ପୋଲିସ ବ୍ୟବସ୍ଥା ଉପରୁ ତୁଟୁଛି ଲୋକଙ୍କ ଭରସା

ଅର୍ଗସ ବ୍ୟୁରୋ: ପୁଣି ଅଶାନ୍ତ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ। ପୋଲସରା ଗରେଈଝୁଳି ଗାଁରେ ବଣଭୋଜିବେଳେ ମାରପିଟ୍ ଓ ଗୁଳିମାଡ଼। ଦୁଇ ଗୋଷ୍ଠୀ ମଧ୍ୟରେ ବଚସାରୁ ବିଜେଡି ସମିତିସଭ୍ୟଙ୍କୁ ଗୁଳି। ଗୁରୁତର ବ୍ୟକ୍ତି କେନ୍ଦୁବାଡି ପଞ୍ଚାୟତର ସମିତିସଭ୍ୟ ନରେନ୍ଦ୍ର ସ୍ବାଇଁ । ବିଳମ୍ବିତ ରାତିରେ ଗରେଇଝୁଳି ଗାଁରେ ବଣଭୋଜିବେଳେ କୌଣସି କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ତଗଳ ହୋଇଥିଲା । ସମାଧାନ ଲାଗି ଯାଇଥିବାବେଳେ କେନ୍ଦୁବାଡି ପଞ୍ଚାୟତର ସମିତିସଭ୍ୟ ଏବଂ ତାଙ୍କ ଭାଇଙ୍କୁ ଆକ୍ରମଣ ସହ ଗୁଳିମାଡ଼ ହୋଇଥିଲା । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ବୁଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ସମିତିସଭ୍ୟ ନରେନ୍ଦ୍ର ସ୍ବାଇଁଙ୍କୁ ଏମେକେସିଜି ସ୍ଥାନାନ୍ତର କରାଯାଇଛି । ଗଞ୍ଜାମ ଜିଲ୍ଲାରେ କଥା କଥାକେ ହାଣକାଟ ସହ ଗଡୁଛି ମୁଣ୍ଡ । ଗତ ୨୦୨୩ରେ ୯୩ ମୁଣ୍ଡ ଗଡିଥିବା ବେଳେ କେବଳ ଡିସେମ୍ବର ମାସରେ ହିଁ ୫ଟି ହତ୍ୟା ହୋଇଛି । ଗଞ୍ଜାମ ପୋଲିସ ଜିଲ୍ଲା ଅଧିନରେ 27ଟି ଥାନା ଓ ବ୍ରହ୍ମପୁର ପୋଲିସ ଜିଲ୍ଲାରେ 16ଟି ଥାନା ଥିଲେ ଅପରାଧରେ ଲାଗିପାରୁନି ଅଙ୍କୁଶ ।
ସୁନ୍ଦରଗଡ- ବଡ଼ଗାଁ ଥାନା ଅଂଚଳରେ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ମାଲକାନଗିରି ଆଦର୍ଶ ଥାନା ଅଂଚଳର ତଣ୍ଡାପାଲ୍ଲୀ ଗାଁରେ ଗୁଣାଗାରେଡି ସନ୍ଦେହରେ ଜଣେ ବ୍ୟକ୍ତିଙ୍କ ଗଳାକାଟି ହତ୍ୟା। ମା ଓ ସ୍ତ୍ରୀ ମାତ୍ର କିଛି ଦିନର ବ୍ୟବଧାନରେ ମରିଯିବାରୁ ଗାଁର ଲକ୍ଷ୍ମାଙ୍କ ବେକକୁ ବ୍ଲେଡରେ କାଟି ନଦୀରେ ଫିଙ୍ଗି ଦେଇଥିଲା ମୁରା ପଡିଆମୀ ଓ ତାର ଭାଇ। ନୂଆପଡ଼ା ଖଡିଆଳ ଡୁଆଝରରେ ଏସିଡ ମାଡରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଦୋକାନ କରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ସଂଘର୍ଷ।
ରାଜ୍ୟରେ ଅପରାଧ ଲହଡି ଭାଙ୍ଗୁଥିବା ବେଳେ ଦଣ୍ଡବିଧାନ ହାରରେ ବହୁ ପଛରେ ଓଡ଼ିଶା। ଏନସିଆରବି ରିପୋର୍ଟ ଅନୁସାରେ ୧୦୦ ଅପରାଧୀଙ୍କ ମଧ୍ୟରୁ ଦଣ୍ଡ ପାଉଛନ୍ତି ମାତ୍ର ୧୨ ଜଣ। ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ ଖୁସ, ମାତ୍ର କୋର୍ଟ ରେ ନିର୍ଦୋଷରେ ଖସି ଯାଉଛି ଅଭିଯୁକ୍ତ। ବର୍ଷ ବର୍ଷ ଧରି କୋର୍ଟ ରେ ବିଚାର ନ ହୋଇ ପଡି ରହିଛି ଲକ୍ଷ ଲକ୍ଷ ମାମଲା। ଫଳରେ ପୋଲିସ ଉପରୁ ଲୋକଙ୍କ ଭରସା ତୁଟୁଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: