ବୁର୍ଲା ଭିସୁଟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି

ଅର୍ଗସ ବ୍ୟୁରୋ: ବୁର୍ଲାରେ ଭବ୍ୟ ଆୟୋଜନ। ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର ପଞ୍ଚଦଶ ସମାବର୍ତ୍ତନ ଉତ୍ସବ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଭିନ୍ନ ବିଭାଗରେ ଟପ୍ପର ହୋଇଥିବା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ ସହ ପ୍ରମାଣପତ୍ର ପ୍ରଦାନ କଲେ ରାଷ୍ଟ୍ରପତି। ସମ୍ବଲପୁର ମାଟିର ଗର୍ବ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ବଳିଦାନ କଥାରୁ ଆରମ୍ଭ କଲେ ଉଦବୋଧନ। ଭିସୁଟ୍ର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ପ୍ରଦର୍ଶନକୁ ପ୍ରଶଂସା କଲେ ରାଷ୍ଟ୍ରପତି ।
କହିଲେ ମହାକାଶ ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଯୋଗଦାନ କରୁଛନ୍ତି ଏହି ବିଶ୍ବବିଦ୍ୟାଳୟର ବିଦ୍ୟାର୍ଥୀ। ଭିସୁଟ୍ ସହ ସାରା ଦେଶରେ ଛାତ୍ରୀଙ୍କର ବଢୁଥିବା ସଫଳତା ହାର ସମ୍ପର୍କରେ ଉଲ୍ଲେଖ କଲେ। କହିଲେ ମହିଳା କୈନ୍ଦ୍ରିକ ବିକାଶ ଆଡ଼କୁ ଆଗକୁ ବଢୁଛି ଭାରତ। ଏବେ ସାରା ବିଶ୍ବରେ ବଢୁଛି ଭାରତର ଦବଦବା। ରାଷ୍ଟ୍ରପତି କହିଲେ ଚନ୍ଦ୍ରଯାନ3ର ସଫଳତା, ଆଦିତ୍ୟ ଏଲ ୱାନ୍, ଜି-20ର ଆୟୋଜନ, ଅର୍ଥନୀତି କ୍ଷେତ୍ରରେ ଭାରତର ଦ୍ରୁତ ଅଭିବୃଦ୍ଧି ଦେଶର ନେତୃତ୍ବର ପାରଦର୍ଶିତାର ନିଦର୍ଶନ। ଜ୍ଞାନକୌଶଳର ଉନ୍ନତି ସହ ନିଜର ଭାଷା ସଂସ୍କୃତିକୁ ମଧ୍ୟ ନ ଭୁଲିବାକୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି।
ବୁର୍ଲା ଇଂଜିନିୟରିଂ କଲେଜ ଓଡ଼ିଶାର ମେରୁଦଣ୍ଡ । ଓଡ଼ିଶାର ଶିକ୍ଷା ଦିଗରେ ଭିସୁଟର ଯୋଗଦାନ ଓ ଏହାର ଛାତ୍ରଛାତ୍ରୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି ଭାରତର ବୈଜ୍ଞାନିକ ଉପଲବ୍ଧିରେ ରହିଛି ଏହି ବିଶ୍ବବିଦ୍ୟାଳୟର ଗୁରୁତ୍ବପୂର୍ଣ୍ଣ ଭୂମିକା। ଶିକ୍ଷାମନ୍ତ୍ରୀ କହିଲେ ଏହି ଅଞ୍ଚଳରେ ରହିଛି ଅନ୍ୟର ଆନନ୍ଦରେ ଖୁସି ହେବାର ପରମ୍ପରା। ରଙ୍ଗବତୀ ଗୀତର କଳାକାରଙ୍କୁ ପଦ୍ମଶ୍ରୀ ମିଳିବା ନେଇ ପ୍ରଶଂସା କଲେ ଧର୍ମେନ୍ଦ୍ର। ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସମେତ ରାଜ୍ୟପାଳ ରଘୁବର ଦାସ, ରାଜ୍ୟ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: