ସତ୍ତା ହରେଇବାକୁ ବସିଛି ଫୁଲଝରି ଡ୍ୟାମ

ଅର୍ଗସ ବ୍ୟୁରୋ: ସତ୍ତା ହରେଇବାକୁ ବସିଛି ଫୁଲଝରି ଡ୍ୟାମ। କାହିଁ କେଉଁଦିନର ଏହି ଡ୍ୟାମ ଏବେ ପଙ୍କ ତଳେ ବିଲୁପ୍ତ ହେବାକୁ ଯାଉଛି। ସେଥିପାଇଁ ଚାଷୀକୂଳ ଚିନ୍ତିତ ଅବସ୍ଥାରେ। ଅବିଭକ୍ତ କୋରାପୁଟ ଜିଲ୍ଲା ତଥା ନବଗଠିତ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ୍ ଏକ ଅନନ୍ୟ ବ୍ଲକ୍ । ୧୯୬୩ ମସିହାରେ ଗଠିତ ଏହି ବ୍ଲକରେ ୧୯୬୪ମସିହା ଠାରୁ ମରୁଡ଼ି ଲାଗି ରହିଥିବାରୁ ମରୁଡ଼ିର କରାଳ ଗ୍ରାସରେ ଏଠାରେ ଚାଷୀକୂଳଙ୍କ ଆର୍ଥିକ ଓ ମାନସିକ ଭାର ଏକ ପ୍ରକାର ଦୋହଲି ଯାଇଥିଲା। ଏହି ବ୍ଲକର ମୋଟ ଜନସଂଖ୍ୟାର ୮୦ଭାଗ କୃଷି ଉପରେ ନିର୍ଭର କରୁଥିବା ବେଳେ ଚାଷୀ ମାନଙ୍କ ବୃହତ୍ତ ସ୍ବାର୍ଥ ଦୃଷ୍ଟିରୁ କୌଣସି ପ୍ରକାର ସୁବିଧା ନାହିଁ। ସମ୍ପ୍ରତି ରାଜ୍ୟର ଅନ୍ୟସବୁ ଅଞ୍ଚଳର ଚାଷୀମାନଙ୍କ ସୁବିଧା ନିମନ୍ତେ ସ୍ଥାନେ ସ୍ଥାନେ ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଥିଲେ ହେଁ ଏହି ବ୍ଲକ୍ ଆଜି ମଧ୍ୟ ଏକ ଅଣଜଳସେଚିତ ବ୍ଲକ୍ ଭାବେ ରହି ଆସିଛି।
ଦଶନ୍ଧି ଦଶନ୍ଧି ଧରି ଏହି ପ୍ରକଳ୍ପର ରକ୍ଷଣା ବେକ୍ଷଣ ଅଭାବ ସାଙ୍ଗକୁ ପାତରଅନ୍ତର ନୀତି ଯୋଗୁଁ ଏହି ପ୍ରକଳ୍ପ ଏବେ ହଜିଯିବାକୁ ବସିଛି। ଯାହା ସମ୍ପୂର୍ଣ୍ଣ ଭାବରେ ଯଦି ଅବଲୋକନ କରାଯାଏ ତେବେ ଏହା ଗୋଟେ ଅମରି ବଣର ଭ୍ରମ ସୃଷ୍ଟି କରୁଛି ଏହାର ମୁଖ୍ୟ ଗେଟ ସମ୍ପୂର୍ଣ୍ଣ ଭାବରେ ପଙ୍କରେ ପୋତି ହୋଇ ଯାଇଥିବା ବେଳେ ଏହାର ସଟର ସବୁ ଦୁର୍ବୃତ୍ତ ମାନେ ଭାଙ୍ଗି କି ନେଇଯାଇଛନ୍ତି। ଏବଂ ଯେଉଁ ଆଉଟ୍ ଲେଟ୍ ବ୍ୟବସ୍ଥା ରହିଛି ତାହା ସବୁ ଅଚଳ ହୋଇପଡିଛି। ସାଇଫୋନ୍ ସବୁ ଭାଙ୍ଗି ଯାଇଛି। କେନାଲ ହୁଡା ସବୁ ଦବି ଗଲାଣି। ଚାଷୀମାନେ ପାଣି ନ ପାଇ ମଧ୍ୟ ରାଜସ୍ବ ବାବଦକୁ ଜଳକର ଖଜଣା ପୈଠ କରୁଥିବା ଅଭିଯୋଗ କରିଛନ୍ତି। ଚନ୍ଦାହାଣ୍ଡି ବ୍ଲକ ତଥା ଝରିଗାଁ ନିର୍ବାଚନ ମଣ୍ଡଳୀରେ 25ବର୍ଷ ଧରି ଗୋଟିଏ ପରିବାରର ରାଜୁତିରେ ଶାସନ ଚାଲିଥିବା ବେଳେ ଅନ୍ୟ ପ୍ରକଳ୍ପର ପରିକଳ୍ପନା ଦୂରର କଥା ରହିଥିବା ଫୁଲଝରି ପ୍ରକଳ୍ପର ମଧ୍ୟ ପୁନରୁଦ୍ଧାର ହୋଇପାରୁନାହିଁ। ଯାହା ଦ୍ଵାରା ଚାଷୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫୁଲଝରି ଜଳସେଚନ ପ୍ରକଳ୍ପ ବ୍ୟତୀତ ଚନ୍ଦାହାଣ୍ଡି ବ୍ଲକରେ ଅନ୍ୟ କୌଣସି ଜଳସେଚନ ପ୍ରକଳ୍ପ ନ ଥିବା ବେଳେ ଗୋଷ୍ଠୀଛାୟା ଅଞ୍ଚଳ ପରିଚିତ ଚନ୍ଦାହାଣ୍ଡି ବ୍ଲକବାସୀ ସଦା ସର୍ବଦା ମରୁଡ଼ିର ଶିକାର ହୋଇ ଆସୁଛନ୍ତି। ଯାହାର କୌଣସି ପ୍ରତିକାର ନାହିଁ ।
ତେବେ ଚାଷୀ ମାନେ ଫୁଲଝରି ପ୍ରକଳ୍ପର ପୁନରୁଦ୍ଧାର ଓ ମରାମତି ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକ, ସାଂସଦଙ୍କୁ ଦାବି କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏଥି ପ୍ରତି କୌଣସି ଧ୍ୟାନ ଦେଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସରକାରଙ୍କ ପାଖରେ ଯଦି ପଇସା ନାହିଁ ତାହେଲେ ଚାଷୀମାନେ ଜଳକର ବାବଦକୁ ଯେଉଁ ଟଙ୍କା ଆଦାୟ କରୁଛନ୍ତି ସେହି ଟଙ୍କାରେ ଡ୍ୟାମର ମରାମତି କରିବା ପାଇଁ ଗୁହାରି କରିଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର