Videos
|
Odisha

ବାବା ଆଖଣ୍ଡଳମଣିଙ୍କ ବିବାହ ପାଇଁ ପ୍ରସ୍ତୁତି: ଅଜ୍ଞାମାଳ ଆଣିବା ପରେ ଉଠିଲା ଲଗ୍ନଥାଳ

Ritu Das
Browse all articles by Ritu Das
·2 years ago·2 min read
ବାବା ଆଖଣ୍ଡଳମଣିଙ୍କ ବିବାହ ପାଇଁ ପ୍ରସ୍ତୁତି: ଅଜ୍ଞାମାଳ ଆଣିବା ପରେ ଉଠିଲା ଲଗ୍ନଥାଳ

ଅର୍ଗସ ବ୍ୟୁରୋ: ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ଉଠିଲା  ଲଗ୍ନଥାଳ। ଜୁନ 11 ରେ ବିବାହ ବନ୍ଧନରେ ବାନ୍ଧିହେବେ ଦେବ ଦମ୍ପତି। ଆରଡି ପୀଠର ଅଧିଶ୍ବର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରସିଦ୍ଧ  ଶିବ ବିବାହ ପାଇଁ ଗୁରୁବାର ପବିତ୍ର ଚନ୍ଦନ ପୂର୍ଣ୍ଣିମା ଅବସରରେ  ବୈଦିକ ରୀତିନୀତି ଅନୁଯାୟୀ କନ୍ୟାପିତା ଗଦାଧର ପାଢୀ ବରପିତା କେଦାରନାଥ ପାଢୀଙ୍କୁ ଲଗ୍ନଥାଳ ପ୍ରଦାନ କରିଥିଲେ। ଏଥିପାଇଁ ଉତ୍ସବ ମୁଖର ହୋଇ ଉଠିଥିଲା ସମଗ୍ର ପୀଠ। 

ଭୋର 4 ଟାରେ ମନ୍ଦିର ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି ସରିବା ପରେ ଚନ୍ଦନନୀତି ଅନୁଷ୍ଠିତ ହୋଇଥିଲା। ଅପରାହ୍ନ 4 ଟା ସୁଦ୍ଧା ସମସ୍ତ ସକାଳ ନୀତି ସରିବା ପରେ ମଣୀବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯିବା ପରେ ଆଜ୍ଞାମାଳ ଅଣାଯାଇ ପ୍ରସିଦ୍ଧ ଶିବ ବିବାହ ପାଇଁ ଲଗ୍ନଥାଳ ଉଠିଥିଲା। ଯୋଡି ମହୁରୀ ସହ ଘଣ୍ଟ କିର୍ତ୍ତନ, ଆଲଟଚାମର ଦ୍ବାରା ଲଗ୍ନଥାଳ ବରପିତା କେଦାରନାଥ ପାଢୀଙ୍କ ଘରୁ କନ୍ୟାପିତା ଗଦାଧର ପାଢୀଙ୍କ ଘର ଅଭିମୁଖେ ବାହାରିଥିଲା। 

ସହସ୍ରାଧିକ ଭକ୍ତ ସେବାୟତଙ୍କ ଦ୍ବାରା ବାଜା ରୋଷଣୀ ସହ ଲଗ୍ନଥାଳ ନଗରୀ ପରିକ୍ରମା କରିବା ପରେ କନ୍ୟାପିତାଙ୍କ ଘରେ ପହଞ୍ଚିଥିଲା। ସେଠାରେ ଜ୍ୟୋତିଷ ଓ ବ୍ରାହ୍ମଣଙ୍କ ଦ୍ବାରା ଲଗ୍ନ ଚିତାଉ ତାଳପତ୍ର ଲେଖନୀ ଦ୍ବାରା ଦେବ ଦମ୍ପତିଙ୍କ ବିବାହ ପାଇଁ ଦିନାଙ୍କ ଧାର୍ଯ୍ୟ କରାଯିବା ସହ ପାଣିଗ୍ରହଣ ନୀତିର ସମୟ ନିର୍ଦ୍ଧାରଣ କରାଯାଇଥିଲା। ଏହି ଲେଖା ସର୍ବସମତିକ୍ରମେ ଉପସ୍ଥିତ ଥିବା ସମସ୍ତ ଭକ୍ତ ଓ ସେବାୟତଙ୍କ ଗହଣରେ ପାଠ କରାଯିବା ପରେ ପୁର୍ନବାର ବରପିତାଙ୍କ ଘର ଅଭିମୁଖେ ବାହାରିଥିଲା ଲଗ୍ନ ଚିଟାଉଥାଳ। 

ବରପିତାଙ୍କ ଘରେ ସ୍ବାଗତ କରାଯାଇ ଲଗ୍ନ ଚିଟାଉ ପାଠ ସହ ଗୁଆ ମଙ୍ଗୁଳା ନୀତି କରାଯାଇଥିଲା। ଏହି ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣପତ୍ର ପୀଠ ସମେତ ପଡୋଶୀ ଜିଲ୍ଲାର ସମସ୍ତ ଦେବାଦେବୀଙ୍କୁ ବଣ୍ଟନ କରାଯିବ। ଏଥିପାଇଁ ମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର 
 

Preparations for Baba | Argus News