ୍ଧା ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା କଥା। 2024 ସରିବାକୁ ବସିଲାଣି, ଏବେ ବି କାମ ଅଧାପନ୍ତରିଆ। 10 ବର୍ଷ ହେଲା ପାଣିକୁ ଚାହିଁ ରହିଛନ୍ତି ବାରିପଦାବାସୀ।
ପିପିଲି କୁଳଶେଖରପାଟଣା ପଞ୍ଚାୟତ ବରାଗଡ଼ ମୌଜାରେ 2017 ମସିହାରୁ ଆରମ୍ଭ ହୋଇଥିଲା ବସୁଧା ଯୋଜନା କାମ । 2022ରେ ନିର୍ମାଣ ହେଲା ଓଭରହେଡ୍ ଟାଙ୍କି, ପାଇପ୍ ବିଛା ହୋଇ ନଳ ଲାଗିଲା । କିନ୍ତୁ ଏବେ 2024 ଶେଷ ଭାଗରେ ବି ଲୋକଙ୍କ ପାଖରେ ପହଞ୍ଚିନାହିଁ ପିଇବା ପାଣି । ଅନ୍ୟପଟେ ପାଇପ୍ ଫାଟି ପାଣି ରାସ୍ତାରେ ଭାସୁଛି। ବାରିପଦା ଓ ପିପିଲିର ଏ ଅବସ୍ଥା ତ ଭାତହାଣ୍ଡିରୁ କେତୋଟି । ରାଜ୍ୟରେ ପାନୀୟ ଜଳ ଯୋଗାଣର ସ୍ଥିତି ଏମିତି । ଯାହାକୁ ନେଇ ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ବିଜେପି ବିଧାୟକ। ବିଷାକ୍ତ ପାଣି ପିଇ ଲୋକେ କ୍ୟାନ୍ସର ଏବଂ ଚର୍ମ ରୋଗରେ ପଡୁଛନ୍ତି । ପୁଣି ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଉ ନ ଥିବାରୁ ରାଜଧାନୀକୁ ଲାଗିକରି ଥିବା ଅଞ୍ଚଳରେ ଲୋକେ ପାଣି କିଣି ପିଇବାକୁ ବାଧ୍ୟ ହେଉଛନ୍ତି। ପାନୀୟ ଜଳ ସମସ୍ୟା ନେଇ ବିଧାୟକଙ୍କ ଉଦବେଗ ପରେ ବିଧାନସଭାରେ ଉତ୍ତର ରଖିଲେ ପଞ୍ଚାୟତିରାଜ ମନ୍ତ୍ରୀ। ପ୍ରକୃତରେ ମୋଦି ସରକାରଙ୍କ ଜଳ ଯୋଗାଣ ଯୋଜନା କାର୍ଯ୍ୟକାରୀ କରିବାକୁ ଚାହୁଁନଥିଲେ ବିଜେଡି ସରକାର। ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଉତ୍ତର ଖୋଲିଦେଇଛି ବିଜେଡି ସରକାରର ଅସଲ ମୁଖା। ପାନୀୟ ଜଳ ଯୋଗାଣ ନାଁରେ ମିଛ ପ୍ରଚାର କରୁଥିଲେ ନବୀନ ସରକାର । ସେଥିପାଇଁ ରାଜ୍ୟବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି । ତେବେ ରାଜ୍ୟବାସୀଙ୍କୁ ପ୍ରଦୂଷଣ ମୁକ୍ତ ଜଳ ସଂରକ୍ଷଣକୁ ସରକାର ଗୁରୁତ୍ଵ ଦେବାକୁ ପରାମର୍ଶ ଦେଇଛନ୍ତି ବାଚସ୍ପତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
