ପିଇବା ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ଲୋକ

ଅର୍ଗସ ବ୍ୟୁରୋ: ପିଇବା ପାଣି ପାଇଁ "ଉଦଳା - ବାରିପଦା" ୧୮ନଂ ରାଜ୍ୟ ରାଜପଥର "ପୋଡାଆସ୍ତିଆ" ଛକ ଠାରେ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ଵାରା ରାସ୍ତାରୋକ କରାଯାଇଛି। ଅଭିଯୋଗ ମୁତାବକ ପଡା ଆସ୍ତିଆ ଗ୍ରାମର 9,10,14,15 ଓ 18 ନମ୍ବର ଓ୍ବାର୍ଡ ଅଞ୍ଚଳରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ବ ଗରିବ ଲୋକ ବସବାସ କରନ୍ତି। ସରକାରଙ୍କ ବସୁଧା ଯୋଜନାରେ ପାଇପ୍ ସଂଯୋଗ ହୋଇଥିଲେ ସୁଦ୍ଧା ବୈଷୟିକ ତ୍ରୂଟି ପାଇଁ ପାଣି ଘରକୁ ପହଞ୍ଚୁ ନ ଥିଲା ।
ପିଇବା ପାଣି ପାଇଁ କେବଳ ଗୋଟିଏ ନଳକୂପ ଥିବା ବେଳେ କିଛି ଦିନ ତଳେ ତାହା ମଧ୍ୟ ଖରାପ ହୋଇଯାଇଥିଲା। ଏନେଇ ସରପଞ୍ଚଙ୍କ ଠାରୁ ବ୍ଲକ ବିଡିଓଙ୍କୁ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ତେବେ ବାଧ୍ୟ ହୋଇ ଆଜି ସକାଳୁ ହାତରେ ଗରା ବାଲଟି ଧରି ରାଜରାସ୍ତା ଅବରୋଧ କରି ବସିଛନ୍ତି। ପାଣି ସମସ୍ୟା ତୁରନ୍ତ ସମାଧାନ କରା ନ ଗଲେ ରାସ୍ତାରୋକ ଜାରି ରହିବ ବୋଲି ସ୍ଥାନୀୟ ବାସୀନ୍ଦା ମାନେ ଅଭିଯୋଗ କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ କୌଣସି ସରକାରୀ ଅଧିକାରୀ ପହଞ୍ଚି ନ ଥିବା ବେଳେ ବାରିପଦା ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅବରୋଧ କାରୀଙ୍କ ସହ ଆଲୋଚନା ଜାରି ରଖିଛି। ରାସ୍ତା ଅବରୋଧ ଯୋଗୁଁ ବାରିପଦା-ଉଦଳା ଗମନାଗମନ ସମ୍ପୂର୍ଣ୍ଣ ଠପ ହୋଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର