Videos
|
Odisha

President Odisha Visit / ଭୁବନେଶ୍ବରରୁ ବ୍ରହ୍ମପୁର ରାଷ୍ଟ୍ରପତିଙ୍କ ରେଳଯାତ୍ରା, ତପ୍ତପାଣିରେ ମା' କନ୍ଧୁଣୀ ଦେବୀଙ୍କୁ କଲେ ପୂଜାର୍ଚ୍ଚନା

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଭୁବନେଶ୍ବରରୁ ବ୍ରହ୍ମପୁର ରାଷ୍ଟ୍ରପତିଙ୍କ ରେଳଯାତ୍ରା, ତପ୍ତପାଣିରେ ମା' କନ୍ଧୁଣୀ ଦେବୀଙ୍କୁ କଲେ ପୂଜାର୍ଚ୍ଚନା
President of India

Key Points

ଭୁବନେଶ୍ବରରୁ ବ୍ରହ୍ମପୁର ରାଷ୍ଟ୍ରପତିଙ୍କ ରେଳଯାତ୍ରା
ସ୍ବତନ୍ତ୍ର 'ସେଲୋନ୍ ଟ୍ରେନ'ରେ ଗଲେ ଦ୍ରୌପଦୀ ମୁର୍ମୁ
ତପ୍ତପାଣିରେ ମା' କନ୍ଧୁଣୀ ଦେବୀଙ୍କୁ କଲେ ପୂଜାର୍ଚ୍ଚନା
ଭୁବନେଶ୍ବରରୁ ବ୍ରହ୍ମପୁରକୁ ସ୍ବତନ୍ତ୍ର 'ସେଲୋନ୍ ଟ୍ରେନ'ରେ ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତପ୍ତପାଣିରେ ଆଦିବାସୀ ସମ୍ପ୍ରଦାୟର ଆରାଧ୍ୟ ମା' କନ୍ଧୁଣୀ ଦେବୀଙ୍କୁ ପୂଜାର୍ଚ୍ଚନା କଲେ । ମନ୍ଦିର ପରିସରରେ ବାବା ନୀଳକଣ୍ଠେଶ୍ବରଙ୍କୁ ଦର୍ଶନ କଲେ । ପ୍ରୋଟୋକଲ୍ ଭାଙ୍ଗି ପିଲାଙ୍କୁ ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି ।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅନ୍ତର୍ଗତ ଟି. ଗୋବିନ୍ଦପୁର ଗ୍ରାମପଞ୍ଚାୟରେ ତପ୍ତପାଣି ଉଷ୍ମପ୍ରସବଣ । ଏହି ପରିସରରେ କେଉଁ ଆବାହମାନ କାଳରୁ ପୂଜା ପାଇ ଆସୁଛନ୍ତି ମା' କନ୍ଧୁଣୀ ଦେବୀ । ଆଦିବାସୀ ସମ୍ପ୍ରଦାୟର ଆରାଧ୍ୟ ମା' କନ୍ଧୁଣୀ ଦେବୀଙ୍କ ପୀଠରେ ଦେଶର ପ୍ରଥମ ନାଗରିକ ପହଞ୍ଚିବା ପରେ ପାରମ୍ପରିକ ନାଚ ଗୀତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଉଛ୍ବସିତ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ସ୍ଥାନୀୟ କଳାକାର । ଏହି ସମୟରେ ବି ରାଷ୍ଟ୍ରପତିଙ୍କ ସହ ଉପସ୍ଥିତ ଥିଲେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ ଆସି ବ୍ରହ୍ମପୁରରେ ଓହ୍ଲାଇବା ପରେ ସଡ଼କ ପଥରେ ଦୀର୍ଘ ରାସ୍ତା ଅତିକ୍ରମ କରି ଏହି ପର୍ଯ୍ୟଟନ କ୍ଷେତ୍ରରେ ପହଞ୍ଚିଥିଲେ ରାଷ୍ଟ୍ରପତି ।

ଆଉ ସେଠାରେ ଆଦିବାସୀଙ୍କ ଆରାଧ୍ୟ ମା' କନ୍ଧୁଣୀ ଦେବୀଙ୍କୁ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି । କ୍ଷୀର ଓ ଜଳ ଅଭିଷେକ ସହ ନଡ଼ିଆ, କଦଳି ଆଦି ସମର୍ପଣ କରିଥିଲେ । ରାଷ୍ଟ୍ରପତିଙ୍କୁ ସ୍ବପ୍ନାଦେଶ ହେବା ପରେ ସେ ଏଠାକୁ ଆସିଛନ୍ତି ବୋଲି ମନ୍ଦିରର ପୂଜକ କହିଛନ୍ତି ।

ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଲୋକଭବନରୁ ଆସି ଭୁବନେଶ୍ବର ରେଳ ଷ୍ଟେସନରେ ସକାଳ ପ୍ରାୟ ୯ଟାରେ ପହଞ୍ଚିଥିଲେ ରାଷ୍ଟ୍ରପତି । ଏହା ପୂର୍ବରୁ ଷ୍ଟେସନରେ ପ୍ରସ୍ତୁତ ହୋଇ ରହିଥିଲା ସ୍ପେଶାଲ ସେଲୋନ ଟ୍ରେନ୍ । ଏହି ଟ୍ରେନରେ ପ୍ରାୟ ୨ ଘଣ୍ଟାର ଯାତ୍ରା କରି ରାଷ୍ଟ୍ରପତି ବ୍ରହ୍ମପୁର ଯାଏଁ ଯିବା ସ୍ଥିରିକୃତ ହୋଇଥିଲା ।

ପ୍ରଥମଥର ପାଇଁ ଦିଲ୍ଲୀରୁ ଆସିଥିବା ସ୍ବତନ୍ତ୍ର ସେଲୋନ୍ ଟ୍ରେନ୍ ଯୋଗେ ଭୁବନେଶ୍ବରୁ ଆସି ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶର ପ୍ରଥମ ନାଗରିକଙ୍କ ସ୍ବାଗତ ପାଇଁ ସମସ୍ତ ପ୍ରସ୍ତୁତି କରିଥିଲା ଜିଲ୍ଲା ପ୍ରଶାସନ । ବ୍ଲୁ-ବୁକ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ।

ବ୍ରହ୍ମପୁର ରେଳ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ରାଷ୍ଟ୍ରପତି ପହଞ୍ଚିବା ପରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ଏକାଧିକ ମନ୍ତ୍ରୀ, ସ୍ଥାନୀୟ ସାଂସଦ, ବିଧାୟକ ଓ ପ୍ରଶାସକମାନେ ସେଠାରେ ଉପସ୍ଥିତ ଥିଲେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ସହ ସୁନ୍ଦର ସାଜସଜ୍ଜା ଏବଂ ପରିଷ୍କାର-ପରିଚ୍ଛନ୍ନତାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଗଞ୍ଜାମର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ପରମ୍ପରାର ଝଲକ ସ୍ୱରୂପ ବ୍ୟାଘ୍ର ନୃତ୍ୟ, ସଂକୀର୍ତ୍ତନ, ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା । ବ୍ରହ୍ମପୁର ରେଳଷ୍ଟେସନରେ ସ୍ୱଳ୍ପ ସମୟ ଅବସ୍ଥାନ ପରେ ତପ୍ତପାଣି ଅଭିମୁଖେ ଯାତ୍ରା କରିଥିଲେ ରାଷ୍ଟ୍ରପତି ।

ବ୍ରହ୍ମପୁର ସହରର ମିନାକ୍ଷୀ ନଗରଠାରେ ରାଷ୍ଟ୍ରପତି କୁନିକୁନି ଛୁଆଙ୍କୁ ଦେଖି କାରକେଡ୍ ଅଟକାଇଥିଲେ । ଗାଡିରୁ ଓହ୍ଲାଇ ପିଲାମାନଙ୍କୁ ଚକୋଲେଟ ବାଣ୍ଟିଥିଲେ । ସେହିପରି ତପ୍ତପାଣିରେ ମଧ୍ୟ କୁନି କଳାକାରମାନଙ୍କୁ ଦେଖି ତାଙ୍କ ଆଡ଼କୁ ଚାଲିଆସିଥିଲେ । ଫୁଲତୋଡ଼ା ଗ୍ରହଣ କରିବା ପରେ ତାଙ୍କୁ ଦେଖିବା ପାଇଁ ପିଲାମାନଙ୍କ ଉତ୍ସୁକତାକୁ ଦେଖି, ପ୍ରୋଟୋକଲ ଭାଙ୍ଗି ନିଜେ ଚକୋଲେଟ୍ ବାଣ୍ଟିଥିଲେ ରାଷ୍ଟ୍ରପତି । ତପ୍ତପାଣିରୁ ଫେରିବା ପରେ ଆଜି ଗୋଳାବନ୍ଧରେ ଥିବା ଆର୍ମି ଏଡି କଲେଜରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି । ଆସନ୍ତାକାଲି ଟ୍ରେନ୍ ଯୋଗେ ଭୁବନେଶ୍ବର ଫେରିଆସି ପୁଣି ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: