Videos
|
Odisha

Odisha School Power Cut / ବିଦ୍ୟୁତ ବିତରକ କମ୍ପାନୀର ମନମାନି, ବିନା ସୂଚନାରେ ଶତାଧିକ ସ୍କୁଲରୁ କାଟିଲା ବିଦ୍ୟୁତ ସଂଯୋଗ

Santosh Kumar Sahoo
Browse all articles by Santosh Kumar Sahoo
·59 mins ago·2 min read
ବିଦ୍ୟୁତ ବିତରକ କମ୍ପାନୀର ମନମାନି, ବିନା ସୂଚନାରେ ଶତାଧିକ ସ୍କୁଲରୁ କାଟିଲା ବିଦ୍ୟୁତ ସଂଯୋଗ
Odisha School Power Cut

Key Points

ବିଦ୍ୟୁତ୍ ବିଲ୍ ବକେୟା ନାଁରେ କମ୍ପାନୀର ମନମାନୀ
ସ୍ମାର୍ଟ ମିଟର ସାଜିଲା କାଳ
ଅନ୍ଧାରରେ ଶତାଧିକ ସ୍କୁଲ

ଦେହରେ ସ୍କୁଲ ପୋଷାକ ଆଉ ହାତରେ ବହି । ହେଲେ ପଢ଼ିବେ କ'ଣ ଗରମ ଗୁଳୁଗୁଳିରେ ଆକ୍ତାମାକ୍ତା ହେବା ପରେ ବହି ବନିଛି ହାତ ପଙ୍ଖା । ଖୋଲା ଆକାଶ ତଳେ ଗଛ ମୂଳ ହିଁ ସାଜିଛି କ୍ଲାସରୁମ୍ । କେଉଁଠି ଛାଇ ଜାଗା ତ କେଉଁଠି ସ୍କୁଲ ବାରଣ୍ଡା । ସରକାରୀ ସ୍କୁଲରେ ଏମିତି କ'ଣ ହେଲା ଯେ କ୍ଲାସରୁମ୍ ଛାଡ଼ି ବାହାରେ ପଢୁଛନ୍ତି ପିଲା ।
ବକେୟା ବିଦ୍ୟୁତ ବିଲ୍ ପୈଠ ନହେବାରୁ ରାଜ୍ୟର ଶତାଧିକ ସ୍କୁଲକୁ ବିଦ୍ୟୁତ ସଂଯୋଗ ବନ୍ଦ କରିଛି କମ୍ପାନୀ । ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ବିତରକ କମ୍ପାନୀ ବିଦ୍ୟୁତ ସଂଯୋଗ କାଟିବା ପରେ କ୍ଲାସ୍‌ ରୁମ୍‌ ଅନ୍ଧାର ସାଙ୍ଗକୁ ଅସହ୍ୟ ଗରମ ଗୁଳୁଗୁଳି ଯୋଗୁଁ ଗଛମୂଳେ ପାଠ ପଢିଛନ୍ତି ଛାତ୍ରଛାତ୍ରୀ । ବ୍ଲକର ପାଖାପାଖି ୧୨ଟି ବିଦ୍ୟାଳୟରୁ ବିଦ୍ୟୁତ ସଂଯୋଗ କଟାଯାଇଥିବା ଅଭିଯୋଗ ହୋଇଛି । ବିଦ୍ୟୁତ କଟିବା ପରେ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେବା ସାଙ୍ଗକୁ ପରିମଳ ବ୍ୟବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହୋଇଛି ।

ସେହିପରି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବାଇଲୋ ଉଚ୍ଚ ବିଦ୍ୟାଳୟ । ସ୍କୁଲକୁ ବିଦ୍ୟୁତ ସଂଯୋଗ କଟିବା ପରେ ବାରଣ୍ଡାରେ ଚାଲିଛି ପାଠପଢ଼ା । ହାତରେ ବହି ଧରି ଗରମ ଗୁଳୁଗୁଳିରୁ ବର୍ତ୍ତିବାକୁ ଉଦ୍ୟମ କରୁଛନ୍ତି ଛାତ୍ରଛାତ୍ରୀ । ଗଞ୍ଜାମ ଜିଲ୍ଲା ଚିକିଟିରୁ ମଧ୍ୟ ସାମ୍ନାକୁ ଆସିଛି ସମାନ ଚିତ୍ର । ସେପଟେ ଉମରକୋଟରୁ ମଧ୍ୟ ସାମ୍ନାକୁ ଆସିଛି ସଂଗୀନ ଅଭିଯୋଗ । ରାଇଘରର ଖୁଡୁକୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ୩୦ ଘଣ୍ଟା ଧରି ବିଦ୍ୟୁତ ନଆସିବାରୁ ହନ୍ତସନ୍ତ ହୋଇଛନ୍ତି ଶହ ଶହ ଛାତ୍ରଛାତ୍ରୀ । ହଷ୍ଟେଲରେ ପିଇବା ପାଣି ଟୋପେ ପାଇଁ ଡହଳ ବିକଳ ହୋଇଛନ୍ତି କୁନି କୁନି ପିଲା । ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ପରେ ନାନା ସମସ୍ୟା ଭୋଗିଛନ୍ତି ଛାତ୍ରୀ । ସେପଟେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ ବିଦ୍ୟୁତ ବିଲ୍ ଆଗୁଆ ପୈଠ କରାଯାଇଥିଲେ ବି କଟିଛି ସଂଯୋଗ ।

ବିଦ୍ୟାଳୟ ଗୁଡ଼ିକରେ ସ୍ମାର୍ଟ ମିଟର ସଂଯୋଗ କରିଛି ବିଦ୍ୟୁତ ବିତରକ କର୍ମାନୀ । ବିଲ୍ ପୈଠ ନହେବାରୁ ପୂର୍ବରୁ କୌଣସି ସୂଚନା କି ନୋଟିସ ନଦେଇ ସିଧା ବିଦ୍ୟୁତ ସଂଯୋଗ କାଟି ଦେଇଛି । ଯାହାକୁ ନେଇ ପ୍ରକାଶ ପାଇଛି ଗଭୀର ଅସନ୍ତୋଷ । ବିଦ୍ୟୁତ କମ୍ପାନୀର ଇଞ୍ଜିନିୟରଙ୍କ କହିବା କଥା ଅନେକ ବିଦ୍ୟାଳୟ ଦୀର୍ଘ ମାସ ଧରି ବିଦ୍ୟୁତ ବିଲ୍ ପୈଠ କରି ନାହାନ୍ତି । ଯେଉଁଥିଲାଗି ଏଭଳି ନିଷ୍ପତ୍ତି ନେଇଛି କମ୍ପାନୀ । ସେପଟେ ସ୍କୁଲ କର୍ତ୍ତୃପକ୍ଷଙ୍କ କହିବା କଥା ଏନେଇ ବିଭାଗକୁ ସୂଚିତ କରାଯାଇଥିଲେ ବି ଅନୁଦାନ ଆସିବାରେ ବିଳମ୍ବ ହେବାରୁ ବିଲ୍ ପୈଠ କରାଯାଇପାରି ନାହିଁ । ସ୍କୁଲଗୁଡ଼ିକୁ ବିଦ୍ୟୁତ ସଂଯୋଗ ପୁନଃସ୍ଥାପିତ କରାଯିବା ନେଇ ଆଶ୍ବାସନା ଦେଇଛନ୍ତି ଆନନ୍ଦପୁର ଉପଜିଲ୍ଲାପାଳ ।

ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ବକେୟା ବିଲ୍ ପୈଠ ପାଇଁ ବିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସ୍କୁଲ ଗୁଡ଼ିକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ଆଗକୁ ପରୀକ୍ଷା ଋତୁ ଆସୁଥିବା ବେଳେ ଏବେ ବିଦ୍ୟାଳୟ ଗୁଡ଼ିକରେ ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ପାଠପଢ଼ା । ଏଭଳି ସମୟରେ ବିଦ୍ୟୁତ ଯୋଗାଣ ପ୍ରଭାବିତ ହେବା ଦ୍ବାରା ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ତେବେ ଆଗାମୀ ଦିନରେ ଏ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁଛି କି ନାହିଁ ଏବେ ତା ଉପରେ ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: